ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାରେ କ୍ୟାନ୍‌ସର ବାହକ କେମିକାଲ ଭୟ: ସାମ୍ପଲ ଟେଷ୍ଟ କରିବ ଏଫ୍‌ଏସ୍‌ଏସ୍ଏଆଇ

Published By : Prameya-News7 Bureau | April 22, 2024 IST

ନୂଆଦିଲ୍ଲୀ: ଭାରତୀୟ ମସଲା ବ୍ରାଣ୍ଡ୍ ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାରେ କ୍ୟାନ୍‌ସର ବାହକ କେମିକାଲ ଇଥିଲିନ ଅକ୍ସାଇଡ୍ ଅତ୍ୟଧିକ ପରିମାଣରେ ରହିଥିବା ବିଦେଶରୁ ଅଭିଯୋଗ ଆସିଛି। ଏଥିପାଇଁ ସିଙ୍ଗାପୁର ଓ ହଂକଂ ଏହି ଦୁଇ ଭାରତୀୟ ବ୍ରାଣ୍ଡ୍‌ର ମସଲା ଆମଦାନୀ ବନ୍ଦ କରିବା ସହ ଏହାକୁ ବ୍ୟାନ୍ ମଧ୍ୟ କରିଛନ୍ତି। 

ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଭାରତୀୟ ଖାଦ୍ୟ ସୁରକ୍ଷା ବିଭାଗ ମଧ୍ୟ ସତର୍କ ହୋଇଛି। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ(ଏଫ୍‌ଏସ୍‌ଏସ୍ଏଆଇ) ଖୁବ୍‌ଶୀଘ୍ର ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାର ସାମ୍ପଲ ଟେଷ୍ଟ କରିବା ବୋଲି ସୂଚନା ମିଳିଛି।

ଏପ୍ରିଲ ୧୯ ତାରିଖରେ ସିଙ୍ଗାପୁର ଏଭରେଷ୍ଟ ଫିସ୍ କରି ମସଲାରେ କାର୍‌ସିନୋଜେନ୍‌ ରୂପେ ଚିହ୍ନଟ କରାଯାଉଥିବା କୀଟନାଶକ ଇଥିଲିନ ଅକ୍ସାଇଡ୍‌ର ମାତ୍ରା ଆବଶ୍ୟକ ଠାରୁ ଅଧିକ ଥିବା ଘୋଷଣା କରିଥିଲା। ଇଥିଲିନ ଅକ୍ସାଇଡ୍‌କୁ ଖାଦ୍ୟ ଭାବରେ ବ୍ୟବହାର କରିବାକୁ ଅନୁମତି ନାହିଁ। ଏହା କେବଳ କୃଷିଜାତ ଦ୍ରବ୍ୟରେ ମାଇକ୍ରୋବାୟଲ ସମସ୍ୟା ରୋକିବାକୁ ବ୍ୟବହାର କରାଯାଏ ବୋଲି ସିଙ୍ଗାପୁର କହିଥିଲା।

ପଢ଼ନ୍ତୁ-ସିଙ୍ଗାପୁର ପରେ ହଂକଂ ବ୍ୟାନ୍ କଲା ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ମସଲା

ସେହିଭଳି ଏପ୍ରିଲ ୫ ତାରିଖରେ ହଂକଂ ମଧ୍ୟ ଏମ୍‌ଡିଏଚ୍‌ର ୩ଟି ପ୍ରଡକ୍ଟ- ମାଡ୍ରାସ୍ କରି ପାୱଡ଼ର, ମିକ୍ସ୍ଡ ମସଲା ପାୱଡର ଓ ସାମ୍ଭର ମସଲା, ଏବଂ ଏଭରେଷ୍ଟର ଫିସ୍ କରି ମସଲାରେ ଇଥିଲିନ ମିଳିଥିବା ଘୋଷଣା କରିଥିଲା। ଏହାପରେ ସମସ୍ତ ଦୋକାନ ଓ ମଲ୍‌ରୁ ଏହି ମସଲାକୁ ହଟାଇବାକୁ ହଂକଂ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ନଆଯିବ ବୋଲି ହଂକଂ ସରକାର କହିଛନ୍ତି। 

ତେବେ ଘଟଣା ନେଇ ଏଭରେଷ୍ଟ ଓ ଏମ୍‌ଡିଏଚ୍ ମସଲା ପକ୍ଷରୁ କୌଣସି ପ୍ରତିକ୍ରିୟା ଜାରି କରାଯାଇ ନାହିଁ।    

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.