ନୂଆଦିଲ୍ଲୀ: ଅନୁଭବୀ ଦ୍ରୁତ ବୋଲର ମହମ୍ମଦ ଶାମି ଇଂଲଣ୍ଡ ବିପକ୍ଷରେ ଜାରି ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ଏ ପର୍ଯ୍ୟନ୍ତ ଖେଳିବାକୁ ସୁଯୋଗ ପାଇ ନାହାନ୍ତି। ଆହତ ସମସ୍ୟାରୁ ମୁକୁଳି ଦଳରେ ସାମିଲ ହୋଇଥିଲେ ହେଁ ପ୍ରଥମ ଦୁଇଟି ମ୍ୟାଚ୍ ଶାମି ନ ଖେଳିବା ନେଇ ପ୍ରଶଂସକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଶାମିଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ନ ମିଳିବା ପରେ ପୁଣି ତାଙ୍କର ଫିଟନେସ୍କୁ ନେଇ ପ୍ରଶ୍ନ ଉଠିଛି। ତେବେ ଶାମିଙ୍କ ଫିଟନେସ୍କୁ ନେଇ ବଡ଼ ଅପଡେଟ୍ ଦେଇଛନ୍ତି ନୂତନ ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ। ସେ କହିଛନ୍ତି ଶାମିଙ୍କ ଫିଟନେସ୍କୁ ନେଇ କୌଣସି ଚିନ୍ତା ନାହିଁ। ମାତ୍ର ତାଙ୍କର ଖେଳିବା ନିଷ୍ପତ୍ତି ହେଡ୍ କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ନେବେ।
ଭାରତରେ ଖେଳା ଯାଇଥିବା ଦିନିକିଆ ବିଶ୍ଵକପ୍ ୨୦୨୩ ସମୟରେ ଆହତ ହୋଇ ମହମ୍ମଦ ଶାମି ଗୋଟିଏ ବର୍ଷରୁ ଅଧିକ ସମୟ ପରେ ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍ ବ୍ୟତୀତ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ଚୟନ ହୋଇଛନ୍ତି। ଶାମି କୋଲକାତାରେ ଖେଳା ଯାଇଥିବା ପ୍ରଥମ ଟି-୨୦ ଓ ଚେନ୍ନାଇରେ ଦ୍ଵିତୀୟ ଟି-୨୦ ମ୍ୟାଚ୍ ପୂର୍ବରୁ ନେଟ୍ସରେ ଖୁବ୍ ଝାଳବୁହା ଅଭ୍ୟାସ୍ କରିଥିଲେ। ତଥାପି ତୃତୀୟ ଟି-୨୦ ଖେଳିବା ନେଇ ସ୍ଥିତି ସ୍ପଷ୍ଟ ହୋଇ ନାହିଁ।
Also read: ୧୩ ବର୍ଷ ପରେ ରଣଜୀ ମ୍ୟାଚ୍ ଖେଳିବେ କୋହଲି, ଦିଲ୍ଲୀ ସ୍କ୍ଵାଡ୍ରେ ହେଲେ ସାମିଲ୍
କୋଟକ ସୋମବାର ମ୍ୟାଚ୍ ପୂର୍ବ ସନ୍ଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଶାମି ଫିଟ୍ ଅଛନ୍ତି ମାତ୍ର ସେ ଖେଳିବେ କି ନାହିଁ ଏ ବିଷୟରେ ନିଷ୍ପତ୍ତି ନେଇ ପାରିବୁ ନାହିଁ। ଆଗାମୀ ମ୍ୟାଚ୍ ଓ ଦିନିକିଆରେ ମଧ୍ୟ ଶାମିଙ୍କ ପାଇଁ କୌଣସି ରଣନୀତି ଥିବ। ମାତ୍ର ସେ କେଉଁ ମ୍ୟାଚ୍ରେ ଖେଳିବେ ତାର ନିଷ୍ପତ୍ତି କୋଚ୍ ଗୌତମ ଗମ୍ଭୀର ଓ ଅଧିନାୟକ ସୂର୍ଯ୍ୟକୁମାର ନିଷ୍ପତ୍ତି ନେବେ। ତାଙ୍କ ଫିଟନେସ୍କୁ ନେଇ କୌଣସି ସମସ୍ୟା ନାହିଁ।