ନ୍ୟୁଜିଲାଣ୍ଡ ନାଁରେ ଦ୍ଵିତୀୟ ଦିନର ଖେଳ, ବ୍ୟାକଫୁଟ୍‌ରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | October 17, 2024 IST

ବେଙ୍ଗାଲୁରୁ: ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ଦ୍ଵିତୀୟ ଦିନର ଖେଳ ନ୍ୟୁଜିଲାଣ୍ଡ ନାଁରେ ରହିଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଘରୋଇ ମାଟିରେ ଏ ପର୍ଯ୍ୟନ୍ତର ସବୁଠୁ ସର୍ବନିମ୍ନ ୪୬ ରନ କରି ଅଲଆଉଟ୍ ହୋଇଛି। ଜବାବରେ କିଓ୍ଵି ଦଳ ଦ୍ଵିତୀୟ ଦିନର ଖେଲ ଶେଷ ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୧୮୦ ରନ କରି ଦୃଢ ସ୍ଥିତିରେ ରହିଛି। ରଚିନ ରବୀନ୍ଦ୍ର ୨୨ ରନ ଓ ଡାରିଲ ଚିଚେଲ୍ ୧୪ ରନ କରି କ୍ରିଜରେ ଅଛନ୍ତି। ନ୍ୟୁଜିଲାଣ୍ଡ ହାତରେ ଆଉ ୭ ଓ୍ଵିକେଟ୍ ଥାଇ ୧୩୪ ରନର ଅଗ୍ରଣୀ ହାସଲ କରିଛି। ଭ୍ରମଣକାରୀ ଦଲ ପକ୍ଷରୁ ଡେଭନ କନଓ୍ଵେ ୯୧ ରନର ଦମଦାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି।ବେଙ୍ଗାଲୁରୁ ଟେଷ୍ଟରେ ଏବେ ବ୍ୟାକଫୁଟ୍‌ରେ ଭାରତୀୟ ଦଳ। 

ଭାରତ ପ୍ରଥମ ଇନିଂସରେ ୪୬ ରନରେ ଅଲଆଉଟ୍ ହେବା ପରେ ନ୍ୟୁଜିଲାଣ୍ଡ ଦୃଢତାର ସହ ବ୍ୟାଟିଂ ଆରମ୍ଭ କରିଛି। ଦୁଇ ଓପନର ଟମ୍ ଲାଥମ ଓ ଡେଭନ କନଓ୍ଵେ ପ୍ରଥମ ଓ୍ଵିକେଟ୍‌ରେ ୬୭ ରନ ଯୋଡ଼ିଥିଲେ। ଟମ ଲାଥମ(୧୫)ଙ୍କୁ ଆଉଟ୍ କରି କୁଲଦୀପ ଯାଦବ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଅନ୍ୟପଟେ ଡେଭନ କନଓ୍ଵେ ଦିନିକିଆ ଷ୍ଟାଇଲରେ ବ୍ୟାଟିଂ କରି ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ଏବଂ ଓ୍ଵିଲ ୟଙ୍ଗ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୭୫ ରନ ଯୋଡ଼ି ଦଳର ସ୍ଥିତି ମଜବୁତ କରିଥିଲେ। ଓ୍ଵିଲ ୟଙ୍ଗ ୩୩ ରନ କରି ପାଭିଲିୟନ ଫେରିଥିଲେ।

ଯେଉଁ ପିଚ୍‌ରେ ଭାରତୀୟ ବ୍ୟାଟର ସକାଳେ ପ୍ରତି ରନ ପାଇଁ ସଂଘର୍ଷ କରିଥିଲେ ସେଠି ଡେଭନ କନଓ୍ଵେ ଦ୍ରୁତ ବ୍ୟାଟିଂ କରି ୧୦୫ ବଲ୍‌ରୁ ୯୧ ରନ କରିଥିଲେ। ସେ ୧୧ ଚୌକା ଓ ୩ ଛକା ବଳରେ ଏହି ରନ କରିଥିଲେ ହେଁ ଶତକରୁ ବଞ୍ଚିତ ହୋଇଥିଲେ। ଏହା ପରେ ରଚିନ ରବୀନ୍ଦ୍ର ଓ ଡାରିଲ ମିଚେଲ୍ ଦଳର ଆଉ କୌଣସି କ୍ଷତି ହେବାକୁ ଦେଇ ନ ଥିଲେ। ଦ୍ଵିତୀୟ ଦିନର ଖେଳ ଶେଷ ସୁଦ୍ଧା ନ୍ୟୁଜିଲାଣ୍ଡ ୩ ଓ୍ଵିକେଟ୍ ହରାଇ ୧୮୦ ରନ କରିଛି। ବୋଲିଂରେ ଭାରତ ପକ୍ଷରୁ କୁଲଦୀପ ଯାଦବ, ରବିଚନ୍ଦ୍ରନ ଅଶ୍ଵିନ ଓ ରବୀନ୍ଦ୍ର ଜାଡ଼େଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ବୁଧବାରଠୁ ଆରମ୍ଭ ହେବାର ଥିଲା ପ୍ରଥମ ଟେଷ୍ଟ ମ୍ୟାଚ୍‌ । ହେଲେ ବର୍ଷା ଯୋଗୁ ପ୍ରଥମ ଦିନରେ ଖେଳା ଯାଇନଥିଲା । ଗୁରୁବାର ଦିନ ଦ୍ବିତୀୟ ଦିନରେ ଆରମ୍ଭ ହୋଇଥିଲା ଖେଳ । ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ହେଲେ ଏହି ନିଷ୍ପତ୍ତି ଟିମ୍‌ ପାଇଁ ଭାରି ପଡିଥିଲା । ନ୍ୟୁଜିଲାଣ୍ଡର ବୋଲିଂକୁ ଠିକଣା ଭାବେ ମୁକାବିଲା କରିପାରିନଥିଲେ ଭାରତୀୟ ବ୍ୟାଟର । ଶେଷରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟ ସାମ୍ନା କରିଛି ରୋହିତ ବାହିନୀ । 

ପ୍ରଥମ ଇନିଂସରେ ଏପରି ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା ଯେ, ଟିମ୍ ଇଣ୍ଡିଆର ୫ ଜଣ ବ୍ୟାଟର୍ ଶୂନ ରନରେ ଆଉଟ୍ ହୋଇ ଯାଇଛନ୍ତି । ବିରାଟ କୋହଲି, ସର୍ଫରାଜ୍ ଖାନ୍‍ , କେ.ଏଲ୍ ରାହୁଲ୍‍ ରବୀନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ବିନ ଖାତା ଖୋଲି ପାରିନଥିଲେ । ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୨୦ ରନ୍ କରିଛନ୍ତି । ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ମାତ୍ର ୩୧. ୨ ଓଭରରେ ୪୬ ରନରେ ଅଲଆଉଟ ହୋଇଯାଇଛି ।

ସେପଟେ ବୋଲିଂରେ ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୫ଟି ୱିକେଟ୍ ଏବଂ ୱିଲିୟମ୍ ଓରେର୍କେ ୪ଟି ୱିକେଟ୍ ନେଇ ଭାରତୀୟ ଦଳର ବିପର୍ଯ୍ୟୟ ଘଟାଇଛନ୍ତି । ଆଉ ଦଳ ଅଭିଜ୍ଞ ଟିମ୍‌ ସାଉଦିଙ୍କ ଖାତାକୁ ଯାଇଛି ଗୋଟିଏ ଓ୍ୱିକେଟ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.