ନୂଆଦିଲ୍ଲୀ ୨୬।୦୩: କୋଲକାତା ନାଇଟ ରାଇଡର୍ସ । IPL ୨୦୨୫ରେ କରିନଥିଲା ଭଲ ଆରମ୍ଭ । ପ୍ରଥମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ପରାଜୟର ସମ୍ମୁଖୀନ ହୋଇଥିଲା । ତଥାପି ଏହି ମ୍ୟାଚରେ ଅଜିଙ୍କ୍ୟ ରାହାଣେ କରିଥିଲେ ଭଲ ପ୍ରଦର୍ଶନ । ରାହାଣେ ଅଧିନାୟକତ୍ୱ ଇନିଂସ ଖେଳି କରିଥିଲେ ୫୬ ରନ । ଏବେ KKR ରାଜସ୍ଥାନ ରୟାଲ୍ସ ସହିତ କରିବ ମୁକାବିଲା । ଏହି ମ୍ୟାଚରେ ରାହାଣେ ଭାଙ୍ଗିପାରନ୍ତି ଗୌତମ ଗମ୍ଭୀରଙ୍କ ଏକ ସ୍ବତନ୍ତ୍ର ରେକର୍ଡ ।
ବାସ୍ତବରେ ଅଜିଙ୍କ୍ୟ ରାହାଣେ ଆଇପିଏଲରେ ସର୍ବାଧିକ ଚୌକା ମାରିବା ତାଲିକାରେ ସପ୍ତମ ସ୍ଥାନରେ ଅଛନ୍ତି । ସେ ଏପର୍ଯ୍ୟନ୍ତ ମୋଟ ୪୮୪ଟି ଚୌକା ମାରି ସାରିଛନ୍ତି । ତେବେ ସର୍ବାଧିକ ଚୌକା ମାରିବା ମାମଲାରେ ରାହାଣେ ଗୌତମ ଗମ୍ଭୀରଙ୍କୁ ପଛରେ ପକାଇ ପାରନ୍ତି । ଗମ୍ଭୀର ଆଇପିଏଲରେ ୪୯୨ଟି ଚୌକା ମାରିଛନ୍ତି । ଯଦି ରାହାଣେ ରାଜସ୍ଥାନ ବିପକ୍ଷରେ ନଅଟି ଚୌକା ମାରିବେ, ତେବେ ସେ ଗମ୍ଭୀରଙ୍କୁ ପଛରେ ପକାଇଦେବେ । ଏହାବ୍ୟତୀତ ୮ଟି ଚୌକା ମାରିବା ପରେ, ସେ ତାଙ୍କ ସହିତ ସମାନ ହେବେ ।
ଆଇପିଏଲରେ ସର୍ବାଧିକ ଚୌକା ମାରିବା ମାମଲାରେ ଶିଖର ଧାୱନ ଶୀର୍ଷରେ ଅଛନ୍ତି । ଧାୱନ ୨୨୨ଟି ଆଇପିଏଲ ମ୍ୟାଚ ଖେଳିଛନ୍ତି। ଏହି ସମୟ ମଧ୍ୟରେ ସେ ୭୬୮ଟି ଚୌକା ମାରିଛନ୍ତି । ତେବେ ଏହି ମାମଲାରେ ବିରାଟ କୋହଲି ରହିଛନ୍ତି ଦ୍ୱିତୀୟ ସ୍ଥାନରେ । କୋହଲି ୨୫୩ଟି ମ୍ୟାଚ ଖେଳି ୭୦୯ଟି ଚୌକା ମାରିଛନ୍ତି । ସେହିପରି ଡେଭିଡ ୱାର୍ଣ୍ଣର ୬୬୩ ଚୌକା ସହିତ ତୃତୀୟ ସ୍ଥାନରେ ଅଛନ୍ତି । ତାଲିକାରେ ଚତୁର୍ଥ ସ୍ଥାନରେ ଅଛନ୍ତି ରୋହିତ ଶର୍ମା । ସେ ୫୯୯ଟି ଚୌକା ମାରିଛନ୍ତି।
ଯଦି ଟୁର୍ଣ୍ଣାମେଣ୍ଟରେ ଅଜିଙ୍କ୍ୟ ରାହାଣେଙ୍କ ରେକର୍ଡ ଦେଖିବା ତେବେ ରାହାଣେ ଏପର୍ଯ୍ୟନ୍ତ IPLରେ ୧୮୬ଟି ମ୍ୟାଚ୍ ଖେଳି ସାରିଛନ୍ତି । ଏହି ସମୟ ମଧ୍ୟରେ ସେ ୪୬୯୮ ରନ କରିଛନ୍ତି। ରାହାଣେ ଟୁର୍ଣ୍ଣାମେଣ୍ଟରେ ୨ଟି ଶତକ ଏବଂ ୩୧ଟି ଅର୍ଦ୍ଧଶତକ ଲଗାଇଛନ୍ତି । ତେବେ ଗତ ସିଜିନ୍ ତାଙ୍କ ପାଇଁ କିଛି ଖାସ୍ ନଥିଲା । ରାହାଣେ ୨୦୨୪ ଆଇପିଏଲର ୧୩ ମ୍ୟାଚରେ କରିଥିଲେ ୨୪୨ ରନ୍ । ଏହାବ୍ୟତୀତ ସେ ୨୦୨୩ରେ ୧୪ ମ୍ୟାଚରେ କରିଥିଲେ ୩୨୬ ରନ୍ । ୨୦୧୨ ଏବଂ ୨୦୧୫ ସିଜିନ୍ ରାହାଣେଙ୍କ ପାଇଁ ବହୁତ ଭଲ ଥିଲା। ସେ ୨୦୧୨ରେ ୫୬୦ ଏବଂ ୨୦୧୫ରେ କରିଥିଲେ ୫୪୦ ରନ୍ ।