ନୂଆଦିଲ୍ଲୀ: ଭାରତର ଟିକସ ବ୍ୟବସ୍ଥାରେ ନଡ଼ିଆ ତେଲ ଏକ ଖାଇବା ତେଲ ନାଁ କେଶରେ ମାଖିବା ତେଲ? ଦୀର୍ଘ ୧୫ ବର୍ଷରୁ ଅଧିକ ସମୟ ହେବ ଏହି ପ୍ରଶ୍ନର ଉତ୍ତର ମିଳୁ ନଥିଲା। ଏହି ପ୍ରଶ୍ନ ଅନେକ ସମୟରେ ନ୍ୟାୟପାଳିକାର ବିଭିନ୍ନ ସ୍ତର ଦେଇ ଯାଇଛି। ହେଲେ ଉତ୍ତର ମିଳୁ ନଥିଲା। କିନ୍ତୁ ସୁପ୍ରିମକୋର୍ଟ ବୁଧବାର (ଡିସେମ୍ବର ୧୮) ଏହାର ନିଷ୍କର୍ଷ ବାହାର କରିଛନ୍ତି। କୋର୍ଟ କହିଛନ୍ତି, ଏହାକୁ ଖାଇବା ତେଲରେ ଶ୍ରେଣୀଭୁକ୍ତ କରାଯିବା ଉଚିତ। ସେହି ହାରରେ ଏଥିରେ କମ୍ ଟିକସ ଲଗାଯିବ ଉଚିତ୍।
୨୦୧୭ ପ୍ରଣୟନ କରାଯାଇଥିବା ନୂଆ ଦ୍ରବ୍ୟ ଏବଂ ସେବା କର (ଜିଏସ୍ଟି) ବ୍ୟବସ୍ଥାରେ, ଖାଇବା ତେଲକୁ ମାତ୍ର ୫ ପ୍ରତିଶତ ଟ୍ୟାକ୍ସ ଲଗାଯାଉଛି। ସେହିପରି କେଶ ତୈଳ ଉପରେ ୧୮% ଜିଏସ୍ଟି ଲାଗୁଛି। ତେବେ ନିକଟରେ ନଡ଼ିଆ ତେଲ ଉପରେ ଲାଗୁଥିବା ଟିକସ ପ୍ରସଙ୍ଗ କେମିତି ଲୋକ ଲୋଚନକୁ ଆସିଲା ଓ ସୁପ୍ରିମକୋର୍ଟ ଏହାକୁ ଏକ ଖାଇବା ତେଲ ଭାବରେ କାହିଁକି ଶ୍ରେଣୀଭୁକ୍ତ କଲେ? ଆସନ୍ତୁ ଜାଣିବା।
ନଡ଼ିଆ ତଲେର ଟ୍ୟାକ୍ସ
ଜିଏସ୍ଟି ବ୍ୟବସ୍ଥା ଲାଗୁ ହେବା ପୂର୍ବରୁ ନଡ଼ିଆ ତେଲ ଉପରେ ସେଣ୍ଟ୍ରାଲ୍ ଏକ୍ସାଇଜ୍ ଶୁଳ୍କ ଅଧିନିୟମ, ୧୯୮୫ (CET ଆକ୍ଟ) ଅନୁଯାୟୀ ଏକ୍ସାଇଜ୍ ଡ୍ୟୁଟି ଲାଗୁ କରାଯାଇଥିଲା। ପୁଣି ୨୦୦୫ରେ, ସିଇଟି ଅଧିନିୟମରେ ସଂଶୋଧନ କରାଯାଇ ଏବଂ ନଡିଆ ତେଲ ଉପରେ ୮% ଏକ୍ସାଇଜ୍ ଡ୍ୟୁଟି ଲଗାଯାଇ ଏହାକୁ ଧାରା ଟ୍ରିପଲ ଆଇରେ ସ୍ଥାନିତ କରାଗଲା। ଏହି ଧାରାରେ ନଡ଼ିଆ ତେଲକୁ “ପଶୁ କିମ୍ବା ପନିପରିବା ଫ୍ୟାଟ୍, ତେଲ ଏବଂ ତୈଳଜାତ ଉତ୍ପାଦକ, ପ୍ରସ୍ତୁତି ଖାଦ୍ୟ ଫ୍ୟାଟ୍, ପ୍ରାଣୀ ଓ ବନସ୍ପତି ଯୁକ୍ତ ଖାଦ୍ୟ” ବିଭାଗରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଯାହା “କେଶରେ ବ୍ୟବହାର ସାମଗ୍ରୀର ବିପରୀତ ଥିଲା। ହେଲେ କେଶ ତେଲ ପାଇଁ ସେକ୍ସନ VI ଅଧୀନରେ ଆସୁଥିବା “ରାସାୟନିକ କିମ୍ବା ସହଯୋଗୀ ଶିଳ୍ପଗୁଡିକର ଉତ୍ପାଦ ଭାବରେ ବର୍ଗିକୃତ କରି ଏଥିରେ ୧୬% ଏକ୍ସାଇଜ୍ ଡ୍ୟୁଟି ଲଗାଯାଉଥିଲା।
ଅନ୍ତର୍ଜାତୀୟ ନିୟମ ଅନୁସାରେ, ୧୯୮୮ ବିଶ୍ୱ ସୀମା ଶୁଳ୍କ ସଂଗଠନ ଦ୍ୱାରା ବିଭିନ୍ନ ଉତ୍ପାଦନକୁ ବର୍ଗୀକୃତ କରାଇ ଏଥିରେ ଶୁଳ୍କ ଲଗାଇବା ପାଇଁ ବ୍ୟବସ୍ଥା କରାଯାଇଥିଲା। ଯାହାକୁ ହରମୋନାଇଜଡ୍ ସିଷ୍ଟମ୍ ଅଫ୍ ନୋମେନକ୍ଲାଟର୍ (HSN) କୁହାଯାଏ।
