ନୂଆଦିଲ୍ଲୀ: ଆମେରିକୀୟ ମଦ ଉପରେ ଶୁଳ୍କ ହ୍ରାସ ନେଇ ଭାରତ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ପରେ ଏହି ବଡ଼ ଘୋଷଣା କରାଯାଇଛି । ବର୍ବନ ହ୍ୱିସ୍କି ଉପରେ ଆମଦାନୀ ଶୁଳ୍କ ହ୍ରାସ କରି ୫୦ ପ୍ରତିଶତ କରିଛି । ଏହି ନିଷ୍ପତ୍ତି ଆମେରିକା ସହ ବ୍ୟବସାୟିକ ବୁଝାମଣା ଉପରେ କଥାବର୍ତ୍ତା ଆରମ୍ଭ କରିବା ଘୋଷଣା ପରେ ନିଆଯାଇଛି । ଉଲ୍ଲେଖଯୋଗ୍ୟ, ବର୍ବନ ହ୍ୱିସ୍କି ଉପରେ ସୀମା ଶୁଳ୍କରେ ହ୍ରାସ ନେଇ ଅଧିସୂଚନା ଫେବ୍ରୁଆରୀ ୧୩ରେ ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ବୈଠକ ପୂର୍ବରୁ ନିଆଯାଇଥିଲା ।
ରାଜସ୍ୱ ବିଭାଗ ଏକ ଅଧିସୂଚନାରେ କହିଛି ଯେ ବର୍ବନ ହ୍ୱିସ୍କି ଆମଦାନୀ ଉପରେ ଏବେ ୧୫୦ ପ୍ରତିଶତ ବଦଳରେ ୫୦ ପ୍ରତିଶତ ସୀମା ଶୁଳ୍କ ଲାଗୁ ହେବ । ଏହି ନିଷ୍ପତ୍ତି ଅନୁସାରେ ଅନ୍ୟ କୌଣସି ମଦର ଆମଦାନୀ ଉପରେ ସୀମା ଶୁଳ୍କରେ ପରିବର୍ତ୍ତନ ହେବ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଆମେରିକା ଭାରତକୁ ବର୍ବନ ହ୍ୱିସ୍କିର ପ୍ରମୁଖ ରପ୍ତାନକାରୀ । ଭାରତରେ ଆମଦାନୀ କରାଯାଉଥିବା ସବୁ ମଦର ପ୍ରାୟ ଏକ ଚତୁର୍ଥାଂଶ ଆମେରିକାରୁ ଆସୁଛି ।
ଭାରତ ୨୦୨୩-୨୪ରେ ୨୫ ଲକ୍ଷ ଡଲାର ବର୍ବନ ହ୍ୱିସ୍କି ଆମଦାନୀ କରିଥିଲା । ଆମେରିକା, ୟୁଏଇ, ସିଙ୍ଗାପୁର ଏବଂ ଇଟାଲୀ ପରି ଦେଶରୁ ଭାରତ ଆମଦାନୀ କରିଥିଲା । ଉଲ୍ଲେଖଯୋଗ୍ୟ ଯେ ପିଏମ୍ ମୋଦୀ ଦୁଇ ଦିନିଆ ଗସ୍ତରେ ଗୁରୁବାର ୱାଶିଂଟନ ପହଞ୍ଚିଥିଲେ । ପିଏମ୍ ମୋଦୀଙ୍କ ଆମେରିକା ଗସ୍ତରେ ନୂଆଦିଲ୍ଲୀ ଏବଂ ୱାଶିଂଟନ ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବ୍ୟବସାୟକୁ ଦ୍ୱିଗୁଣାରୁ ଅଧିକ କରି ୫୦୦ ବିଲିୟନ ଡଲାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।