ଭାରତ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ, ୧୦୦ ଅଧିକ ବିଦେଶୀ Apps ବ୍ଲକ୍

Published By : Prameya-News7 Bureau | February 20, 2025 IST

ନୂଆଦିଲ୍ଲୀ ୨୦।୨: ଭାରତ ସରକାର ଗୁଗଲ ପ୍ଲେ ଷ୍ଟୋରଙ୍କୁ ୧୧୯ ବିଦେଶୀ ଆପସ୍ କୁ ବ୍ଲକ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଅଧିକାଂଶ ଭିଡିଓ ଏବଂ ଭଏସ୍ ଚାଟ୍ ଥିବା ବେଳେ ଏ ଗୁଡ଼ିକ ଚୀନ ଓ ହଂକଂ ସହିତ ସମ୍ପର୍କିତ। ମିନିଷ୍ଟ୍ରି ଅଫ ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନଫର୍ମେସନ ଟେକ୍ନୋଲଜି ଆଇଟି ଆକ୍ଟର ଧାରା ୬୯-ଏ ରେ ଏ ନେଇ ଆଦେଶ ଜାରି କରିଛନ୍ତି। ଆଇନର ଏହି ଧାରା ସରକାରଙ୍କୁ ଏପରି କଣ୍ଟେଣ୍ଟ ଅଥବା ପ୍ଲାଟଫର୍ମକୁ ବ୍ଲକ୍ କରିବାକୁ ଅଧିକାର ଦେଇଥାଏ ଯାହା ଜାତୀୟ ସୁରକ୍ଷା ପାଇଁ ବିପଦଜନକ ହୋଇଥାଏ। 

ସରକାର ଗୁଗଲ ପ୍ଲେ ଷ୍ଟୋରଙ୍କୁ ଯେଉଁ ସବୁ ଆପସ୍ କୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସେଥିରେ କିଛି ସିଙ୍ଗାପୁର, ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆ ଆଦି ଦେଶଙ୍କ ସହ ସମ୍ପର୍କିତ। ମନି କଣ୍ଟ୍ରୋଲ ଅନୁସାରେ ସରକାରଙ୍କ ଆଦେଶ ସତ୍ତ୍ୱେ ଏ ପର୍ଯ୍ୟନ୍ତ ୧୧୯ ଆପସ୍ ମଧ୍ୟରୁ ମାତ୍ର ୧୫ଟିକୁ ହଟାଯାଇଛି। ବାକି ଆପ୍ ଗୁଡିକ ଏବେବି ଡାଉନଲୋଡ ପାଇଁ ଉପଲବ୍ଧ ହେଉଛି। ଏଥିମଧ୍ୟରୁ କିଛି ଆପସ୍ ର ଡେଭଲପର କହିଛନ୍ତି ଯେ ସେମାନଙ୍କୁ ଏ ସମ୍ପର୍କରେ ଗୁଗଲରୁ ସୂଚନା ମିଳିଛି ଓ ସେମାନେ ପ୍ରସଙ୍ଗରେ ଭାରତ ସରକାରଙ୍କ ସହ କାମ କରିବାକୁ ପ୍ରସ୍ତୁତ। 

ବ୍ଲକ୍ ହୋଇଥିବା ଆପ୍ ଗୁଡିକ ମଧ୍ୟରେ ‘ଚାଙ୍ଗ ଆପ୍’, ‘ହନି କ୍ୟାମ’ ଓ ‘ଚିଲ ଚାଟ୍’ ଭଳି ଆପସ୍ ଅଛନ୍ତି। ରିପୋର୍ଟ ଅନୁସାରେ ଅନେକ ଡେଭଲପର ସେମାନଙ୍କୁ ଏ ସମ୍ପର୍କରେ ଗୁଗଲରୁ ସୂଚନା ମିଳିଥିବା କହିଛନ୍ତି। ତେବେ ସେମାନେ ଏ ସମ୍ପର୍କରେ ଅଧିକ ସ୍ପଷ୍ଟିକରଣ ଚାହୁଁଛନ୍ତି। ସେମାନଙ୍କ କହିବା କଥା ହେଉଛି ଭାରତ ସରକାରଙ୍କ ଏହି ଆଦେଶ ଯୋଗୁ ସେମାନଙ୍କ ବିଜନେସ୍ ସହିତ ୟୁଜର୍ସଙ୍କ ଉପରେ ମଧ୍ୟ ବଡ଼ ପ୍ରଭାବ ପଡିବ। ତେବେ ଏମାନଙ୍କ ମଧ୍ୟରୁ କେତେକ ଭାରତ ସରକାରଙ୍କ ସହ କାମ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। 

୨୦୨୦ ମସିହାରେ ଚୀନ୍ ସହ ବିବାଦ ବଢିବା ଯୋଗୁ ଭାରତ ସରକାର ଚାଇନିଜ୍ ଆପସ୍ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରିଥିଲେ। ସରକାର ଅଲଗା ଅଲଗା ସମୟରେ ଆଦେଶ ଜାରି କରି ୧୦୦ରୁ ଅଧିକ ଚୀନ୍‌ ଆପ୍ ନିଷିଦ୍ଧ କରିଦେଇଥିଲେ। ଏଥିରେ ଟିକ୍ ଟକ୍, ୟୁସି ବ୍ରାଉଜର, ପବଜୀ ଆଦି ଆପ୍ ବନ୍ଦ ହୋଇଯାଇଥିଲା। ତେବେ ଏଥିରୁ ଏବେ କେତେକ ପୁଣି ପ୍ଲେ ଷ୍ଟୋରକୁ ଫେରିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.