ବାଉନ୍ସର ଭୟ ଦେଖାଇ ବଳ ପୂର୍ବକ ୩୫୦ କର୍ମଚାରୀଙ୍କୁ ଛଟେଇ କଲା ଇନ୍‌ଫୋସିସ୍‌ ! ବିବାଦ ପରେ ଦେଲା ସଫେଇ

Published By : Prameya-News7 Bureau | February 07, 2025 IST

indiatoday

ନୂଆଦିଲ୍ଲୀ: ସପ୍ତାହକୁ ୭୦ ଘଣ୍ଟା କାମ କରିବାକୁ କହୁଥିବା ନାରାୟଣ ମୂର୍ତ୍ତୀଙ୍କ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ରେ କର୍ମଚାରୀ ଛଟେଇ ନେଇ ବିବାଦ ଆରମ୍ଭ ହୋଇ ଯାଇଛି। କିଛି ମିଡିଆ ରିପୋର୍ଟରେ କୁହାଯାଉଛି ଯେ କମ୍ପାନୀ ପାଖାପାଖି ୭୦୦ କର୍ମଚାରୀ ଛଟେଇ କରିଛି। ଆଉ କିଛି ମିଡିଆ ରିପୋର୍ଟରେ ୪୦୦ରୁ ୩୦୦ କର୍ମଚାରୀ ଛଟେଇ ହୋଇଥିବା କୁହାଯାଉଛି। ହେଲେ କମ୍ପାନୀ କହୁଛି ୩୫୦ରୁ ବି କମ୍ କର୍ମଚାରୀ ଛଟେଇ ହୋଇଛନ୍ତି। ପ୍ରଭାବିତ ହୋଇଥିବା ଅଧିକାଂଶ କର୍ମାଚାରୀ ୨୦୨୨ ବ୍ୟାଚ୍‌ର।  

୨୦୨୪ ଅକ୍ଟୋବର ମାସରେ ଏହି ସବୁ କର୍ମଚାରୀ ନିଯୁକ୍ତି ପାଇଥିଲେ। ମହୀଶୂର ଟ୍ରେନିଂ ସେଣ୍ଟରରେ ସେମାନଙ୍କୁ ଟ୍ରେନିଂ ଦିଆଯାଉଥିଲା। ତେବେ କର୍ମଚାରୀଙ୍କୁ ବଳ ପୂର୍ବକ ବାଉନ୍ସର ଭୟ ଦେଖାଇ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିବା ଛଟେଇ ହୋଇଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଘଟଣାକୁ ନେଇ ନାସେଣ୍ଟ ଇନଫରମେସନ ଟେକ୍ନୋଲୋଜୀ ଏମ୍ପ୍ଲୋଇ ସିନେଟ(NITES) ପକ୍ଷରୁ ଏହାକୁ କଡ଼ା ନିନ୍ଦା କରାଯାଇଛି। ଆଇଟି କର୍ମଚାରୀଙ୍କର ଏଭଳି ଶୋଷଣ ବିରୋଧରେ କେନ୍ଦ୍ର ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଏନଆଇଟିଇଏସ ଦାବି କରିଛି। 

ଛଟେଇ ହୋଇଥିବା କର୍ମଚାରୀଙ୍କ ଠାରୁ ପ୍ରତିକ୍ରିୟା ନେଇ ଇକୋନୋମିକ୍ସ ଟାଇମ୍ସ ପ୍ରକାଶ କରିଥିବା ରିପୋର୍ଟ ଅନୁସାରେ, ପାଖାପାଖି ୪୦୦ କର୍ମଚାରୀଙ୍କୁ ଗୋଟିଏ ବ୍ୟାଚ୍‌ରେ ଡକାଯାଇଥିଲା। ଯୋଗ୍ୟତା ପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ କରିବାରେ ବିଫଳ ହେବା ପରେ ସେମାନଙ୍କୁ ଅଲ୍‌ଟିମେଟମ ଲେଟର ଜାରି କରାଯାଇଥିଲା। 

ପଢନ୍ତୁ- ଦେଶରେ ୯୪% କମିଛି ମୋବାଇଲ୍ ଫୋନ୍ ଟାରିଫ୍; ଗୃହରେ ଉତ୍ତରେ ରଖିଲେ କେନ୍ଦ୍ରମନ୍ତ୍ରୀ

ବିବାଦ ବଢ଼ିବା ପରେ ଇନଫୋସିସ୍ କହିଛି “ଇନଫୋସିସ୍‌ରେ, ଆମର ଏକ କଠୋର ନିଯୁକ୍ତି ପ୍ରକ୍ରିୟା ଅଛି। ଯେଉଁଠାରେ ସମସ୍ତ ଫ୍ରେସର୍ସ, ଆମର ମହୀଶୂର କ୍ୟାମ୍ପସରେ ବ୍ୟାପକ ଭିତ୍ତିଭୂମି ତାଲିମ ନେବା ପରେ, ଇଣ୍ଟରନାଲ ଆସେସମେଣ୍ଟ(ଅନ୍ତରୀଣ ମୂଲ୍ୟାୟନ ପରୀକ୍ଷା) କ୍ଲିୟର କରିବାକୁ ପଡ଼ିଥାଏ। ସମସ୍ତ ନବନିଯୁକ୍ତଙ୍କୁ ଏହି ପରୀକ୍ଷା ପାସ୍ କରିବାକୁ ୩ ଥର ସୁଯୋଗ ଦିଆଯାଏ। ଫେଲ୍‌ ହେଲେ ସେମାନେ କମ୍ପାନୀ ସହ କାମ କରିବାର ଯୋଗ୍ୟ ବିବେଚିତ ହୋଇପାରନ୍ତି ନାହିଁ। ସେମାନଙ୍କ ନିଯୁକ୍ତି ଚୁକ୍ତିରେ ବି ଏହା ଉଲ୍ଲେଖ ରହିଛି। ଆମ ଗ୍ରାହକଙ୍କ ଉଚ୍ଚମାନର ପ୍ରତିଭା ଚୟନ ପାଇଁ ଆମ କମ୍ପାନୀରେ ଏହି ପ୍ରକ୍ରିୟା ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ରହି ଆସିଛି।” 

ରିପୋର୍ଟ ଅନୁଯାୟୀ, ଇନଫୋସିସ୍ ସିଷ୍ଟମ ଇଞ୍ଜିନିୟର (SE) ଏବଂ ଡିଜିଟାଲ୍ SE ପଦବୀ ପାଇଁ ଅଫର ଲେଟର ଦେବା ତାରିଖ ବୃଦ୍ଧି କରିବା ପରେ ସେହି ବର୍ଷର ବ୍ୟାଚ୍‌ର ପ୍ରାୟ ଦୁଇ ହଜାର ସ୍ନାତକହାସଲକାରୀ କର୍ମଚାରୀଙ୍କୁ ନିଯୁକ୍ତିରେ ବିଳମ୍ବ ହୋଇଥିଲା। ଏମାନଙ୍କୁ ବାର୍ଷିକ ଦରମା ୩.୨ ଲକ୍ଷ ଟଙ୍କାରୁ ୩.୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଫର କରାଯାଇଥିଲା।

ଏନଆଇଟିଇଏସ ଇକୋନୋମିକ୍ସ ଟାଇମ୍ସକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ, କମ୍ପାନୀ କର୍ମଚାରୀମାନଙ୍କୁ ଡରାଇବା ପାଇଁ ବାଉନ୍ସର ଏବଂ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରିଥିଲା। ଛଟେଇ ପ୍ରକ୍ରିୟାକୁ ଯେମିତି କର୍ମଚାରୀମାନେ ରେକର୍ଡ କରି ପାରିବେ ନାହିଁ ଏଥିପାଇଁ ସେମାନଙ୍କୁ ନିଜର ମୋବାଇଲ ଫୋନ୍ ରଖି ଦେଇ ଆସିବାକୁ କୁହାଯାଇଥିଲା। 

ଏନେଇ ଏନଆଇଟିଇଏସର ଅଧ୍ୟକ୍ଷ ହରପ୍ରୀତ ସିଂହ ସୁଲାଜା କହିଛନ୍ତି “ଆଜି, ସମ୍ପୂର୍ଣ୍ଣ ଅସମ୍ମାନଜନକ ଭାବରେ, ଇନଫୋସିସ୍ ଏହି କର୍ମଚାରୀମାନଙ୍କୁ ଏହାର ମହୀଶୂର କ୍ୟାମ୍ପସର ବୈଠକ କକ୍ଷକୁ ଡକାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଚାପ ପ୍ରୟୋଗ କରି "ମ୍ୟୁଚୁଆଲ ସେପାରସନ" ଲେଟରରେ ସାଇନ୍ କରିବାକୁ ବାଧ୍ୟ କରାଯାଇଛି।”

ପଢନ୍ତୁ- ମେକ୍ ଇନ୍ ଇଣ୍ଡିଆ, ଆତ୍ମନିର୍ଭର ଭାରତ ଏବଂ ନିଯୁକ୍ତି...୨୦୧୪ ପରଠୁ କେତେ ବଦଳିଛି ଭାରତ, ହିସାବ ଦେଲେ କେନ୍ଦ୍ରମନ୍ତ୍ରୀ

ତେବେ ସବୁଠାରୁ ବଡ଼ କଥା ହେଲା ପ୍ରଭାବିତ କର୍ମଚାରୀମାନଙ୍କୁ ସନ୍ଧ୍ୟା ସୁଦ୍ଧା କମ୍ପାନୀ ପରିସର ଛାଡିବାକୁ ଅଲଟିମେଟମ୍ ଦିଆଯାଇଛି ଏବଂ ସେମାନଙ୍କୁ କୌଣସି ସହାୟତା କିମ୍ବା ଚାକିରିରୁ ବିଚ୍ଛେଦ ପ୍ୟାକେଜ୍ ପ୍ରଦାନ କରାଯିବ ନାହିଁ ବୋଲି କୁହାଯାଇଥିବା ସାଲୁଜା ଅଭିଯୋଗ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଏନଆଇଟିଇଏସ ଏହି ସମ୍ପର୍କରେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛି। ଏବଂ ସରକାରଙ୍କୁ ହସ୍ତକ୍ଷେପ କରି ତୁରନ୍ତ ଏହି ମାମଲା ଉପରେ ବିଚାର କରିବାକୁ ଅନୁରୋଧ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.