ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ, ଅଧିକ ସତର୍କ ଓ ସଚେତନ ରହିବାକୁ ସବୁ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ

Published By : Prameya-News7 Bureau | October 21, 2024 IST

ପୁରୀ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି କ୍ରମରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ସମସ୍ତ ବିଭାଗ ସେମାନଙ୍କ ଦାୟିତ୍ୱକୁ ସୂଚାରୁ ରୂପେ ପରିଚାଳନା କରି ଧନ ଜୀବନ ହାନିକୁ ରୋକିବାରେ ପଦକ୍ଷେପ ନେବାକୁ ସେ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ। ଏହା ସହ ଓଡ଼ିଶା ଉପକୂଳରେ ବାତ୍ୟା ଦାନା ଲ୍ୟାଣ୍ଡ ଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଆମକୁ ଅଧିକ ସତର୍କ ଓ ସଚେତନ ହେବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି। 

ସମସ୍ତ ବିଡ଼ିଓ ଏବଂ ତହସିଲଦାର ସେମାନଙ୍କ ଅଞ୍ଚଳର ଖାଲୁଆ ଓ ତଳିଆ ଅଞ୍ଚଳକୁ ଚିହ୍ନଟ କରି ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଅଞ୍ଚଳର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେହିପରି କଚ୍ଚା ଘର,ଚାଳ ଓ ମାଟି ଘରର ଲୋକ ମାନଙ୍କୁ ମଧ୍ୟ ନିରାପଦ ସ୍ଥାନକୁ ନେବାକୁ ସେ ପରାମର୍ଶ ଦେଇଥିଲେ।‌ ଅପରପକ୍ଷରେ ଜିଲ୍ଲା ପ୍ରଶାସନ ସମସ୍ତ କାର୍ଯ୍ୟକୁ ଅତି ଗୁରୁତ୍ୱ ର ସହ ପରିଚାଳନା କରୁଛନ୍ତି। ଜନ ସାଧାରଣ ସତର୍କ ଓ ସଚେତନ ରହିବା ସହ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି। ବାତ୍ୟା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପଲିଥିନ, ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ, ଔଷଧ, ଗୋ ଖାଦ୍ୟ ଇତ୍ୟାଦି ମହଯୁଦ ରଖିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ବାତ୍ୟାରେ ଗଛ ଭାଙ୍ଗି ରାସ୍ତା ଅବରୋଧ କଲେ ତୁରନ୍ତ ତାହାକୁ ଅପସାରଣ କରିବା, ବନ୍ୟା ହେଲେ ଲୋକଙ୍କୁ ସହାୟତା କରିବା ପାଇଁ ଅଗ୍ନିଶମ, ଓଡ୍ରାଫ ଓ ଏନଡିଆରଏଫ ଟିମ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନ ପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସରକାରୀ କର୍ମଚାରୀ ପରସ୍ପର ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି। ସମସ୍ତ ୧୧ଗୋଟି ବ୍ଲକ ମଧ୍ୟରୁ ଉପକୂଳ ବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ଗୋପ, ପୁରୀ ସଦର, ବ୍ରହ୍ମଗିରି ଓ କୃଷ୍ଣ ପ୍ରସାଦ ବ୍ଲକକୁ ଅତ୍ୟଧିକ ବାତ୍ୟା ପ୍ରବଣ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି। ଜିଲ୍ଲାରେ ୧୭୯ ଟି ବାତ୍ୟା ଆଶ୍ରୟ ସ୍ଥଳ ରହିଛି।‌ ନିକଟରେ ପ୍ରସବ ଥିବା ୮୫୬ ଗର୍ଭବତୀ ମା ମାନଙ୍କୁ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ଚିକିତ୍ସାଳୟକୁ ଅଣାଯିବ।

ବୈଠକରେ ଏସ ପି ବିନୀତ ଅଗ୍ରୱାଲ, ଡିଏଫଓ ବିବେକ କୁମାର, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲ୍ଲାପାଳ ଗୋପୀନାଥ କୁଅଁର, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ଜରୁରୀ ବିଭାଗ ଅଧିକାରୀ ମନୀଷା ଷଡ଼ଙ୍ଗୀ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.