ନୂଆଦିଲ୍ଲୀ: ଭାରତ ଫେରୁଛନ୍ତି ଆମେରିକାରେ ଥିବା ବେଆଇନ ପ୍ରବାସୀ । ଦ୍ବିତୀୟ ପର୍ଯ୍ୟାୟରେ ୧୧୯ଜଣଙ୍କୁ ଧରି ବିମାନ ଉଡ଼ାଣ ଭରିଛି । ରାତି ପ୍ରାୟ ୧୦ଟା ବେଳେ ଅମୃତସର ବିମାନ ବନ୍ଦରରେ ପ୍ରବାସୀଙ୍କୁ ନେଇ ଆସୁଥିବା ଫ୍ଲାଇଟ୍ ଅବତରଣ କରିବ । ସୂଚନା ଅନୁଯାୟୀ ତୃତୀୟ ପର୍ଯ୍ୟାୟ ବିମାନ ଫେବ୍ରୁଆରୀ ୧୬ ତାରିଖରେ ବାହାରିବ । ଏଥିରେ ୧୫୭ଜଣ ବେଆଇନ ପ୍ରବାସୀ ଫେରିବାର ସମ୍ଭାବନା ରହିଛି । ଭାରତକୁ ଫେରିବାକୁ ଥିବା ପ୍ରବାସୀଙ୍କ ମଧ୍ୟରେ ହରିୟାଣାରୁ ୫୯ଜଣ, ପଞ୍ଜାବରୁ ୫୨, ଗୁଜରାଟରୁ ୩୧ଜଣ ରହିଛନ୍ତି ।
ସେପଟେ ପଞ୍ଜାବରେ ପ୍ରବାସୀଙ୍କୁ ଅବତରଣ ନେଇ ରାଜନୈତିକ ବୟାନ ବାଜି ଆରମ୍ଭ ହୋଇଛି । ଅମୃତସର ବିମାନ ବନ୍ଦରରେ କାହିଁକି ଆମେରିକୀୟ ବିମାନ ଲ୍ୟାଣ୍ଡିଂ କରୁଛି । ଏନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ । ସେ କେନ୍ଦ୍ର ସରକାରଙ୍କୁ ସିଧା ସିଧା ଟାର୍ଗେଟ୍ କରିଛନ୍ତି । ପଞ୍ଜାବକୁ ବଦନାମ କରିବାକୁ କେନ୍ଦ୍ର ସରକାର ଚେଷ୍ଟା ଚଳାଇଛନ୍ତି । ତେଣୁ ବେଆଇନ ପ୍ରବାସୀଙ୍କୁ ନେଇ ଆସୁଥିବା ବିମାନକୁ ଅମୃତସର ବିମାନ ବନ୍ଦରରେ ଅବତରଣ କରିବାକୁ ଅନୁମତି ଦେଉଛନ୍ତି ବୋଲି ସିଏମ୍ ମାନ୍ କହିଛନ୍ତି ।
ଆମେରିକା ସରକାର ବେଆଇନ ପ୍ରବାସୀଙ୍କ ଉପରେ ଆକ୍ସନ ନେଇଛନ୍ତି । ଦେଶ ଅବୈଧ ଭାବେ ରହୁଥିବା ପ୍ରବାସୀଙ୍କୁ ଚିହ୍ନଟ କରି ବିଦା କରାଯାଉଛି । ତେବେ ଫେବ୍ରୁଆରୀ ୫ ତାରିଖରେ ଆମେରିକାରୁ ପ୍ରଥମ ପର୍ଯ୍ୟାୟରେ ୧୦୪ ପ୍ରବାସୀ ଭାରତ ଫେରିଛନ୍ତି । ଅନ୍ୟପଟେ ଆମେରିକାରୁ ଦ୍ବିତୀୟ ବିମାନ ଭାରତୀୟ ପ୍ରବାସୀଙ୍କୁ ଅମୃତସର ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।