ପୁରୁଷ ଏବଂ ମହିଳା କ୍ରିକେଟରେ, କଣ ରହିଥାଏ ପାର୍ଥକ୍ୟ ? କେଉଁ କ୍ଷେତ୍ରରେ ହୋଇଥାଏ ଭିନ୍ନ ?

Published By : Prameya-News7 Bureau | October 07, 2024 IST

ମହିଳା ଟି-୨୦ ବିଶ୍ୱକପ ୨୦୨୪ । ଦୁବାଇରେ ଖେଳାଯାଉଛି ଏହି ଓ୍ବାର୍ଲକପ୍ । ଟୁର୍ନାମେଣ୍ଟରେ ଟିମ୍ ଇଣ୍ଡିଆ ସମେତ ମୋଟ ୧୦ଟି ଟିମ୍, ଟ୍ରଫି ପାଇଁ କରୁଛନ୍ତି ଜୋରଦାର ଲଢେଇ । କିନ୍ତୁ ଜାଣନ୍ତି କି ପୁରୁଷ ଏବଂ ମହିଳା କ୍ରିକେଟରେ କଣ ରହିଥାଏ ପାର୍ଥକ୍ୟ ? କେଉଁ କ୍ଷେତ୍ରରେ ଏହା ଭିନ୍ନ ହୋଇଥାଏ ? ଜାଣି ଆଶ୍ଚର୍ଯ୍ୟ ହେବେ ମହିଳା ଏବଂ ପୁରୁଷ କ୍ରିକେଟରେ କେବଳ ଚୌକା-ଛକାର ଫରକ ନଥାଏ ବରଂ ବଲ୍ ଠାରୁ ବାଉଣ୍ଡ୍ରି ଯାଏଁ ସବୁ ହୋଇଥାଏ ଭିନ୍ନ । 

ମହିଳା କ୍ରିକେଟରେ ବ୍ୟବହାର ହେଉଥିବା ବଲ୍‌ର ଓଜନ କମ ହୋଇଥାଏ । ଏହି ବଲ୍‌ର ଓଜନ ୧୪୦ରୁ ୧୫୧ ଗ୍ରାମ ମଧ୍ୟରେ ହୋଇଥାଏ । ଯେତେବେଳେ କି, ପୁରୁଷ କ୍ରିକେଟର ବଲର ଓଜନ ୧୫୬ରୁ ୧୬୩ ଗ୍ରାମର ହୋଇଥାଏ । ଅନ୍ୟପଟେ ମହିଳା କ୍ରିକେଟରେ ବ୍ୟବହାର ହେଉଥିବା ବଲ୍‌ର ପରିଧି ୨୧.୦ ସେମିରୁ ୨୨.୫ ସେମି ପର୍ଯ୍ୟନ୍ତ ରହିଥାଏ । କିନ୍ତୁ ପୁରୁଷ କ୍ରିକେଟରେ ବଲର ପରିଧି ୨୨.୪ରୁ ୨୨.୯ ସେମି ମଧ୍ୟରେ ରହିବା ଜରୁରୀ ହୋଇଥାଏ ।

ବଲ୍‌ ବ୍ୟତୀତ ମହିଳା କ୍ରିକେଟ୍ ଏବଂ ପୁରୁଷ କ୍ରିକେଟରେ ବାଉଣ୍ଡ୍ରି ମଧ୍ୟରେ ମଧ୍ୟ ପାର୍ଥକ୍ୟ ରହିଥାଏ । ମହିଳା କ୍ରିକେଟରେ ବାଉଣ୍ଡ୍ରି ୫୫ ରୁ ୬୫ମିଟର ମଧ୍ୟରେ ରହିଥାଏ । ସେହିପରି ପୁରୁଷ କ୍ରିକେଟରେ ବାଉଣ୍ଡ୍ରି ଲମ୍ବ ୬୦ ରୁ ୯୦ ମିଟର ପର୍ଯ୍ୟନ୍ତ ହୋଇଥାଏ ।

ତେବ ମହିଳା ଏବଂ ପୁରୁଷ କ୍ରିକେଟରଙ୍କ ବ୍ୟାଟ୍‌ ପାଇଁ ଆଇସିସି ନିୟମ ତିଆରି କରିଛି । ଏଥିରେ ବ୍ୟାଟ୍ ନିୟମରେ କୌଣସି ପାର୍ଥକ୍ୟ କରାଯାଇନି । କିନ୍ତୁ ମହିଳା ଖେଳାଳିମାନେ ପୁରୁଷଙ୍କ ଅପେକ୍ଷା ହାଲୁକା ବ୍ୟାଟ୍ସରେ ଖେଳିଥାନ୍ତି । 

