ନୂଆଦିଲ୍ଲୀ ୧୧।୧: ଭାରତୀୟ ମୁଦ୍ରା ସର୍ବକାଳୀନ ନିମ୍ନ ସ୍ତରକୁ ପହଞ୍ଚିଛି। ୧୦ ଜାନୁୟାରୀ ଶୁକ୍ରବାର ଗୋଟିଏ ଡଲାରର ମୂଲ୍ୟ ଭାରତୀୟ ଟଙ୍କାରେ ୮୫.୯୭ଟଙ୍କାକୁ ପହଞ୍ଚିଥିବା ବେଳେ ୧୧ ଜାନୁୟାରୀ ଶନିବାର ଏହା ୮୬.୨୦ ଟଙ୍କାକୁ ପହଞ୍ଚି ଯାଇଛି। ଯାହା ଭାରତୀୟ ମୁଦ୍ରାର ଐତିହାସିକ ନିମ୍ନ ସ୍ତର ବୋଲି ଏବେ କୁହାଯାଉଛି। ଏହା ଲଗାତାର ଚତୁର୍ଥ ଦିନ ଯେତେବେଳେ ଟଙ୍କା ତାର ପିଛିଲା ରେକର୍ଡ ନିମ୍ନ ସ୍ତରରୁ ଆହୁରି ତଳକୁ ଖସିଛି। ଲଗାତାର ୧୦ ସପ୍ତାହ ହେଲା ଟଙ୍କା ମୂଲ୍ୟ ନିୟମିତ ହ୍ରାସ ହୋଇ ଚାଲିଛି।
ଟଙ୍କା ଉପରେ ଚାପ ବୃଦ୍ଧିର ସବୁଠୁ ବଡ଼ କାରଣ ହେଉଛି ଡଲାର ମଜଭୁତ ହେବା ଓ କ୍ୟାପିଟାଲ ଫ୍ଲୋ କମଜୋର ହେବା। ଉଲ୍ଲେଖଯୋଗ୍ୟ ଯେ ଡଲାର ଇଣ୍ଡେକ୍ସ ୧୦୯ ଉପରେ ସ୍ଥିର ରହିଛି, ଯାହା ପାଖାପାଖି ୨ ବର୍ଷର ସବୁଠୁ ଉଚ୍ଚତମସ୍ତରର ନିକଟତର। ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ଙ୍କ ନିର୍ଦ୍ଦେଶାନୁସାରେ କିଛି ସରକାରୀ ବ୍ୟାଙ୍କ ଡଲାର ବିକ୍ରି କରିଛନ୍ତି, ଫଳରେ ଟଙ୍କାର ମୂଲ୍ୟ ହ୍ରାସ ସୀମିତି କରିବାରେ ସହାୟତା ମିଳିଥିଲା।
रुपए में रिकॉर्ड गिरावट 👇🏼
— Indian Youth Congress (@IYC) January 11, 2025
1 डॉलर = 86.20 रुपए pic.twitter.com/4lZ0t5CmP2
ମିରାଏ ଆସେଟ୍ ଶେୟାରଖାନ ରିସର୍ଚ୍ଚ ଆନାଲିଷ୍ଟ ଅନୁଜ ଚୌଧୁରୀ କହିଛନ୍ତି ଯେ ଭବିଷ୍ୟତରେ ମଧ୍ୟ ଟଙ୍କା ଉପରେ ଚାପ ରହିବ। ସେ କହିଛନ୍ତି ଯେ ଘରୋଇ ବଜାରର ଦୁର୍ବଳ ସ୍ଥିତି, ମଜଭୁତ ଡଲାର ଓ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫଆଇଆଇ)ଙ୍କ ଲଗାତାର ନିଷ୍କାସନ ଟଙ୍କା ଉପରେ ଋଣାତ୍ମକ ପ୍ରଭାବ ପକାଉଛି। ଏହା ଛଡା ଅଶୋଧିତ ତୈଳର ମୂଲ୍ୟବୃଦ୍ଧି ସାଙ୍ଗକୁ ଆମେରିକୀୟ ଟ୍ରେଜରୀ ଇଲ୍ଡର ଅଭିବୃଦ୍ଧି ଟଙ୍କା ଉପରେ ଋଣାତ୍ମକ ପ୍ରଭାବ ପକାଇବ।
ଡଲାରର ମଜଭୁତ ହେବା ଓ ବୈଶ୍ୱିକ ଆର୍ଥିକ ଅନିଶ୍ଚିତତା ଭଳି ଲଗାତାର ଆହ୍ୱାନ ମଧ୍ୟରେ ଟଙ୍କା ଉପରେ ଏବେ ଭୀଷଣ ଚାପ ପଡୁଛି। ତେବେ ଆରବିଆଇଙ୍କ ନିୟମିତ ହସ୍ତକ୍ଷେପ ଯୋଗୁ ଟଙ୍କାର ଦର ହ୍ରାସକୁ କିଛି ପରିମାଣରେ ନିୟନ୍ତ୍ରିତ କରାଯାଇ ପାରିଛି। ବିଶେଷଜ୍ଞଙ୍କ ଅନୁସାରେ ଏବେର ବୈଶ୍ୱିକ ଆର୍ଥିକ ପରିସ୍ଥିତି ଓ ଘରୋଇ କାରଣ ଯୋଗୁ ଭାରତୀୟ ଟଙ୍କାର ସ୍ଥିତି ଦୁର୍ବଳ ରହିପାରେ।