ପେଟ୍ରୋଲିୟମ, ରତ୍ନ ପଥର, ଚିନି ରପ୍ତାନୀ କ୍ଷେତ୍ରରେ ଭାରତର ଦବଦବା; ୫ ବର୍ଷରେ ରେକର୍ଡ ସଂଖ୍ୟକ ଏକ୍ସପୋର୍ଟ

Published By : Prameya-News7 Bureau | November 06, 2024 IST

ନୂଆଦିଲ୍ଲୀ: ରପ୍ତାନୀ କ୍ଷେତ୍ରରେ ବଢ଼ୁଛି ଭାରତର ଦକ୍ଷତା । ବିଗତ ୫ ବର୍ଷରେ ପେଟ୍ରୋଲିୟମ, ରତ୍ନ ପଥର, ଆଗ୍ରୋକେମିକାଲ୍ସ, ଚିନି ଇତ୍ୟାଦି ଉତ୍ପାଦ ରପ୍ତାନୀ କରି ଗ୍ଲୋବାଲ ମାର୍କେଟରେ ଶୀର୍ଷରେ ପହଞ୍ଚିଛି ଦେଶ। ବାଣିଜ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ୨୦୨୩ରେ ପେଟ୍ରୋଲିୟମ ଉତ୍ପାଦ ରପ୍ତାନୀ ୮୪.୯୬ ବିଲିୟନ ଡଲାରକୁ ବୃଦ୍ଧି ହୋଇଛି । ଏହା ସହ ଭାରତ ପେଟ୍ରୋଲିୟମ ରପ୍ତାନୀରେ ବିଶ୍ବ ବଜାରରେ ୫ମ ସ୍ଥାନରୁ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି। ବଡ଼ କଥା ହେଉଛି ୨୦୧୮ରେ ଏହି କ୍ଷେତ୍ରରେ ୬.୪୫ % ଭାରତର ସେୟାର ୨୦୨୩ରେ ୧୨. ୫୯କୁ ବୃଦ୍ଧି ହୋଇଛି। 

ସେହିଭଳି ମୂଲ୍ୟବାନ ରତ୍ନ ରପ୍ତାନୀରେ ବି ବଡ଼ ସଫଳତା ମିଳିଛି । ୨୦୨୩ରେ ବିଶ୍ବ ବଜାରରେ ଭାରତର ସେୟାର ୩୬.୫୩%କୁ ବଢ଼ିବା ସହ ଭାରତ ଏହି ସେକ୍ଟରରେ ଟପ୍‌ ରାଙ୍କରେ ରହିଛି। ସେହିଭଳି ୨୦୨୩ରେ ଚିନି ରପ୍ତାନୀ ୩.୭୨ ବିଲିୟନ ଡଲାର ହୋଇଛି, ଯାହା ୨୦୧୮ରେ ୦.୯୩ ବିଲିୟନ ଡଲାର ରହିଥିଲା । ଏହି କ୍ଷେତ୍ରରେ ଭାରତର ସେୟାର ୪.୧୭%ରୁ ୧୨.୨୧%କୁ ବଢ଼ିଛି। ଫଳରେ ଭାରତ ବିଶ୍ବରେ ଦ୍ବିତୀୟ ବୃହତ୍ତମ ଚିନି ରପ୍ତାନୀକାରୀ ଦେଶ ହୋଇଛି। 

କେବଳ ସେତିକି ନୁହେଁ ଅନ୍ୟ ଉଦ୍ୟୋଗଗୁଡ଼ିକରେ ମଧ୍ୟ ରପ୍ତାନୀରେ ବୃଦ୍ଧି ରେକର୍ଡ ହୋଇଛି।  ୨୦୧୮ରୁ ୨୦୨୩ ମଧ୍ୟରେ ଇଲେକ୍ଟ୍ରିକାଲ ସାମଗ୍ରୀ, ନ୍ୟୁମେଟିକ ଟାୟାର, ଟ୍ୟାପ, ଭାଲ୍ଭ ଏବଂ ସେମିକଣ୍ଡକ୍ଟର ଡିଭାଇସ ଉଦ୍ୟୋଗରେ ମଧ୍ୟ ବେଶ୍ ଭଲ ବୃଦ୍ଧି ଦେଖିବାକୁ ମିଳିଛି। 

କୀଟନାଶକ ଏବଂ ରାସାୟନିକ ସାର ରପ୍ତାନୀରେ ରପ୍ତାନୀ ୪.୩୨%କୁ ପହଞ୍ଚିଛି। ୨୦୧୮ରେ ଥିବା ୧.୮୨ ବିଲିୟନ ଡଲାର ଥିବା ରବର ଟାୟାର ରପ୍ତାନୀ, ୨୦୨୩ରେ ୨.୬୬ ବିଲିୟନ ଡଲାରରେ ପହଞ୍ଚି। ଏହି କ୍ଷେତ୍ରରେ ଭାରତ ୧୩ରୁ ୮ମ ସ୍ଥାନକୁ ଖସିଛି। ସେହିଭଳି ସେମିକଣ୍ଡକ୍ଟର୍ସ ଏବଂ ଏହା ସହ ଜଡ଼ିତ ଟୁଲ୍ସ ରପ୍ତାନୀ ମଧ୍ୟ ୨୦୨୩ରେ ୧.୯୧ ବିଲିୟନ ଡଲାରରେ ପହଞ୍ଚିଛି। ଆଉ ଏହି କ୍ଷେତ୍ରରେ ଭାରତ ୯ମ ସ୍ଥାନରେ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.