ଭାରତର ବିରୋଧର ପ୍ରଭାବ ! ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ମ୍ୟାଚ୍‌ ପୂର୍ବରୁ ଭୁଲ୍ ସୁଧାରିଲା ପାକିସ୍ତାନ

Published By : Prameya-News7 Bureau | February 19, 2025 IST

ନୈଏସ୭

ନୂଆଦିଲ୍ଲୀ: ବହୁପ୍ରତୀକ୍ଷିତ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇ ଯାଇଛି। ଉଦଘାଟନୀ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଆୟୋଜକ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍ କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳାଯାଉଛି। ତେବେ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଉଦଘାଟନୀ ସମାରୋହରେ ସବୁ ଦେଶର ପତାକା ଲାଗିଥିବା ବେଳେ ଭାରତର ଜାତୀୟ ପତାକା ନ ଲାଗିବା ନେଇ ବିବାଦ ଦେଖା ଯାଇଥିଲା। ହାଇବ୍ରିଡ ମଡେଲ ଆଧାରରେ ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳୁଥିବାରୁ ପାକିସ୍ତାନ ଷ୍ଟାଡିୟମରେ ଭାରତୀୟ ପତାକା ଲଗା ଯାଇ ନ ଥିବା କୁହାଯାଇଥିଲା। ଏହାକୁ ନେଇ ଭାରତରେ ବିରୋଧର ସ୍ଵର ଉଠିଥିଲା। ଏହାକୁ ନେଇ ପିସିବିକୁ ସ୍ପଷ୍ଟୀକରଣ ମଧ୍ୟ ଦେବାକୁ ପଡ଼ିଥିଲା। ତେବେ ଆଜି ଉଦଘାଟନୀ ମ୍ୟାଚ୍‌ରେ ପିସିବି ନିଜର ଭୁଲ୍ ସୁଧାରିଛି। 

Also read: ବାବର ଆଜମଙ୍କୁ ପଛରେ ପକାଇଲେ ଭାରତୀୟ କ୍ରିକେଟର, ବନିଗଲେ ନମ୍ୱର-୧ ବ୍ୟାଟର

ଭାରତର ବିରୋଧର ପ୍ରଭାବ ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଉପରେ ପଡ଼ିଛି। ଆଉ ଏହାର ଚିତ୍ର ସାମ୍ନାକୁ ଆସିଥିବା ସଦ୍ୟତମ ଫଟୋରେ ଦେଖିବାକୁ ମିଳିଛି। ଆଜି କରାଚିର ନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଉଥିବା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମ୍ୟାଚ୍‌ରେ ଭାରତର ପତାକା ଉଡ଼ୁଥିବା ଫଟୋରେ ଦେଖିବାକୁ ମିଳିଛି। ଏହିପରି ଭାବେ ପିସିବି ନିଜର ଭଲ୍ ସୁଧାରିଛି। 

ଉଦଘାଟନୀ ମୁକାବିଲାରେ ଟସ୍ ଜିତି ପାକିସ୍ତାନ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି।  ବ୍ୟାଟିଂ କରୁଥିବା ନ୍ୟୁଜିଲାଣ୍ଡ ଖବର ଲେଖା ଯିବା ସୁଦ୍ଧା ୩ ଓ୍ଵିକେଟ୍ ହରାଇ ୨୩ ଓଭରରେ ୧୦୫ ରନ କରିଛି। ଓ୍ଵିଲ ୟଙ୍ଗ ଦମଦାର ଅର୍ଦ୍ଧଶତକ ହାସଲ କରି ୭୧ ରନ କରି ଅପରାଜିତ ଅଛନ୍ତି। ତାଙ୍କ ସହ ଓ୍ଵିକେଟ୍ କିପର ବ୍ୟାଟର  ଟମ ଲାଥମ(୧୦) ବ୍ୟାଟିଂ କରୁଛନ୍ତି। ଡେଭନ କନଓ୍ଵେ(୧୦), ଡାରିଲ ମିଚେଲ୍(୧୦) ଓ ଅଧିନାୟକ କେନ ଓ୍ଵିଲିୟମସନ(୧) ରନ କରି ଆଉଟ୍ ହୋଇଛନ୍ତି। ବୋଲିଂରେ ନସୀମ ଶାହ, ଅବରାର ଅହମ୍ମଦ ଓ ହାରିସ ରଉଫ ପ୍ରତ୍ୟେକ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। 

ସୂଚନାଯୋଗ୍ୟ, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନର କରାଚି ଷ୍ଟାଡିୟମରେ ଉଦଘାଟନୀ ସମାରୋହ ଆୟୋଜିତ ହୋଇଥିଲା। ଏହି ସମାରୋହରେ ଭାରତୀୟ ଜାତୀୟ ପତାକା ଲଗାଯାଇ ନ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା। ଯାହାକୁ ନେଇ ଭାରତୀୟ ପ୍ରଶଂସକ ସାମାଜିକ ଗଣମାଧ୍ୟମରେ ଖୁବ୍ ହଙ୍ଗାମା କରିଥିଲେ। ଏବେ ପାକିସ୍ତାନ ଏହି ପ୍ରସଙ୍ଗ ଏହା ଉପରେ ନିଜର ସ୍ପଷ୍ଟୀକରଣ ରଖିଥିଲା।

ପାକିସ୍ତାନ କ୍ରିକେଟ୍ ବୋର୍ଡ ଜଣାଇଥିଲା ଯେ, ଆଇସିସି ପକ୍ଷରୁ ଏହି ନିର୍ଦ୍ଦେଶ ଆସିଥିଲା ଯେ, ମ୍ୟାଚ୍ ଦିନ କେବଳ ଚାରୋଟି ପତାକା ରହିବ। ପୂରା ସମ୍ଭାବନା ଏହା ଯେ, ପାକିସ୍ତାନର ତିନୋଟି ଷ୍ଟାଡିୟମରେ ଭାରତର ପତାକା ଦେଖିବାକୁ ମିଳିବ ନାହିଁ। କାରଣ ଭାରତୀୟ ଦଳ ଗୋଟିଏ ବି ମ୍ୟାଚ୍ ପାକିସ୍ତାନରେ ଖେଳୁ ନାହିଁ। ପିସିବି ମୁଖପାତ୍ର କହିଥିଲେ, ଆଇସିସି ପରାମର୍ଶ ଦେଇଛି ଯେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ମ୍ୟାଚ୍ ଦିନ କେବଳ ୪ ପତାକା ଉଡ଼ିବ। ଆଇସିସି(ଇଭେଣ୍ଟ ଅଥରିଟି), ପିସିବି(ହୋଷ୍ଟ ଅଥରିଟି) ଓ ସେହି ଦିନ ମ୍ୟାଚ୍ ଖେଳୁଥିବା ଦୁଇ ଦଳର ପତାକା ଲାଗିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.