ଇଞ୍ଜିନିୟର ନହୋଇ ବନିଲେ କ୍ରିକେଟର, ଭାରତକୁ ଜିତାଇଲେ ବିଶ୍ୱକପ୍… ବୋଲିଂରେ 'ତେନ୍ଦୁଲକର'

Published By : Prameya-News7 Bureau | October 07, 2024 IST

ମୁମ୍ବାଇ ୦୭।୧୦ : ୨୦୧୧ରେ ଭାରତ ଜିତିଥିଲା ଦିନିକିଆ ବିଶ୍ୱକପ୍‌ ଟ୍ରଫି । ଦୀର୍ଘ ୨୮ ବର୍ଷ ପରେ କୋଟି କୋଟି ଭାରତୀୟ ଫ୍ୟାନ୍ସଙ୍କ ଆସିଥିଲା ବିଶ୍ୱକପ୍‌ ବିଜୟର ଖୁସି । ପୂରା ବିଶ୍ୱକପ୍‌ରେ ଦମ୍‌ଦାର ପ୍ରଦର୍ଶନ ଲାଗି ଯୁବରାଜ ସିଂହଙ୍କୁ ମ୍ୟାନ୍‌ ଅଫ୍‌ ଦ ଟୁର୍ଣ୍ଣାମେଣ୍ଟର ପୁରସ୍କାର ଦିଆଯାଇଥିଲା । ହେଲେ ଏହି ବିଜୟରେ ଆଉ ଜଣେ ହିରୋଙ୍କୁ ଆମେ ସମସ୍ତେ ଭୁଲିଯାଉଛେ । ଆଉ ସେ ହେଉଛନ୍ତି ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଜାହିର ଖାନ୍‌ । ୨୦୧୧ ବିଶ୍ୱକପ୍‌ରେ ଜାହିର ଖାନ୍‌ ସର୍ବାଧିକ ୨୧ଟି ଓ୍ୱିକେଟ୍‌ ନେଇଥିଲେ । ୭ ଅକ୍ଟୋବର ୨୦୨୪ ମାନେ ଆଜି ଜାହିର ଖାନ୍‌ ୪୬ ବର୍ଷରେ ପାଦ ଥାପିଛନ୍ତି । 

ଜାହିର ଖାନ୍‌ ଭାରତୀୟ ବୋଲିଂ ୟୁନିଟର ସଚ୍ଚିନ ତେନ୍ଦୁଲକର ଥିଲେ । ଅଧିନାୟକ ବଦଳିଥିଲେ, ସମୟ ବି ବଦଳିଥିଲା । ହେଲେ ଏହି ବୋଲରଙ୍କ ଟିମ୍‌ ପ୍ରତି ଥିବା ନିଜର ରଣକୌଣଳ କେବେବି ବଦଳିନଥିଲା । ଅନେକ ବର୍ଷ ଧରି ବୋଲିଂ ୟୁନିଟର ପ୍ରମୁଖ ଅସ୍ତ୍ର ଥିଲେ ଜାହିର ଖାନ୍‌ । ଜଣେ ବୋଲର ଭାବେ ସୁଇଂ, ରିଭର୍ସ ସୁଇଂ ପରି ଜାଦୁର କ୍ଷମତା ଥିଲା ଜାହିରଙ୍କ ହାତରେ । ଯାହାକୁ ଫ୍ୟାନ୍ସ ଏବେ ମିସ୍‌ କରୁଛନ୍ତି । 

ମହାରାଷ୍ଟ୍ରର ଶ୍ରୀରାମପୁରରେ ୧୯୭୮ ମସିହାରେ ଜାହିର ଖାନ୍‌ ବା ଜାକ୍‌ଙ୍କ ଜନ୍ମ । ପାଠ ପଢାରେ ବି ଜାହିର ଥିଲେ ଆଗରେ । ପିଲାବେଳୁ ଇଞ୍ଜିନିୟର ହେବାକୁ ଇଚ୍ଛା ଥିଲା । ହେଲେ ଭାଗ୍ୟରେ କିଛି ଅଲଗା ଲେଖାଥିଲା । ଇଞ୍ଜିନିୟର ହେବା ବଦଳରେ ୨୨ ଗଜ କ୍ରିଜ୍‌ରେ ଥାପିଲେ ପାଦ । ଆଉ ଧୀରେ ଧୀରେ ଆରମ୍ଭ ହେଲା କ୍ରିକେଟର କ୍ୟାରିୟର । ୧୪ ବର୍ଷର କ୍ରିକେଟ୍‌ କ୍ୟାରିୟରରେ ଭାରତ ପାଇଁ ଅନେକ ମ୍ୟାଚ୍‌ରେ ଟ୍ରମ୍ପକାର୍ଡ ସାଜିଛନ୍ତି ଜାହିର ଖାନ୍‌ । ମୋଟ ୯୨ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୧୧ଟି ଓ୍ୱିକେଟ୍‌ ନେଇଥିବା ବେଳେ ୨୦୦ଟି ଦିନିକିଆ ମ୍ୟାଚ୍‌ ଖେଳି ୨୮୨ଟି ଓ୍ୱିକେଟ୍‌ ନେଇଛନ୍ତି । ବାକି ୧୭ଟି ଟି-୨୦ ମ୍ୟାଚ୍‌ ଖେଳି ନେଇଛନ୍ତି ୧୭ଟି ଓ୍ୱିକେଟ୍‌ । ସେହିପରି ୧୦୦ଟି ଆଇପିଏଲ୍ ମ୍ୟାଚ୍‌ ଖେଳି ୧୦୨ଟି ଓ୍ୱିକେଟ୍‌ ନେଇଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.