ନୂଆଦିଲ୍ଲୀ: କାନାଡ଼ା ଓ ଚୀନ ଭଳି ଆମେରିକାର ପାଲଟା ଶୁଳ୍କର ଜବାବ ଦେବ ନାହିଁ ଭାରତ। ଭାରତ ଉପରେ ଆମେରିକା ଲଦିଥିବା ୨୬ ପ୍ରତିଶତ ପାଲଟା ଶୁଳ୍କର ଜବାବ ଭାରତ ଦେବ ନାହିଁ ବୋଲି ଜଣେ ସରକାରୀ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଆମେରିକା ଓ ଭାରତ ମଧ୍ୟରେ ବାଣିଜ୍ୟ ସମ୍ପର୍କିତ ଆଲୋଚନା ଜାରି ରହିଛି। ତେବେ ଆମେରିକା ଶୁଳ୍କର ଭାରତ କୌଣସି ଜବାବୀ ଶୁଳ୍କ ଲଗାଇବ ନାହିଁ ବୋଲି ସେ କହିଛନ୍ତି। ଏନେଇ ବିଜ୍ନେଶ ଷ୍ଟାଣ୍ଡାର୍ଡରେ ଖବର ପ୍ରକାଶ ପାଇଛି।
ଭାରତ ଟ୍ରମ୍ପଙ୍କ ଟାରିଫ୍ ଅର୍ଡରର ଏକ ଧାରା ଉପରେ ନଜର ରଖିଛି ସେହି ବାଣିଜ୍ୟିକ ପାର୍ଟନରଙ୍କ ପାଇଁ ଏକ ସମ୍ଭାବ୍ୟ ଆଶ୍ୱସ୍ତି ଦେବ ଯେଉଁମାନେ "ଅଣ-ପାରସ୍ପରିକ ବାଣିଜ୍ୟ ବ୍ୟବସ୍ଥାର ସମାଧାନ ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଅନ୍ତି। " ସେହିପରି ଅନ୍ୟ ଜଣେ ଅଧିକାରୀ କହିଛନ୍ତି ୱାଶିଂଟନ ସହିତ ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା ଆରମ୍ଭ କରିଥିବା ଭାରତ ପ୍ରଥମ ଏସୀୟ ଦେଶ। ତେବେ ନୂଆଦିଲ୍ଲୀ ପାଇଁ ଲାଭର ବିଷୟ ଏହା ଯେ ଚୀନ୍, ଭିଏତନାମ ଏବଂ ଇଣ୍ଡୋନେସିଆ ଭଳି ଏସୀୟ ଦେଶମାନଙ୍କ ତୁଳନାରେ ଭାରତ ଭଲ ସ୍ଥାନରେ ଅଛି। ଏହି ଦେଶମାନେ ଆମେରିକାର ଉଚ୍ଚ ଶୁଳ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ହେଲେ ଏମାନଙ୍କ ତୁଳନାରେ ଭାରତ ଉପରେ କମ ଶୁଳ୍କ ଲଗାଯାଇଛି।
ପଢନ୍ତୁ- ଟ୍ରମ୍ପଙ୍କ ଟାରିଫ ପରେ ଜଗତୀକରଣର ଯୁଗ ଶେଷ: ସୋମବାର ଘୋଷଣା କରିବେ ୟୁକେ ପିଏମ୍
ଏପ୍ରିଲ ୩ ତାରିଖରେ ଆମେରିକା ଏହାର ବିଜ୍ନେଶ ପାର୍ଟନର ଦେଶଗୁଡ଼ିକ ଉପରେ ପାଲଟା ଶୁଳ୍କ ଲାଗୁ କରିଥିଲା। ଏହାପରେ କିଛି ଚୀନ, କାନାଡ଼ା ଓ ଅନ୍ୟ କିଛି ଦେଶ ଏହାର ଜବାବରେ ଆମେରିକା ଉପରେ ବି ଶୁଳ୍କ ବଢ଼ାଇଥିଲେ। ହେଲେ ଭାରତ ତାଇୱାନ ଏବଂ ଇଣ୍ଡୋନେସିଆ ଭଳି ରାଷ୍ଟ୍ର ଜବାବୀ ଶୁଳ୍କ ଲଗାଇଭାକୁ ପ୍ରତ୍ୟାଖ୍ୟାନ କରିଥିବା କୁହାଯାଉଛି।