ପ୍ରଥମ ଟି-୨୦ରେ ଟିମ୍ ଇଣ୍ଡିଆର ଏକତରଫା ବିଜୟ, ୭୧ ବଲ୍‌ରେ ବାଂଲାଦେଶକୁ ହରାଇଲା

Published By : Prameya-News7 Bureau | October 06, 2024 IST

livehindustan

ଗ୍ଵାଲିୟର: ବୋଲର ଓ ବ୍ୟାଟରଙ୍କ ଦମଦାର ପ୍ରଦର୍ଶନ ବଳରେ ଏଠାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ମ୍ୟାଚ୍‌ରେ ଯୁବ ଭାରତୀୟ ଦଳ ଏକତରଫା ବିଜୟ ହାସଲ କରିଛି। ସୂର୍ଯ୍ୟକୁମାର ବାହିନୀ ଭ୍ରମଣକାରୀ ବାଂଲାଦେଶକୁ ୭ ଓ୍ଵିକେଟ୍‌ରେ ହରାଇଛି। ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ମେହଦି ହସନ ମିରାଜ(୩୫) ଓ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ(୨୭)ଙ୍କ ରନ ବଳରେ ୧୨୭ ରନରେ କରିଥିଲା। ଜବାବରେ ଭାରତ ୧୧.୫ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲ୍‌ରୁ ୩୯ ରନର ଅପରାଜିତ ବିସ୍ଫୋରକ ଇନିଂସ ଖେଳିଥିବା ବେଳେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ସଞ୍ଜୁ ସାମସନ ୨୯ ରନ ଲେଖାଏଁ କରିଥିଲେ। 

୧୨୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ୨୫ ରନ ଯୋଡ଼ିଥିଲେ। ଅଭିଷେକ ୭ ବଲରୁ ୧୬ ରନ କରି  ପାଭିଲିୟନ ଫେରିଥିଲେ। ଏହା ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଆସିବା ମାତ୍ରେ ଦ୍ରୁତ ବ୍ୟାଟିଂ କରିଥିଲେ। ସୂର୍ଯ୍ୟ ୧୪ ବଲ୍‌ରୁ ୨ ଚୌକା ଓ ୩ ଛକା ସହ ୨୯ ରନ କରିଥିଲେ। ସେ ଓ ସଞ୍ଜୁ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୪୦ ରନ ଯୋଡ଼ିଥିଲେ। ସଞ୍ଜୁ ସାମନ ୨୯ ରନର ଦ୍ରୁତ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ନୀତିଶ ରେଡ୍ଡୀ  ଓ ହାର୍ଦ୍ଦିକ ପାଣ୍ଡ୍ୟା ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୫୨ ରନ ଯୋଡ଼ି ଦଳକୁ ୧୧.୫ ଓଭରରେ ଦଳକୁ ୭ ଓ୍ଵିକେଟ୍‌ରେ ଜିତାଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ବିସ୍ଫୋରକ ବ୍ୟାଟିଂ କରି ୧୬ ବଲ୍‌ରୁ ୫ ଚୌକା ଓ ୨ ଛକା ସହ ୩୯ ରନରେ ଅପରାଜିତ ଥିଲେ। ପଦାର୍ପଣ ମ୍ୟାଚ୍ ଖେଳିଥିବା ନୀତିଶ ରେଡ୍ଡୀ ୧୬ ରନ କରିଥିଲେ। 

ବାଂଲାଦେଶ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶର ଆରମ୍ଭ ନିରାଶଜନକ ଥିଲା। ଦୁଇ ଓପନର ପରଭେଜ ହୁସେନ ଇମୋନ(୮ ରନ) ଓ ଲିଟନ ଦାସ(୪ ରନ)ଙ୍କୁ ଅର୍ଶଦୀପ ସିଂ ପାଭିଲିୟନର ରାସ୍ତା ଦେଖାଇଥିଲେ। ଏହା ପରେ ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ କ୍ରିଜରେ ଜମି ରହିଥିବା ବେଳେ ଅନ୍ୟପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା ବାଂଲାଦେଶ। ଟୋହିଦ ହୃଦୟ ୧୨ ରନ କରିଥିଲେ। ମେହମୁଦୁଲ୍ଲା(୧) ଶସ୍ତାରେ ଆଉଟ୍ ହୋଇଥିଲେ। ଅଧିନାୟକ ସାଣ୍ଟୋ ୨୫ ବଲରୁ ୨୭ ରନ କରି ପାଭିଲିୟନ ଫେରିଥିଲେ। ତସ୍କିନ ଅହମ୍ମଦ ୧୨ ରନ କରିଥିଲେ। ନିମ୍ନ ଅର୍ଡରରେ ମେହଦି ହସନ ମିରାଜ ୩୫ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ବାଂଲାଦେଶ ୧୨୭ ରନ ସ୍କୋର କରି ପାରିଛି। 

ବୋଲିଂରେ ଭାରତ ପକ୍ଷରୁ ଅର୍ଶଦୀପ ସିଂ ମାତ୍ର ୧୪ ରନ ଦେଇ ୩ଟି ସଫଳତା ପାଇଥିଲେ। ବରୁଣ ଚକ୍ରବର୍ତ୍ତୀ ୩୧ ରନ ବିନିମୟରେ ୩ଟି ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.