ଚକ୍ରବର୍ତ୍ତୀଙ୍କ ଚକ୍ରବ୍ୟୁହରେ ପୁଣି ଫସିବ ଇଂଲଣ୍ଡ; ସିରିଜ୍ କବଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

Published By : Prameya-News7 Bureau | January 28, 2025 IST

ରାଜକୋଟ୍‌, ୨୮/୦୧:  ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ମଙ୍ଗଳବାର ତୃତୀୟ ଟି-୨୦ ।  ସଂଧ୍ୟାରେ ରାଜକୋଟରେ ମୁହାଁମୁହିଁ ହେବେ ସୂର୍ଯ୍ୟସେନା ଏବଂ ବ୍ରିଟିଶ ବାହିନୀ । ପ୍ରଥମ ଦୁଇଟି ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ୍ କରିଥିବା ବେଳେ ତୃତୀୟ ଟି-୨୦ ଜିତି ସିରିଜ୍ କବଜା ଲକ୍ଷ୍ୟରେ ରହିଛି ଭାରତୀୟ ଦଳ । ସେପେଟ ବଟଲର ବହିନୀ ପାଇଁ ଆଜିର ମୁକାବିଲା ଏକ ମହାଲଢ଼େଇ ସଦୃଶ । ରାଜକୋଟରେ ଭ୍ରମଣକାରୀ ଇଂଲଣ୍ଡ ପାଇଁ ‘କର ବା ମର’ ସ୍ଥିତି । କାରଣ ତୃତୀୟ ଟି-20 ମ୍ୟାଚ୍ ଜିତିଲେ ଶୃଙ୍ଖଳାକୁ ଫେରିବ ଦଳ । ନହେଲେ ସିରିଜ୍ ଉପରେ ଆଧିପତ୍ୟ ଜାରି କରିବ ଟିମ୍ ଇଣ୍ଡିଆ । 

ସିରିଜକୁ ଫେରିବା ପାଇଁ ଇଂଲଣ୍ଡ ସବୁ ଶକ୍ତି ଖଟାଇବାକୁ ପ୍ରସ୍ତୁତ । ହେଲେ ଭାରତୀୟ  ଦଳର ସ୍ପିନ୍‌ ବାହିନୀ ଇଂଲଣ୍ଡ ଖେଳାଳିଙ୍କ ନିଦ ହଜାଇ ଦେଇଛନ୍ତି । କେବଳ ଜୋସ୍ ବଟଲରଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟର ଭାରତୀୟ ସ୍ପିନରଙ୍କ ମୁକାବିଲା କରିପାରୁ ନାହାନ୍ତି । ବିଶେଷ  କରି ବରୁଣ ଚକ୍ରବର୍ତ୍ତୀଙ୍କ କୌଶଳକୁ ପଢିବାରେ ଦଳ ସମ୍ପୂର୍ଣ୍ଣ ଭାବେ ଫେଲ୍ ମାରିଛି । ରାଜକୋଟ୍ ପିଚ୍‌ ପାରମ୍ପରିକ ଭାବେ ସ୍ପିନରଙ୍କୁ ସହାୟତା କରୁଥିବାରୁ ଇଂଲଣ୍ଡ ଦଳର ଚିନ୍ତା ବଢି ଯାଇଛି । ତଥାପି ବରୁଣଙ୍କୁ ମୁକାବିଲା କରିବା ପାଇଁ ଇଂଲଣ୍ଡ ବ୍ୟାଟରମାନେ ମ୍ୟାଚ୍ ପାଇଁ କିଛି ନୂଆ ରଣନୀତି ପ୍ରସ୍ତୁତ କରିବେ । 

ଦକ୍ଷତା, ପ୍ରଦର୍ଶନ ଓ ରେକର୍ଡକୁ ଦେଖିଲେ  ଭାରତର ପଲା ଭାରି ରହିବ । ରାଜକୋଟ୍‌ରେ ଭାରତ  ୫ଟି ଟି-ଟ୍ୱେଣ୍ଟି ଖେଳିଛି ଓ ଏଥିରୁ ୪ଟି ମ୍ୟାଚ୍‌ରେ  ବିଜୟ ହାସଲ କରିଛି । ଶେଷ ଥର ପାଇଁ ଭାରତ ୨୦୧୩ରେ ଏଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଟି-ଟ୍ୱେଣ୍ଟି ଖେଳିଥିଲା ଓ ୬ ୱିକେଟ୍‌ରେ ବିଜୟ  ହାସଲ କରିଥିଲା । 

ମଙ୍ଗଳବାର ମ୍ୟାଚ୍‌ରେ ତିଳକ ବର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ଚେନ୍ନାଇରେ ଅନୁଷ୍ଠିତ ମ୍ୟାଚ୍‌ରେ  ସେ ଅପରାଜିତ ୭୨ ରନ୍‌ର ଇନିଂସ ଖେଳି ଦଳକୁ  ବିଜୟୀ କରାଇଥିଲେ । ଏହି ପ୍ରଦର୍ଶନ ପାଇଁ ସେ  ପ୍ଲେୟାର ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ ।  ସେ ଖେଳିଥିବା ଶେଷ ୪ଟି ମ୍ୟାଚ୍‌ରେ ୩୧୮  ରନ୍‌ ସଂଗ୍ରହ କରିଛନ୍ତି ଓ ଥରେ ହେଲେ ଆଉଟ୍‌ ହୋଇନାହାନ୍ତି । 

ଏପଟେ ପୂର୍ବ ୨ ମ୍ୟାଚ୍‌ ଭଳି  ମଙ୍ଗଳବାର ମଧ୍ୟ ଟସ୍‌ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରେ । ରାଜକୋଟ୍‌ ପିଚ୍‌ ପାରମ୍ପରିକ ଭାବେ ବ୍ୟାଟିଂ ପାଇଁ ଅନୁକୂଳ । ବ୍ୟାଟିଂ ଅନୁକୂଳ ପିଚ୍‌ ଓ  ଦ୍ରୁତ ଆଉଟ୍‌ ଫିଲ୍ଡରେ ବିଶାଳ ସ୍କୋର ସଂଗୃହୀତ  ହେବା ନିଶ୍ଚିତ । ମାତ୍ର ରାତ୍ରିରେ କାକର ପଡ଼ୁଥିବାରୁ   ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ୍‌ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.