ସୈନ୍ୟଶକ୍ତିରେ ଭାରତର ସ୍ଥାନ ଚତୁର୍ଥ, ଶୀର୍ଷରେ ରହିଛନ୍ତି ଆମେରିକା, ଋଷ୍ ଓ ଚୀନ

Published By : Prameya-News7 Bureau | February 03, 2025 IST

ନୂଆଦିଲ୍ଲୀ,୦୩/୦୧: ଭାରତୀୟ ସେନା ବିଶ୍ବର ଚତୁର୍ଥ ଶକ୍ତିଶାଳୀ ସେନା । ଆମେରିକା, ଋଷ୍ ଓ ଚୀନ ପରେ ଚତୁର୍ଥ ସ୍ଥାନରେ ରହିଛି ଭାରତ । ସୈନ୍ୟଶକ୍ତିକୁ ନେଇ ରାଙ୍କିଂ ସ୍ଥିର କରୁଥିବା ଗ୍ଲୋବାଲ ଫାୟାର ପାଓ୍ବାର ପକ୍ଷରୁ ନୂଆ ତାଲିକା ଜାରି ହୋଇଛି । ଏହି ଲିଷ୍ଟରେ ପାକିସ୍ତାନ ୧୨ନଂ ସ୍ଥାନରେ ରହିଛି । ପଡ଼ୋଶୀ ରାଷ୍ଟ୍ର ପୂର୍ବ ଅପେକ୍ଷା ଆହୁରି ତଳକୁ ଖସିଛି । ଗତବର୍ଷ ନବମ ସ୍ଥାନରେ ରହିଥିବା ପାକିସ୍ତାନ । ଗ୍ଲୋବାଲ ଫାୟାର ପାଓ୍ବାର ଇଣ୍ଡେକ୍ସ ଅନୁଯାୟୀ, ସୁପରପାଓ୍ବାର ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ଋଷ୍ ରହିଛି । ସେହିପରି ସୈନ୍ୟ ଶକ୍ତିରେ ତୃତୀୟ ସ୍ଥାନରେ ଚୀନ୍ ରହିଛି ।  

ପ୍ରାୟ ୬୦ରୁ ଅଧିକ ସାମରିକ ମାନଦଣ୍ଡକୁ ନେଇ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସ  ପ୍ରସ୍ତୁତ କରାଯାଇଛି । ସେଥିରେ ପ୍ରତିରକ୍ଷା ଜ୍ଞାନକୌଶଳ, ଆର୍ଥିକ ଶକ୍ତି, ଲଜିଷ୍ଟିକ କ୍ଷମତା, ଭୌଗୋଳିକ  ସ୍ଥିତି, ସୈନ୍ୟ ୟୁନିଟ୍‌ ଓ ରଣନୀତିକ ଦକ୍ଷତା ଭଳି ମାନଦଣ୍ଡ ରହିଛି । ଶ୍ରେଷ୍ଠ ୧୦ରେ ସ୍ଥାନ ପାଇଥିବା  ଅନ୍ୟ ଦେଶମାନଙ୍କ ମଧ୍ୟରେ ଅଛନ୍ତି ଦକ୍ଷିଣ କୋରିଆ, ବ୍ରିଟେନ, ଫ୍ରାନ୍ସ, ଜାପାନ, ତୁର୍କୀ ଓ ଇଟାଲୀ । ପ୍ରତିରକ୍ଷା ଉତ୍ପାଦନରେ ଆତ୍ମନିର୍ଭର, ଜଳ-ସ୍ଥଳ-ଆକାଶରେ ସାମରିକ ଶକ୍ତି ବୃଦ୍ଧି  ଯୋଗୁ ଭାରତର ସ୍ଥିତିରେ ଉନ୍ନତି ଘଟିଛି । ଅନ୍ୟପକ୍ଷରେ ପାକିସ୍ତାନର ଦୁର୍ବଳ ସାମରିକ ସ୍ଥିତି  ଓ ପ୍ରତିରକ୍ଷା କ୍ଷେତ୍ରରେ ଆଧୁନିକୀକରଣ ପାଇଁ ରହିଥିବା ଚାଲେଞ୍ଜର ମୁକାବିଲାରେ ବିଫଳ ହୋଇଥିବାରୁ ଏହା ତଳକୁ ଖସିଯାଇଛି । ତାଲିକାର ସବୁଠାରୁ ନିମ୍ନ ୧୪୫ତମ ସ୍ଥାନରେ ରହିଛି ଭୁଟାନ । 

