ବାତ୍ୟା ‘ୟାସ’ର ଗତିପଥ ଅନୁସରଣ କରିବ କି’ ‘ଦାନା’ ? ପ୍ରଭାବିତ ହୋଇପାରେ ଭିତରକନିକା, ଆକଳନ ପରେ ବଢ଼ିଲା ଚିନ୍ତା

Published By : Prameya-News7 Bureau | October 21, 2024 IST

ଭୁବନେଶ୍ବର: ୨୦୨୧ ମେ ମାସରେ ବଙ୍ଗୋପସାଗରେ ସୃଷ୍ଟି ହୋଇଥିଲା ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ୟାସ’। ଯାହା ବାତ୍ୟାର ରୂପ ନେଇ ମେ ୨୬ରେ ଧାମରା ବନ୍ଦର ଏବଂ ଦକ୍ଷିଣ ବାହନଗା ମଧ୍ୟରେ ସ୍ଥଳ ଭାଗ ଛୁଇଁଥିଲା ବାତ୍ୟା ୟାସ। ଆଉ ଏବେ ୨୦୨୪ରେ ବଙ୍ଗୋପସାଗରେ ସୃଷ୍ଟି ହୋଇଛି, ପୁଣି ଏକ ଭୀଷଣ ବାତ୍ୟା । ଯାହାର ନାଁ ରହିଛି ‘ଦାନା’। ପୂର୍ବାନୁମାନ ଅନୁଯାୟୀ, ‘ଦାନା’ ୨୩ ତାରିଖ ବେଳକୁ ବାତ୍ୟାର ରୂପ ନେବ।

ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଅନୁଯାୟୀ, ବାତ୍ୟା ‘ଦାନା’ ଅତି ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। IMD ଏବଂ NCMRWF ର NCUM-G ମଡେଲରେ ମଧ୍ୟ ଅକ୍ଟୋବର ୨୪ ବେଳକୁ ଏହା ଅତିଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଅନୁମାନ କରାଯାଉଛି। ବଡ଼ କଥା ହେଉଛି ଆକଳନ କରାଯାଉଛି ଯେ, ‘ଦାନା’, ‘ୟାସ’ର ଗତିପଥକୁ ଅନୁସରଣ କରିବା ନେଇ ଆକଳ କରାଯାଉଛି। ବାତ୍ୟା ୟାସ ସମୟରେ ପବନର ବେଗ ୧୪୦ କିଲୋମିଟର ଥିଲା। କିନ୍ତୁ ବର୍ତ୍ତମାନ ସୁଦ୍ଧା ବାତ୍ୟା ଦାନା ସମୟରେ ପବନର ବେଗ ୧୨୦ କିଲୋମିଟର ହେବା ନେଇ ଆକଳନ କରାଯାଇଛି | ଆଉ ଯଦି ଦାନା ଅତି ଭୀଷଣ ରୂପ ନେଇ ‘ୟାସ’ ଗତିପଥରେ ସ୍ଥଳ ଭାଗ ଛୁଇଁବ, ତେବେ ଭିତରକନିକା ଜାତୀୟ ଉଦ୍ୟାନ କ୍ଷତି ହୋଇପାରେ। 

ସୂଚନାଥାଉକି, ଭିତରକନିକା ଏହାର ହେନ୍ତାଳ ବନ, ବିଦେଶୀ ପକ୍ଷୀ, କଇଁଛ, କୁମ୍ଭୀର ଇତ୍ୟାଦି ପାଇଁ ପ୍ରସିଦ୍ଧ ଏହି ଜାତୀୟ ଉଦ୍ୟାନ। ଓଡ଼ିଶାର ଜୈବ ବିବିଧତାରେ ଏହାର ଭୂମିକା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ରହିଛି।ଏଠାରେ ୬୨ ପ୍ରକାରର ହେନ୍ତାଳ ବୃକ୍ଷ, ୨୮୦ ପ୍ରଜାତିର ପକ୍ଷୀ, ୨୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୪୭ ପ୍ରଜାତିର ଜୀବଜନ୍ତୁ ଏବଂ ସରୀସୃପ ଦେଖାଯାଆନ୍ତି। 

ତେବେ ଉଦ୍ୟାନର ଏକ ବଡ଼ ଭାଗ ବନ୍ୟା ପ୍ରଭାବିତ ଅଞ୍ଚଳ। ୟାସ ସମୟରେ, ଭିତରକନିକାର ଜାତୀୟ ଉଦ୍ୟାନର ଉପକୂଳବର୍ତ୍ତୀ ଗାଁଗୁଡ଼ିକ ଝଡ଼ତୋଫାନ ଯୋଗୁ ପ୍ରବଳ ବନ୍ୟା ଯୋଗୁଁ ପ୍ରଭାବିତ ହୋଇଥିଲା। ଯାହାଦ୍ବାରା ବଡ଼ ଆକାରରେ କ୍ଷୟକ୍ଷତି ମଧ୍ୟ ହୋଇଥିଲା। ତେଣୁ ଏହାର ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା ଗୋବିନ୍ଦପୁର, କାହ୍ନୁପୁର, ଚିଞ୍ଚିରି, ଗୋବର୍ଦ୍ଧନପୁର, ବରୁଣେଇ ଭଳି ଗ୍ରାମବାସୀଙ୍କ ମନରେ ବାତ୍ୟାକୁ ନେଇ ଛନକା ପଶିଛି। ସେହିଭଳି ରାମଚନ୍ଦ୍ରପୁର, ଜଗନ୍ନାଥପୁର, କମଳପୁର, ସୁବର୍ଣ୍ଣପୁର, ପରମାନନ୍ଦପୁର ଆଦି ଗାଁରେ ବନ୍ୟା ସମ୍ଭାବନା ରହିଛି।୨୦୨୨ର ଏକ ରିପୋର୍ଟ ଅନୁଯାୟୀ, ବାତ୍ୟା ୟାସ ଏବଂ ଏହା ପୂର୍ବରୁ ହୋଇଥିବା ଫନି କାରଣରୁ ସୁନ୍ଦରବନରେ ମଧ୍ୟ ଖୁବ କ୍ଷତି ହୋଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.