ଅର୍ଥ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ଏକ୍ସାଇଜ୍ ଏବଂ କଷ୍ଟମ୍ସ ବୋର୍ଡ ୨୦୦୯ ଜୁନ ମାସରେ ଏକ ସର୍କୁଲାର ଜାରି କରି ଅଦଭୁତ ନିର୍ଦ୍ଦେଶ ନାମା ଜାରି କରିଥିଲେ। ୨୦୦ ମିଲି ଲିଟରରୁ ପ୍ୟାକ୍ରେ ବିକ୍ରି ହେଲେ ନଡ଼ିଆ ତେଲକୁ କେଶ ତେଲ ବୋଲି ବିବେଚନା କରାଯିବ। ଏବଂ ଏଥିରେ ୧୬ ପ୍ରତିଶତ ଟ୍ୟାକ୍ସ ଲାଗିବ ବୋଲି ସର୍କୁଲାର୍ରେ କୁହାଯାଇଥିଲା।
ତେବେ ଏହି ସର୍କୁଲାରକୁ ଅକ୍ଟୋବର ୨୦୧୫ ରେ ପ୍ରତ୍ୟାହାର କରି ନିଆଯାଇଥିଲା। “କେବଳ ନଡ଼ିଆ ତେଲର ଖୁଚୁରା ପ୍ୟାକ୍ ୨୦୦ ମିଲି କିମ୍ବା ତା’ଠାରୁ କମ୍ ଆକାରରେ ଥିବାରୁ ଏହାକୁ କେଶ ତେଲ ଭାବି ସମାନ ନିୟମ ଲାଗୁ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଥିଲେ। ତେବେ ୨୦୧୭ ଠାରୁ, ନୂଆ ଜିଏସ୍ଟି ବ୍ୟବସ୍ଥାର ପ୍ରବର୍ତ୍ତନ ସହିତ, ନଡ଼ିଆ ତେଲ ଉପରେ ୫% ହାରରେ ଟିକସ ଲଗାଯାଉଥିବା ବେଳେ “କେଶରେ ବ୍ୟବହାର ପାଇଁ ପ୍ରସ୍ତୁତି” ବର୍ଗରେ ଉତ୍ପାଦଗୁଡ଼ିକ ପାଇଁ ୧୮% ଟିକସ ଲଗାଯାଉଛି।
ତେବେ ୨୦୦୯ ସର୍କୁଲାର ଜାରି ହେବା ପୂର୍ବରୁ ମଧ୍ୟ ୨୦୦୭ ରେ ସେଣ୍ଟ୍ରାଲ୍ ଏକ୍ସାଇଜ୍ କର୍ତ୍ତୃପକ୍ଷ ମଧାନ ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ (ଭାରତ) ପ୍ରାଇଭେଟ୍ ଲିମିଟେଡ୍କୁ ଏକାଧିକ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। କାରଣ ଏହି କମ୍ପାନୀ ନଡ଼ିଆ ତେଲ ୫ ମିଲି ଲିଟରୁ ୨ ଲିଟର ପର୍ଯ୍ୟନ୍ତ ପ୍ୟାକେଟ୍ କରି ବିକ୍ରି କରୁଥିଲା। ଯେହେତୁ ନଡ଼ିଆ ତେଲ ଏକ କେଶରେ ଲଗାଯାଉଥିବା ତେଲ କାହିଁକି ଅଧିକ ଟ୍ୟାକ୍ସ ଲଗାଯିବ ନାହିଁ ବୋଲି କମ୍ପାନୀକୁ ନୋଟିସ୍ କରାଯାଇଥିଲା।
ଫଳରେ ମଦାନ ଏଗ୍ରୋ ଚେନ୍ନାଇର କଷ୍ଟମ୍ସ ଏକ୍ସାଇଜ୍ ଏବଂ ସର୍ଭିସ ଟ୍ୟାକ୍ସ ଆପିଲେଟ୍ ଟ୍ରିବ୍ୟୁନାଲ୍ (CESTAT) ଏହାକୁ ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ କମ୍ପାନୀ ୨୦୦୫ ରେ ସିଇଟି ଅଧିନିୟମରେ ହୋଇଥିବା ସଂଶୋଧନକୁ ଉଦାହରଣ ଦେଇଥିଲା। କମ୍ପନୀ କହିଥିଲେ ଯେ ନିୟମ ଅନୁସାରେ ଏହା କେଶ ତେଲ ନୁହେଁ ଏହା ଏକ ଖାଇବା ତେଲ। ତେଣୁ ଟ୍ୟାକ୍ସ କାହିଁକି ଲାଗିବ?