ଭାରତୀୟ ସାମରିକ ଶକ୍ତି ବୃଦ୍ଧିର ସବୁଠାରୁ  ବଡ ଘଟଣା ହେଉଛି ୩ ବାହିନୀର ଆଧୁନିକୀକରଣ ।  ସେନାରେ ୧୪ ଲକ୍ଷ ୫୦ ହଜାରରୁ ଅଧିକ ସକ୍ରିୟ  ଯବାନ ରହିଥିଲା ବେଳେ ୧୧ ଲକ୍ଷ ୫୦ ହଜାର  ସଂରକ୍ଷିତ ସୈନ୍ୟ ଏବଂ ୨୫ ଲକ୍ଷରୁ ଅଧିକ ଅର୍ଦ୍ଧସାମରିକ ବାହିନୀର ଯବାନ ହେଉଛନ୍ତି ଭାରତୀୟ ସାମରିକ ଶକ୍ତିର ସମ୍ବଳ । ସୈନ୍ୟଶକ୍ତିକୁ ଆହୁରି  ସୁଦୃଢ଼ କରିଛି ଟି-୯୦ ଭିସ୍ମ ଓ ଅର୍ଜୁନ ଟ୍ୟାଙ୍କ,   ବ୍ରହ୍ମୋସ ମିସାଇଲ ଏବଂ ପିନାକ ରକେଟ ସିଷ୍ଟମ ।  ଭାରତୀୟ ବାୟୁସେନା ମଧ୍ୟ ନିଜର ଶକ୍ତି ବଢ଼ାଇବାରେ ଲାଗିଛି । ବାୟୁସେନା ନିକଟରେ ଏବେ ୨୨୯୯ ବିମାନ ରହିଛି । ଯେଉଁଥିରେ ୬୦୦ ଫାଇଟର ଜେଟ୍‌, ୮୯୯  ହେଲିକପ୍ଟର ଓ ୮୩୧ ସମର୍ଥିତ ବିମାନ ରହିଛି ।  ରାଫେଲ, ସୁଖୋଇ-୩୦ ଏମ୍‌କେଆଇ ଓ ନେତ୍ର ସର୍ଭେଲାନ୍ସ ବିମାନ ବାୟୁସେନାର ଅନ୍ୟତମ ଶକ୍ତି ।  ରୁଦ୍ରମ, ଅସ୍ତ୍ର, ନିର୍ଭୟ ଓ ବ୍ରହ୍ମୋସ ସଂଶ୍ଳିଷ୍ଟ ବିମାନ ବାୟୁସେନାର ଶକ୍ତିକୁ ବଢ଼ାଇଦେଇଛି । 

ସେହିଭଳି ଭାରତୀୟ ନୌସେନାର ଶକ୍ତି ମଧ୍ୟ ବଢ଼ିବାରେ ଲାଗିଛି । ବର୍ତ୍ତମାନ ନୌସେନାରେ ୧ ଲକ୍ଷ ୪୨ ହଜାରରୁ ଅଧିକ ସକ୍ରିୟ ନାବିକ ସାମିଲ ଅଛନ୍ତି । ଏଥିସହ ୧୫୦ରୁ ଅଧିକ ଯୁଦ୍ଧଜାହାଜ, ଜାହାଜ ଓ  ବୁଡାଜାହାଜ ମଧ୍ୟ ରହିଛି । ଆଇଏନ୍‌ଏସ୍‌ ବିକ୍ରମାଦିତ୍ୟ,  ଆଇଏନ୍‌ଏସ୍‌ ବିକ୍ରାନ୍ତ ଭଳି ବିମାନବାହୀ ଯୁଦ୍ଧ ଜାହାଜ  ଏବଂ ଆଣବିକ ବୁଡାଜାହାଜ, ପି-୮ଆଇ ମେରିଟାଇମ୍‌  ରେକନାଇଜାନ୍ସ ବିମାନ, ଏମ୍‌ଏଚ୍‌-୬୦ଆର ହେଲିକପ୍ଟର ନୌସେନାର ଶକ୍ତି ବଢ଼ାଇଛି । ବର୍ତ୍ତମାନ  ୫୦ରୁ ଅଧିକ ଜାହାଜ,   ବୁଡାଜାହାଜ ଓ  ହେଲିକପ୍ଟର ନିର୍ମାଣ କରାଯାଉଛି । ଫଳରେ  ଭାରତୀୟ ନୌସେନାର ଶକ୍ତି ଆଗାମୀ  ଦିନରେ ଆହୁରି ବଢ଼ିବ । 

ଅନ୍ୟପକ୍ଷରେ ପାକିସ୍ତାନର  ସ୍ଥଳସେନାରେ ସକ୍ରିୟ ଯବାନଙ୍କ ସଂଖ୍ୟା ୬ ଲକ୍ଷ ୪୦ ହଜାର ରହିଥିଲା ବେଳେ ଅଲ୍‌-ଖଲିଦ,ଟି ୮୦-ୟୁଡି ଓ ଅଲ୍‌-ଜର୍ରାର  ଭଳି ପ୍ରମୁଖ ଟ୍ୟାଙ୍କ ରହିଛି । ବାୟୁସେନାରେ ଜେଏଫ୍‌-୧୭ ଥଣ୍ଡର, ଏଫ-୧୬ ଓ ମିରାଜ ଯୁଦ୍ଧବିମାନ ସାମିଲ ଅଛି । ନୌସେନାରେ ଅଗୁସ୍ତା ୯୦ବି ବୁଡାଜାହାଜ, ତାରିକ ଶ୍ରେଣୀର ବିଧ୍ୱଂସକ  ଓ ଜୁଲ୍‌ଫିକର ଶ୍ରେଣୀର ଫ୍ରିଗେଟ ରହିଛି । ଭାରତର  ଅନ୍ୟତମ ପଡୋଶୀ ଦେଶ ବାଂଲାଦେଶ ଗ୍ଲୋବାଲ ଫାୟାର ପାୱାର ଇଣ୍ଡେକ୍ସର ୩୫ ତମ ସ୍ଥାନରେ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.