ସେଞ୍ଚୁରିୟନ: ସେଞ୍ଚୁରିୟନରେ ଖେଳା ଯାଉଥିବା ତୃତୀୟ ଟି-୨୦ରେ ଗର୍ଜିଲା ତିଳକ ବର୍ମାଙ୍କ ବ୍ୟାଟ। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ତିଳକ ବର୍ମାଙ୍କ ଧୂଆଁଧାର ଶତକ ବଳରେ ୬ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଛି। ତିଳକଙ୍କ ବ୍ୟତୀତ ଅଭିଷେକ ଶର୍ମା ୫୦ ରନର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ମ୍ୟାଚ୍ ଜିତିବା ପାଇଁ ଘରୋଇ ଦଳ ସାମ୍ନାରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରହିଛି। ତିଳକ ବର୍ମା ନିଜର ଏହି ଇନିଂସରେ ୫୬ ବଲରୁ ୮ ଚୌକା ଓ ୭ ଛକା ସହ ୧୦୭ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଚାରି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧-୧ରେ ବରାବର ରହିଛି।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରୁ ହିଁ ଝଟକା ଲାଗିଥିଲା। ଦ୍ଵିତୀୟ ମ୍ୟାଚ୍ ପରି ତୃତୀୟରେ ବି ଖାତା ଖୋଲି ପାରି ନ ଥିଲେ ସଞ୍ଜୁ ସାମସନ। ଏହା ପରେ ଅଭିଷେକ ଶର୍ମା ଓ ତିଳକ ବର୍ମା ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ଘରୋଇ ବୋଲରଙ୍କୁ ପ୍ରହାର କରି ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୧୦୭ ରନ ଯୋଡ଼ିଥିଲେ। ଏହି କ୍ରମରେ ଦୁଇ ବ୍ୟାଟର ଅର୍ଦ୍ଧଶତକ ପୂରଣ କରିଥିଲେ। ପ୍ରଥମ ଦୁଇଟି ମ୍ୟାଚ୍ ବିଫଳ ହୋଇଥିବା ଅଭିଷେକ ଆଜିର ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୨୫ ବଲ୍ରୁ ୩ ଚୌକା ଓ ୫ ଛକା ସହ ୫୦ ରନ କରିଥିଲେ।
ଅଧିନାୟକ ସୂର୍ଯ୍ୟକୁମାର ଯାଦବ(୧) ଲଗାତାର ତୃତୀୟ ମ୍ୟାଚ୍ରେ ବିଫଳ ହୋଇଥିଲେ। ଗୋଟିଏ ପଟେ ତିଳକ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ୧୮ ରନ ଓ ରିଙ୍କୁ ସିଂ(୮) ପୁଣି ନିରାଶ କରିଥିଲେ। ରମଣଦୀପ ସିଂ ୬ ବଲରୁ ୧୫ ରନ କରିଥିଲେ। ତିଳକ ବର୍ମା ନିଜର ପ୍ରଥମ ଅନ୍ତର୍ଜାତୀୟ ଟି-୨୦ ଶତକ ପୂରଣ କରିବା ସହ ୫୬ ବଲରୁ ୮ ଚୌକା ଓ ୭ ଛକା ସହ ୧୦୭ ରନର ଅପରାଜିତ ଇନିଂସ ଖେଳିଛନ୍ତି। ତାଙ୍କର ଏହି ଶତକୀୟ ଇନିଂସ ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଛି।
ବୋଲିଂରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଣ୍ଡିଲେ ସିମେଲାନେ ୩୪ ରନ ଦେଇ ୨ ଓ୍ଵିକେଟ୍ ଓ କେଶବ ମହାରାଜ ୩୬ ରନ ଦେଇ ୩୬ ରନ ବ୍ୟୟ କରି ୨ଟି ଓ୍ଵିକେଟ୍ ନେଇଛନ୍ତି।