ଡ୍ରାଇଭିଂ ଲାଇସେନ୍ସ ଏକ୍ସପାୟର ହୋଇଥିଲେ ବି ଦୁର୍ଘଟଣାର ଶିକାର ବାହନ ଚାଳକଙ୍କ ପରିବାରକୁ ବୀମା ପୈଠ ଲାଗି କମ୍ପାନୀ ବାଧ୍ୟ: ବମ୍ବେ ହାଇକୋର୍ଟ

Published By : Prameya-News7 Bureau | June 01, 2023 IST

ମୁମ୍ବାଇ ୧।୬: ବମ୍ବେ ହାଇକୋର୍ଟ ଏକ ଐତିହାସିକ ରାୟରେ ବୀମା କମ୍ପାନୀ ଦୁର୍ଘଟଣାର ଶିକାର ବ୍ଯକ୍ତିର ପରିବାରକୁ କ୍ଷତିପୂରଣ ଦେବାକୁ ଦାୟି ବୋଲି କହିଛନ୍ତି। ଏଥିରେ ଯଦି ଦୁର୍ଘଟଣାର ଶିକାର ଡ୍ରାଇଭରଙ୍କ ଲାଇସେନ୍ସ ଅବଧି ସମାପ୍ତ ହୋଇସାରିଥାଏ, ତାର ରିନ୍ୟୁଆଲ ନ ହୋଇଥାଏ ତଥାପି ମଧ୍ୟ କ୍ଷତିପୂରଣ ଦେବାକୁ ବାଧ୍ୟ ବୋଲି କହିଛନ୍ତି। କାରଣ ଡ୍ରାଇଭିଂ ଲାଇସେନ୍ସର ଅବଧି ସମାପ୍ତ ହୋଇଯାଇଥିଲେ ବି ସେ ଅଣକୁଶଳୀ ଡ୍ରାଇଭର ଥିଲେ ବୋଲି କୁହାଯାଇ ପାରିବନି ବୋଲି କୋର୍ଟ କହିଛନ୍ତି।

କୋର୍ଟଙ୍କ ଜଷ୍ଟିସ୍ ଏସ୍.ଜି.ଡିଗେଙ୍କ ଏକକ ବେଞ୍ଚ ଦ୍ୱାରା ଗୃହୀତ ଏକ ଆଦେଶରେ ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସ୍ୟୁରେନ୍ସ କମ୍ପାନୀ ଲିମିଟେଡକୁ ସେହି ମହିଳାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଯାହାଙ୍କର ନଭେମ୍ବର ୨୦୧୧ରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। କୋର୍ଟଙ୍କ ଏହି ଆଦେଶର କପି ଗୁରୁବାର ପ୍ରଦାନ କରାଯାଇଛି।

ଭାରତ ପେ ଠକେଇ ମାମଲାରେ ଅଶ୍ନିର ଗ୍ରୋଭରଙ୍କୁ ଝଟକା, ହାଇକୋର୍ଟରୁ ମିଳିଲାନି ଆଶ୍ୱସ୍ତି

କୋର୍ଟ କହିଛନ୍ତି ଯେ ବୀମା କମ୍ପାନୀ କ୍ଷତିପୂରଣ ରାଶି ଦୁର୍ଘଟଣାଗ୍ରସ୍ତ ବାହନର ମାଲିକଙ୍କ ଠାରୁ ପରେ ଅସୁଲ କରିପାରିବେ। କୋର୍ଟ ମହିଳାଙ୍କ ପରିବାର ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିଥିଲେ ଯେଉଁଥିରେ ମୋଟର ଆକ୍ସିଡେଣ୍ଟ କ୍ଲେମ ଟ୍ରିବ୍ୟୁନାଲ ଦ୍ୱାରା ଗୃହୀତ ଆଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା। ଏହି ଆଦେଶରେ ବୀମା କମ୍ପାନୀଙ୍କୁ କ୍ଷତିପୂରଣ ପୈଠ କରିବାରୁ ରିହାତି ଦିଆଯାଇଥିଲା। କାରଣ ଦୁର୍ଘଟଣାଗ୍ରସ୍ତ ବାହନର ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ସମାପ୍ତ ହୋଇସାରିଥିଲା। ତେବେ ଟ୍ରିବ୍ୟୁନାଲ ଟ୍ରକ ମାଲିକଙ୍କୁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।

ବମ୍ବେ ଉଚ୍ଚ ନ୍ୟାୟାଳୟ ମାମଲାରେ କହିଛନ୍ତି ଯେ ଟ୍ରିବ୍ୟୁନାଲଙ୍କ ବିଚାର ଏକପାଖିଆ ଥିଲା ଓ ଏହା ଉପରେ ବିଚାର କରିନଥିଲା। ଏଣୁକ୍ଲେମ୍‌ ଖାରଜ କରିବାକୁ ଆଦେଶ ଦେଇଥିଲେ। ଏଣୁ ବୀମା କମ୍ପାନୀ ମୃତକଙ୍କ ପରିବାରଙ୍କୁ ୬ ସପ୍ତାହ ମଧ୍ୟରେ କ୍ଷତିପୂରଣ ପ୍ରଦାନ କରିବାକୁ ଓ ଏହି ରାଶି ବାହନ ମାଲିକଙ୍କଠାରୁ ଅସୁଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.