ନିୟମ ଅନୁଯାୟୀ ବ୍ୟାଟର ଲମ୍ବ ସର୍ବାଧିକ ୩୮ ଇଞ୍ଚ ଏବଂ ମୋଟେଇ ୪.୨୫ଇଞ୍ଚ ହୋଇଥାଏ । ବ୍ୟାଟର ଓଜନ ୧ କିଲୋ ୪ଗ୍ରାମର ହୋଇଥାଏ । କିନ୍ତୁ ଅଧିକାଂଶ ମହିଳା କ୍ରିକେଟର ପ୍ରାୟ ୧ କିଲୋ ୧୦ ଗ୍ରାମର ଓଜନର ବ୍ୟାଟ୍ସ ବ୍ୟବହାର କରନ୍ତି । ଅନ୍ୟପଟେ ପୁରୁଷ କ୍ରିକେଟରମାନେ ୧ କିଲୋ ୨୦ ଗ୍ରାମର ବ୍ୟାଟରେ ଖେଳିଥାନ୍ତି । 

ମହିଳା ଏବଂ ପୁରୁଷ ଟେଷ୍ଟ ମ୍ୟାଚ୍ ମଧ୍ୟରେ ମଧ୍ୟ ପାର୍ଥକ୍ୟ ଅଛି । ମହିଳା ଟେଷ୍ଟ ମ୍ୟାଚ୍ ୪ ଦିନର ହୋଇଥାଏ । କିନ୍ତୁ ପୁରୁଷ ଟେଷ୍ଟ ମ୍ୟାଚ୍ ୫ ଦିନ ପର୍ଯ୍ୟନ୍ତ ଚାଲିଥାଏ । ସେହିଭଳି ମହିଳା ଟେଷ୍ଟ ମ୍ୟାଚରେ ପ୍ରତିଦିନ ୧୦୦ ଓଭର ବୋଲିଂ କରିବାର ନିୟମ ରହିଛି । ପୁରୁଷ ଟେଷ୍ଟ ମ୍ୟାଚ୍ରେ ୯୦ ଓଭର ଖେଳିବାର ନିୟମ ରହିଛି । ମହିଳା ଟେଷ୍ଟ ମ୍ୟାଚରେ ୧୫୦ ରନ୍‌ ଅନ୍ତରରେ ଫଲୋଅନ୍‌ ନିୟମ ଲାଗୁ ହୋଇଥାଏ । ପୁରୁଷ ଟେଷ୍ଟ କ୍ରିକେଟରେ ଏଥିପାଇଁ ଅତିକମରେ ୨୦୦ ରନର ଅଗ୍ରଣୀ ରହିବା ଉଚିତ୍ । 

ତେବେ ମହିଳା ଟେଷ୍ଟ ମ୍ୟାଚରେ ଘଣ୍ଟାକରେ ହାରାହାରି ୧୭ ଓଭର ବୋଲିଂ କରିବାକୁ ପଡିଥାଏ । ଯାହା ପୁରୁଷ ଟେଷ୍ଟ ମ୍ୟାଚ ଠାରୁ ୨ ଓଭର ଅଧିକ  । ମହିଳା ଟେଷ୍ଟ ମ୍ୟାଚରେ ଗୋଟିଏ ଓଭର ପାଇଁ ହାରାହାରି ୩ ମିନିଟ୍‌ ୬ ସେକେଣ୍ଡ ସ୍ଥିର କରାଯାଇଥାଏ । କିନ୍ତୁ ପୁରୁଷ ମ୍ୟାଚରେ ହାରାହାରି ସମୟ ୪ ମିନିଟ୍ ହୋଇଥାଏ । ଏହାବ୍ୟତୀତ ପ୍ଲେୟରଙ୍କର ପଡ଼ିଆ ବାହାରେ ରହିବା ପାଇଁ ପେନାଲ୍ଟି ସମୟ ମଧ୍ୟ ଅଲଗା ରହିଥାଏ । ମହିଳା ଟେଷ୍ଟ ମ୍ୟାଚରେ ଏଥିପାଇଁ ସର୍ବାଧିକ ସମୟ ସୀମା ୧୧୦ ମିନିଟ୍ ସ୍ଥିର ହୋଇଛି । ପୁରୁଷ ମ୍ୟାଚରେ ଚଳିତଥର ୧୨୦ ମିନିଟ୍ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.