ନୂଆଦିଲ୍ଲୀ: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାକୁ ପୂରିବାକୁ ଯାଉଛି ଏକ ବର୍ଷ ।ଏମିତିରେ ପ୍ରାଣ ପ୍ରତିଷ୍ଠାର ବର୍ଷ ପୂର୍ତ୍ତିକୁ ମହୋତ୍ସବ ଭାବରେ ପାଳନ କରିବାକୁ ଯୋଜନା କରାଯାଇଛି । ଧୁମଧାମରେ ପାଳନ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ପ୍ରଥମ ବର୍ଷ ପୂର୍ତ୍ତି । ଏଥିପାଇଁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପକ୍ଷରୁ ୨୦୨୫ ଜାନୁଆରୀ ୧୧ରୁ ୨୦୨୫ ଜାନୁଆରୀ ୧୩ ପର୍ଯ୍ୟନ୍ତ ତିନି ଦିନ ଧରି ଆୟୋଜନ ହେବ ଉତ୍ସବ।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ମହୋତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ଜାନୁଆରୀ ୧୧ରୁ ୧୩ ପର୍ଯ୍ୟନ୍ତ ତିନି ଦିନ ଧରି ମନ୍ଦିରେ ଅନୁଷ୍ଠାନ ହେବ। ଯଜ୍ଞ ମଣ୍ଡପ ତିଆରି କରାଯିବ, ମନ୍ତ୍ର ପାଠ କରାଯିବ ଏବଂ ହୋମ ହେବ। ଅବଶ୍ୟ ଯଜ୍ଞ ମଣ୍ଡପକୁ ପ୍ରବେଶ ନିଷେଧ ରହିବ। ଏହି ମଣ୍ଡପରେ ୧୮ ଘଣ୍ଟା ଧରି ଅନୁଷ୍ଠାନ ହେବ।
ଚମ୍ପତ ରାୟ କହିଛନ୍ତି ଲୋକଙ୍କ ସୁବିଧା ପାଇଁ ଯାତ୍ରୀ ସୁବିଧା କେନ୍ଦ୍ର ତିଆରି କରାଯିବ। ଏଠାରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିର ଏବଂ କାର୍ଯ୍ୟକ୍ରମ ସହ ଜଡ଼ିତ ସୂଚନା ମିଳିପାରିବ। ମନ୍ଦିରରେ ହନୁମାନ ଚାଳୀସା, ରାମ ରକ୍ଷା ସୂତ୍ର, ଆଦିତ୍ୟ ହୃଦୟ ସୂତ୍ର, ବିଷ୍ଣୁ ସହଶ୍ରନାମ ପାଠ ହେବ। ୨୧ ଜଣ ବ୍ରାହ୍ମଣ ତିନି ଧରି ଅନୁଷ୍ଠାନ କରିବେ। ଗାୟନ ବାଦନ କରୁଥିବା ଦେଶର ସ୍ବନାମଧନ୍ୟ କଳାକାର ସାମିଲ ହେବେ।
ଶ୍ରଦ୍ଧାଳୁଙ୍କ ପାଇଁ ଆସ୍ଥାନର ବ୍ୟବସ୍ଥା କରାଯିବ । ପାନୀୟ ଜଳ ବ୍ୟବସ୍ଥା କରାଯିବ। ତିନି ଦିନ ଯାକ ରାତିରେ ସଙ୍ଗୀତ ସହ ମାନସ ପାଠ କରାଯିବ। ରାମଙ୍କ ଜୀବନ ଉପରେ ପ୍ରବଚନ ମଧ୍ୟ ହେବ।ଏଭଳି ଅନେକ କାର୍ଯ୍ୟକ୍ରମ କରାଯିବ। ଏହା ସହ ଶ୍ରଦ୍ଧାଳୁଙ୍କ ପାଇଁ ଭୋଜନ ପ୍ରସାଦର ମଧ୍ୟ ବ୍ୟବସ୍ଥା ହେବ।
ତେବେ ମନ୍ଦିରର ନିର୍ମାଣ କାର୍ଯ୍ୟ ବିଷୟରେ ସୂଚନା ଦେଇ ଚମ୍ପତ ରାୟ କହିଛନ୍ତି ୨୦୨୫ ଶେଷ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବାନେଇ ଅନୁମାନ କରାଯାଉଛି। ମନ୍ଦିର ପରିସରରେ ଅନ୍ୟ ମନ୍ଦିରର କାମ ଚାଲିଛି।