ନୂଆଦିଲ୍ଲୀ ୨୮।୨: ଭାରତକୁ ୨୦୪୭ ମସିହା ସୁଦ୍ଧା ଉଚ୍ଚଆୟକାରୀ ଦେଶରେ ପରିଣତ ହେବା ପାଇଁ ୭.୮ ପ୍ରତିଶତ ହାରରେ ଅଭିବୃଦ୍ଧି ହାସଲ କରିବାକୁ ପଡିବ। ବିଶ୍ୱବ୍ୟାଙ୍କ ପକ୍ଷରୁ ଶୁକ୍ରବାର ଜାରି ରିପୋର୍ଟରେ ଏହି ଆକଳନ କରାଯାଇଛି। ବିଶ୍ୱ ବ୍ୟାଙ୍କ ରିପୋର୍ଟ ‘ଗୋଟିଏ ପିଢୀରେ ଉଚ୍ଚ ଆୟକାରୀ ଅର୍ଥ ବ୍ୟବସ୍ଥା ହେବା’ ଶୀର୍ଷକ ଜ୍ଞାପନରେ ଏହି ଲକ୍ଷ ହାସଲ ନିମନ୍ତେ ଭାରତକୁ ଆର୍ଥିକ କ୍ଷେତ୍ର ସମେତ ଭୂମି ଓ ଶ୍ରମ ବଜାରକୁ ମଧ୍ୟ ସୁଧାରିବାକୁ ପଡିବ ବୋଲି କୁହାଯାଇଛି।
୨୦୦୦ରୁ ୨୦୨୪ମଧ୍ୟରେ ଭାରତର ହାରାହାରି ବୃଦ୍ଧି ହାର ୬.୩ ପ୍ରତିଶତକୁ ମାନ୍ୟତା ଦେଇ ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର ପିଛିଲା ଉପଲବ୍ଧି ଏହାର ଭବିଷ୍ୟତର ମହତ୍ୱାକାଙକ୍ଷା ନିମନ୍ତେ ଆଧାର ହୋଇପାରେ। ବିଶ୍ୱବ୍ୟାଙ୍କ ରିପୋର୍ଟ କୁହେ ଯେ ‘ଯେହେତୁ ୨୦୪୭ ସୁଦ୍ଧା ଉଚ୍ଚଆୟକାରୀ ଅର୍ଥ ବ୍ୟବସ୍ଥା ହେବାର ମହତ୍ୱାକାଙକ୍ଷୀ ଲକ୍ଷ୍ୟକୁ ପହଞ୍ଚିବା ସ୍ୱାଭାବିକ ସ୍ଥିତିରେ ସମ୍ଭବ ନୁହେଁ.. ଏଥି ଲାଗି ଭାରତର ପ୍ରତି ବ୍ୟକ୍ତି ମୋଟ ଜାତୀୟ ଆୟ (ଜିଏନଆଇ)କୁ ବର୍ତ୍ତମାନ ସ୍ତରରୁ ୮ ଗୁଣା ଅଧିକ ବଢେଇବାକୁ ପଡିବ, ବୃଦ୍ଧିକୁ ଆହୁରି ଦ୍ରୁତ କରିବାକୁ ପଡିବ ଓ ଆଗାମୀ ଦୁଇ ଦଶନ୍ଧୀ ପର୍ଯ୍ୟନ୍ତ ଉଚ୍ଚସ୍ତରରେ ରଖିବାକୁ ପଡିବ। ଏହି ଲକ୍ଷ୍ୟକୁ ମାତ୍ର କିଛି ଦେଶ ହାସଲ କରିପାରିଛନ୍ତି’।
ରିପୋର୍ଟ ଅନୁସାରେ ‘ଏହି ଲକ୍ଷକୁ ହାସଲ କରିବା ପାଇଁ ଭାରତକୁ ନା କେବଳ ଜାରି ଉଦ୍ୟମକୁ କାୟମ ରଖିବାକୁ ହେବ ବରଂ ବାସ୍ତବରେ ସୁଧାରର ସମ୍ପ୍ରସାରଣ ଓ ଏହାର ତୀବ୍ରତାକୁ ବଢାଇବାକୁ ହେବ’। ଗତ ବର୍ଷମାନଙ୍କରେ ଭାରତକୁ ବୈଶ୍ୱିକ ମେନୁଫେକ୍ଚରିଂର କେନ୍ଦ୍ରରେ ପରିଣତ କରିବା ପାଇଁ ଭିତ୍ତିଭୂମିର ବିକାଶ, ମାନବ ପୁଞ୍ଜିରେ ସୁଧାର ଓ ଡିଜିଟାଲକରଣର ଲାଭ ଉଠାଇବା ପାଇଁ ଅନେକ ସଂରଚନାତ୍ମକ ସୁଧାର କରିଛି। ଏହା ସହିତ ବ୍ୟାପକ ଆର୍ଥିକ ସ୍ଥିରତାକୁ ମଧ୍ୟ ପ୍ରୋତ୍ସାହନ ଦିଆଯାଇଛି।
ରିପୋର୍ଟ ଅନୁସାରେ ‘୨୦୪୭ ସୁଦ୍ଧା ଉଚ୍ଚ ଆୟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆଗାମୀ ଦଶନ୍ଧୀରେ ଭାରତର ବୃଦ୍ଧି ହାର ବାସ୍ତବିକ ରୂପେ ହାରାହାରି ୭.୮ ପ୍ରତିଶତ ହେବା ଆବଶ୍ୟକ। ଏଣୁ କେବଳ ‘ତ୍ୱରିତ ସୁଧାର’ ପ୍ୟାକେଜ୍ ହିଁ ଭାରତକୁ ୨୦୪୭ ସୁଦ୍ଧା ଉଚ୍ଚଆୟକାରୀ ଦେଶ ହେବା ପାଇଁ ରାସ୍ତାକୁ ଆଣିପାରେ।
ଭାରତରେ ବିଶ୍ୱବ୍ୟାଙ୍କ ନିର୍ଦ୍ଦେଶକ ଅଗସ୍ତ ତାନୋ କୁଆମେ କହିଛନ୍ତି ଯେ ଚିଲ୍ଲି, ଦକ୍ଷିଣକୋରିଆ ଓ ପୋଲାଣ୍ଡ ଭଳି ଦେଶଙ୍କଠାରୁ ମିଳିଥିବା ଉଦାହରଣ କୁହେ ଯେ ସେମାନେ ମଧ୍ୟମ ଆୟକାରୀ ଦେଶରୁ କିପରି ନିଜକୁ ଉଚ୍ଚଆୟକାରୀ ଦେଶ ରୂପେ ସଫଳତା ପୂର୍ବକ ବଦଳାଇଛନ୍ତି। ଏଣୁ ଭାରତ ଏହାର ଅନୁକରଣ କରିବା ଦରକାର। ରିପୋର୍ଟରେ କୁହାଯାଇଛି ଯେ ଗତ ଦଶକମାନଙ୍କରେ ଭାରତ ସେହି ହାରରେ ଓ ଗତିରେ ବିକାଶ କରିଛି, ଯାହା ସମ୍ପର୍କରେ ହୁଏତ କେହି କେବେ ଭାବିଥିଲେ।