ତେହେରାନ ୨।୧: ଇସ୍ଲାମିକ ଗଣରାଜ୍ୟ ଇରାନ ୧ ଜାନୁୟାରୀ ନୂଆ ବର୍ଷରେ ବିଭିନ୍ନ ଜେଲରେ ବନ୍ଦୀ ୧୫ କୈଦୀଙ୍କୁ ଫାଶୀ ଖୁଣ୍ଟରେ ଝୁଲେଇ ଦେଇଛି। ତେବେ ଇରାନରେ ଫାଶୀ କେବଳ ଏତିକିରେ ସମାପ୍ତ ହୋଇନି, ୨୦୨୪ ପୁରା ବର୍ଷରେ ଦେଶରେ ୮୮୩ ଜଣଙ୍କୁ ଫାଶୀ ଦିଆଯାଇଛି। ଆମେରିକୀୟ ମାନବାଧିକାର କାର୍ଯ୍ୟକର୍ତ୍ତା ଏଚଆରଏଏନଏ ଏହି ସୂଚନା ଦେଇଛି। ଏହା ବାଦେ ୨୦୨୫ ମସିହା ଆରମ୍ଭ ଦିନରେ ୧୫ଜଣଙ୍କୁ ମୃତ୍ୟୁ ମୁହଁକୁ ଠେଲି ଦେବା ଘଟଣା ଏବେ ଚିନ୍ତାରେ ପକାଇଛି।
ଏଚଆରଏଏନଏ ଅନୁସାରେ ବର୍ଷର ଏହି ସଂଖ୍ୟା ଏକ ଦଶନ୍ଧୀର ସବୁଠୁ ଅଧିକ। ତେବେ ସାଉଦୀ ଆରବ ଗତବର୍ଷ ୩୩୦ କୈଦୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲା। ହେଲେ ବି ଇରାନ ଠାରୁ ଏହି ସଂଖ୍ୟା ଢେର କମ। ଇରାନ ନୂଆବର୍ଷର ପ୍ରଥମ ଦିନ ଯେଉଁ ବନ୍ଦୀମାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛି ସେମାନେ ସବୁ ଡ୍ରଗସ୍ ସମ୍ପର୍କିତ ଅପରାଧ ଓ ହତ୍ୟା ଅପରାଧରେ ଜଡିତ ଥିଲେ। ଏଥିରେ କରଜର ଗେଜଲ ହେସର ଜେଲରେ ସର୍ବାଧିକ ୧୦ କୈଦୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।
ଇରାନରେ ହୋଇଥିବା ମୃତ୍ୟୁଦଣ୍ଡ ଦେଶରେ ବଢୁଥିବା ମୃତ୍ୟୁଦଣ୍ଡାଦେଶକୁ ନେଇ ଚିନ୍ତା ବଢେଇ ଦେଇଛି। ଏଥିରେ ଖାସ କଥା ହେଉଛି ଆଫଗାନୀସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଇରାନରେ ଆଫଗାନ ନାଗରିକଙ୍କୁ ଦିଆଯାଉଥିବା ମୃତ୍ୟୁ ଦଣ୍ଡ ମାମଲା ବଢିଛି। ନୂଆବର୍ଷ ଅବସରରେ ଦଣ୍ଡିତ ହୋଇଥିବା ୧୫ଜଣଙ୍କ ମଧ୍ୟରେ ୩ ଜଣ ଆଫଗାନ ନାଗରିକ ଥିଲେ। ଇରାନରେ ମାନବାଧିକାର ସଙ୍ଗଠନ ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁସାରେ ଇରାନ ୨୦୨୪ରେ ୭୦ରୁ ଅଧିକ ଆଫଗାନ ନାଗରିକଙ୍କୁ ମୃତ୍ୟୁଦଣ୍ଡାଦେଶ କରିଛି। ଯାହା ଗତବର୍ଷ ତୁଳନାରେ ୩୦୦ ପ୍ରତିଶତ ଅଧିକ।
ଗତ ୩ ବର୍ଷ ହେଲା ଇରାନରେ ଆଫଗାନ ନାଗରିକଙ୍କୁ ଦିଆଯାଉଥିବା ଦଣ୍ଡର ବାର୍ଷିକ ସଂଖ୍ୟା ଲଗାତାର ବୃଦ୍ଧି ହେବାରେ ଲାଗିଛି। ୨୦୨୨ରେ ୧୬ ଜଣ ଆଫଗାନ ନାଗରିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୨୦୨୩ରେ ଏହି ସଂଖ୍ୟା ୨୫କୁ ପହଞ୍ଚିଥିବା ବେଳେ ୨୦୨୪ର ପ୍ରଥମ ୧୧ ମାସରେ ୭୨ ଜଣ ଆଫଗାନ ନାଗରିକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି।