ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଯିବ କି ଟିମ୍ ଇଣ୍ଡିଆ ? ବଡ଼ ବୟାନ ଦେଲେ ପିସିବି ମୁଖ୍ୟ

Published By : Prameya-News7 Bureau | October 07, 2024 IST

ନୂଆଦିଲ୍ଲୀ: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନରେ ଖେଳାଯିବ। ତେବେ ଭାରତୀୟ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଯିବ କି ନାହିଁ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ। ଏହି କ୍ରମରେ ପାକିସ୍ତାନ କ୍ରିକେଟ୍ ବୋର୍ଡର ପ୍ରମୁଖ ମୋହସିନ ନକଭି କହିଛନ୍ତି, ଭାରତ ସହିତ ସମସ୍ତ ଦଳ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ପାକିସ୍ତାନ ଆସିବେ ଏଥିରେ କୌଣସି ସନ୍ଦେହ ନାହିଁ । ରାଜନୈତିକ ପ୍ରସଙ୍ଗ କାରଣରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଦୀର୍ଘ ବର୍ଷ ହେବ ଦ୍ଵିପାକ୍ଷିକ ସିରିଜ୍ ଖେଳା ଯାଇ ନାହିଁ। କେବଳ ଆଇସିସି ଓ ଏସୀୟ ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ମୁହାଁମୁହିଁ ହେଉଛନ୍ତି। ଏବେ ପାକିସ୍ତାନ ପାଖରେ ଚାମ୍ପିଅନ୍ସ ଟ୍ରଫି ଆୟୋଜନର ଅଧିକାର ରହିଛି। ତେଣୁ ଭାରତୀୟ ଦଳର ପାକିସ୍ତାନ ଯିବା ନେଇ ଆଶଙ୍କା ଦେଖା ଦେଇଛି।

ଗତ ବର୍ଷ ପାକିସ୍ତାନରେ ଏସିଆ କପ୍ ୨୦୨୩ ଆୟୋଜନ ହୋଇଥିଲା। ମାତ୍ର ଭାରତୀୟ ଦଳ ପାକିସ୍ତାନ ନ ଯିବାକୁ ଜିଦ୍ ଧରିବାରୁ ହାଇବ୍ରିଡ ମୋଡେଲ୍ ଆଧାରରେ ଟୁର୍ଣ୍ଣାମେଣ୍ଟ ଖେଳା ଯାଇଥିଲା। ଏଥର ବି ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହାଇବ୍ରିଡ ମୋଡେଲ୍ ଆଧାରରେ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି। କିନ୍ତୁ ପାକିସ୍ତାନ ଏଥିପାଇଁ ରାଜି ନ ଥିବା ପିସିବି ପକ୍ଷରୁ ପ୍ରକାଶ। 

ଲାହୋରରେ ଗଦ୍ଦାଫି ଷ୍ଟାଡିୟମରେ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ନକଭି କହିଛନ୍ତି, ଭାରତୀୟ ଦଳକୁ ନେଇ ମୋର ପୂର୍ଣ୍ଣ ଆଶା ରହିଛି। ଏ ପର୍ଯ୍ୟନ୍ତ ସେମିତି କିଛି ଘଟି ନାହିଁ ଯେଉଁ କାରଣରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ ବାତିଲ କରିବ। ଅନ୍ୟଥା ସମସ୍ତ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳିବା ପାଇଁ ପାକିସ୍ତାନ ଆସିବେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.