କେବଳ ଏହି ଗୋଟିଏ ମାମଲା ନୁହେଁ, ଚେନ୍ନାଇ ସ୍ଥିତ ସିଇଏସଟିଏଟି ଏମ୍/ଏସ ଐଶ୍ୱର୍ଯ୍ୟା ଇଣ୍ଡଷ୍ଟ୍ରିଜ୍, ଏମ୍/ଏସ ମୋରେଶ୍ୱର ଇଣ୍ଡଷ୍ଟ୍ରିଜ। ଏମ୍/ଏସ ଶିବମ୍ ଏଣ୍ଟରପ୍ରାଇଜେସ୍, ଏମ୍/ଏସ ସୋପର୍ନିକା ଏଣ୍ଟରପ୍ରାଇଜେସ୍କୁ ପଠାଯାଇଥିବା ଏମିତି ଏକାଧିକ କାରଣ ଦର୍ଶାଅ ନୋଟିସ୍ର ଶୁଣାଣି କରିଥିଲା। ଏହି ସମସ୍ତ କମ୍ପାନୀ ପୁଡ଼ୁଚେରୀରେ ଛୋଟ ଛୋଟ ପ୍ୟାକେଟ୍ର ନଡ଼ିଆ ତେଲ ଉତ୍ପାଦନ କରିଥିଲେ।
ଏହାପରେ ସାଲେମର ସେଣ୍ଟ୍ରାଲ୍ ଏକ୍ସାଇଜ୍ କମିଶନର ମାମଲାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ।
ସୁପ୍ରିମକୋର୍ଟଙ୍କ ରାୟ
୨୦୧୮ରେ ଜଷ୍ଟିସ୍ ରଂଜନ ଗୋଗୋଇ ଏବଂ ଆର ବାନୁମାଥୀଙ୍କ ଖଣ୍ଡପୀଠ ଏହି ଚ୍ୟାଲେଞ୍ଜରେ ଶୁଣାଣି କରି ଅଲଗା ଅଲଗା ରାୟ ପ୍ରଦାନ କରିଥିଲେ। ଜଷ୍ଟିସ୍ ଗୋଗୋଇ କହିଥିଲେ ଯେ ପ୍ୟାକେଜ୍ ଆକାରକୁ ନ ଧରି ନଡ଼ିଆ ତେଲକୁ ଖାଇବା ତେଲ ଭାବରେ ଶ୍ରେଣୀଭୁକ୍ତ କରାଯିବା ଉଚିତ୍। ଅନ୍ୟପକ୍ଷରେ ଜଷ୍ଟିସ୍ ବାନୁମାଥୀ କିନ୍ତୁ ସାଧାରଣରେ ଧରାଯାଉଥିବା ନିୟମ ଆଧାର(କମନ ପାର୍ଲାନ୍ସ ଟେଷ୍ଟ)ରେ ରାୟ ଶୁଣାଇଥିଲେ। ସେ କହିଥିଲେ ଯେ ଛୋଟ ପ୍ୟାକେଜରେ ବିକ୍ରି ହେଉଥିବା ନଡ଼ିଆ ତେଲ “ବଜାରରେ ଡିଲର/ ଗ୍ରାହକମାନେ“ ହେୟାର ଅଏଲ୍ ”ଭାବରେ ବୁଝନ୍ତି ଏବଂ ଏଥିପାଇଁ ଟିକସ ଦେବାକୁ ପଡ଼ିବ। ସେହିଦିନ ଠାରୁ ଏହି ମାମଲା ସୁପ୍ରିମକୋର୍ଟରେ ପଡ଼ି ରହିଥିଲା। ହେଲେ ବୁଧବାର ଏହି ସମସ୍ୟାର ସମାଧାନ ହୋଇଛି।
ବୁଧବାର(ଡିସେମ୍ବର ୧୮) ଭାରତର ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନା, ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ଆର ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଆନ୍ତର୍ଜାତୀୟ HSN ମାନଦଣ୍ଡ ଅନୁଯାୟୀ ରାୟ ଶୁଣାଇ କହିଥିଲେ “ସାମଗ୍ରୀ ବର୍ଗୀକରଣ କରିବା ସମୟରେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ।” ସେହିପରି ବଜାରରେ ସାଧାରଣ ଭାବରେ ଗ୍ରହଣ କରାଯାଇଥିବା ଓ ନଡ଼ିଆ ତେଲର ବ୍ୟବହାର ନିର୍ଣ୍ଣୟ କରିବା ପାଇଁ ହୋଇଥିବା କମନ ପାର୍ଲାନ୍ସ ଟେଷ୍ଟକୁର ଆବେଦନକୁ ମଧ୍ୟ କୋର୍ଟ ଖାରଜ କରି ଦେଇଥିଲେ। ଯେପର୍ଯ୍ୟନ୍ତ ଉତ୍ପାଦକୁ ସ୍ପଷ୍ଟ ଭାବରେ ବର୍ଗିକୃତ କରାଯାଇ ନାହିଁ କିମ୍ବା ନର୍ଦ୍ଦିଷ୍ଟ ଭାବରେ କାରବାର କରାଯାଇ ନାହିଁ ସେଠି କମନ ପାର୍ଲାନ୍ସ ଟେଷ୍ଟ ଆଧାରକୁ ବିଚାରକୁ ନିଆଯିବ ନାହିଁ ବୋଲି କୋର୍ଟ କହିଥିଲେ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ “ ତେବେ ନଡ଼ିଆ ତଲେ ସୌନ୍ଦର୍ଯ୍ୟ ପ୍ରସାଧନ ଓ ଶୈଚାଳୟରେ ପ୍ରସ୍ତୁତି ଭାବରେ ବ୍ୟବହାର କରାଯାଇପାରିବ। ତେବେ ଏଭଳି ତେଲକୁ ଯେ କେବଳ କେଶ ମାଖିବା ତେଲ ଭାବରେ ବିବେଚନା କରିବା ପର୍ଯ୍ୟପ୍ତ ନୁହେଁ।”
ପ୍ୟାକେଟ୍ ସାଇଜକୁ ନେଇ ମଧ୍ୟ କୋର୍ଟ ରାୟ ଶୁଣାଇଥିଲେ। ବିଚାରପତି କହିଥିଲେ ଯେ ଆଜିକାଲି ଉଭୟ ଖାଇବା ତେଲ ଓ କେଶ ତେଲ ଛୋଟ ପ୍ୟାକେଟ୍ରେ ବିକ୍ରି ହେଉଛି। ତେଣୁ ଏହାର ବର୍ଗିକୃତ କରିବା ପାଇଁ ପ୍ୟାକେଟ୍କୁ ମାନଦଣ୍ଡ ନଭାବି ଆଉ କିଛି ମାନଦଣ୍ଡ ନିର୍ଦ୍ଧାରଣ କରିବା ଉଚିତ ବୋଲି ଖଣ୍ଡପୀଠ କହିଥିଲେ।
କୋର୍ଟ ଏହା ମଧ୍ୟ କହିଥିଲେ ଯେ, “ଷ୍ଟାଣ୍ଡାର୍ଡସ୍ ଅଫ୍ ୱେଟ୍ ଏଣ୍ଡ ମେଜର (ପ୍ୟାକେଜ୍ କମୋଡିଟିସ୍) ନିୟମ, ୧୯୭୭ ଅନୁସାରେ, 'ଖାଇବା ତେଲ' ନିର୍ଦ୍ଦିଷ୍ଟ ଆକାରରେ ୫୦ ଏମଏଲ, ୧୦୦ ଏମଏଲ, ୧୦୦ ଏମଏଲ, ୫୦୦ ଏମଏଲ, ୧ ଲିଟର କିମ୍ବା ୨ ଲିଟର ପ୍ୟାକ୍ କରାଯାଇପାରିବ ବୋଲି ନିୟମ ରହିଛି। ତେଣୁ ସାଇଜ୍ ମାନଦଣ୍ଡ ଏଠି ଉଚିତ ହେବ ନାହିଁ ବୋଲି କୋର୍ଟ କହିବାକୁ ଚାହିଁଥିଲେ।