ନୂଆଦିଲ୍ଲୀ: ସଂସଦରେ ଧସ୍ତାଧସ୍ତି ଘଟଣାରେ ବିଜେପି ଲଗାତାର ଭାବେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଆସୁଛି। ବିଜେପି ଅଭିଯାଗ ଆଣିଛି ଯେ, ରାହୁଲ ଗାନ୍ଧୀ ରାଗରେ ସାଂସଦ ମୁକେଶ ରାଜପୁତଙ୍କୁ ଧକ୍କା ଦେଇଥିଲେ। ଏହି କାରଣରୁ ସେ ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ପଡ଼ିଯାଇଥିଲେ। ଫଳରେ ଦୁଇ ଜଣକୁ ଆଘାତ ଲାଗିଥିଲା। ଦୁଇ ସାଂସଦ ଏପର୍ଯ୍ୟନ୍ତ ସୁସ୍ଥ ହୋଇନାହାଁନ୍ତି।
ଆଉ ଏବେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଘଟଣାରେ କଂଗ୍ରେସ ନେତାଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବିଜେପି ସାଂସଦ ଏବଂ ଇଣ୍ଡି ମେଣ୍ଟର ସାଂସଦଙ୍କ ମଧ୍ୟରେ ସଂସଦରେ ଧସ୍ତାଧସ୍ତି ସମୟରେ ରାହୁଲ ଗାନ୍ଧୀ ବାଉନ୍ସରଙ୍କ ଭଳି ବ୍ୟବହାର କରୁଥିଲେ। ସେ ସେଠାରେ ଲୋକଙ୍କୁ ଧକ୍କା ଦେଉଥିଲେ। ଏହି କାରଣରୁ ବିଜେପିର ଦୁଇ ସାଂସଦ ଆହତ ହୋଇଛନ୍ତି।
ସେ ଆହୁରି କହିଛନ୍ତି ‘ଆହତ ହୋଇଥିବା ଦୁଇ ସାଂସଦଙ୍କ ସହ କଥା ହୋଇଛି। ସେମାନେ କହିଛନ୍ତି ରାହୁଲ ଗାନ୍ଧୀ ସେଠାରେ ବାଉନ୍ସର ଭଳି ବ୍ୟବହାର କରୁଥିଲେ। ସେ ଜାଣିଶୁଣି ଆକ୍ରମଣ କରିଛନ୍ତି। ଏହା କୌଣସିବି ଗଣତାନ୍ତ୍ରିକ ଦେଶରେ ପାଇଁ ଲଜ୍ଜାଜନକ।’
ସୂଚନାଥାଉକି, ବିଜେପିର ଦୁଇ ସାଂସଦ ମୁକେଶ ରାଜପୁତ ଏବଂ ପ୍ରତାପ ଷଡ଼ଙ୍ଗୀ ଏବେ ଦିଲ୍ଲୀର ରାମ ମନୋହର ଲୋହିୟା ହସ୍ପିଟାଲରେ ଭର୍ତ୍ତି ଅଛନ୍ତି। ଏପର୍ଯ୍ୟନ୍ତ ଦୁହିଁଙ୍କୁ ଡିସଚାର୍ଜ କରାଯାଇନାହିଁ। ସେପଟେ ବିରୋଧୀ ଦଳ ଏହି ଅଭିଯୋଗକୁ ସ୍ପଷ୍ଟ ଭାବରେ ଅଗ୍ରାହ୍ୟ କରିବା ସହ ବିଜେପି ନେତାଙ୍କ ଉପରେ କଂଗ୍ରେସ ସଦସ୍ୟଙ୍କୁ ଧକ୍କା ଦେବା ଅଭିଯୋଗ ଲଗାଇଛନ୍ତି।