ଗାଜା ନୁସେରାତ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍; ୧୭ ମୃତ, ୩୨ରୁ ଅଧିକ ଆହତ

Published By : Prameya-News7 Bureau | October 25, 2024 IST

ଗାଜା ସିଟି,୨୫/୧୦: ଗାଜାରେ ଇସ୍ରାଏଲର ନରସଂହାର ଜାରି ରହିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଗାଜାର ଏକ ସ୍କୁଲ ଉପରେ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ କିଛି ଛୋଟ ପିଲାଙ୍କ ସମେତ ୧୭ଜଣ ପ୍ରାଣ ହରାଇଛନ୍ତି । ସେହିପରି ୩୨ରୁ ଅଧିକ ଆହତ ହୋଇଛନ୍ତି । 

ସୂଚନା ଅନୁଯାୟୀ, ନୁସେରାତ କ୍ୟାମ୍ପରେ ଥିବା ଏକ ଆଶ୍ରୟସ୍ଥଳୀ ଉପରେ ଏହି ହମ୍‌ଲା  ହୋଇଛି । ସ୍କୁଲକୁ ଆଶ୍ରୟସ୍ଥଳରେ ପରିଣତ କରାଯାଇଥିଲା । ମୃତକଙ୍କ ମଧ୍ୟରେ ୭  ବର୍ଷୀୟ ହମାଦ, ୮ ବର୍ଷୀୟ ମହମ୍ମଦ, ୯ ବର୍ଷୀୟ ମୋତାସିମ୍‌ ଓ ୫ ବର୍ଷୀୟ ମଲାକ୍‌ ରହିଛି । ଦୁଇ ମହିଳାଙ୍କ ସହ ୧୧ ମାସର ଜଣେ ପିଲା ବି ପ୍ରାଣ ହରାଇଛି । ତେବେ  ପ୍ରଥମ ଥର ପାଇଁ ଗାଜାର ସ୍କୁଲ ଉପରେ ଏଭଳି ଇସ୍ରାଏଲ୍‌ ଆକ୍ରମଣ କରିନାହିଁ । ବର୍ତ୍ତମାନ ଏହା ସ୍କୁଲଗୁଡ଼ିକୁ ଅଧିକ ଟାର୍ଗେଟ୍‌ କରୁଛି । ବିଭିନ୍ନ ସ୍ଥାନରୁ ବିସ୍ଥାପିତ ହୋଇ ଆସିଥିବା ପରିବାରଗୁଡ଼ିକ ସ୍କୁଲ୍‌କୁ ନିରାପଦ ଭାବି ଆଶ୍ରୟ ନେଉଥିବା ବେଳେ ଇସ୍ରାଏଲ୍‌ ସେନାର ଆଖି ସେମାନଙ୍କ ଉପରେ ପଡ଼ିଛି । ଏଠାରେ ଆତଙ୍କୀମାନେ ଲୁଚିଥିବା ଅଭିଯୋଗ କରି ଇସ୍ରାଏଲ୍‌ ଏମାନଙ୍କୁ ଟାର୍ଗେଟ୍‌ କରୁଛି । 

ଅସ୍ଥାୟୀ ଶିବିର ଏବଂ ଆଶ୍ରୟସ୍ଥଳ ଉପରେ  ବର୍ତ୍ତମାନ ଜୋରଦାର ଆକ୍ରମଣ କରାଯାଉଛି । ଏଭଳି ସ୍ଥିତିରେ କେନ୍ଦ୍ରୀୟ ଗାଜାରେ ଥିବା ଡେର୍‌ ଏଲ୍‌-ବଲାହ ସହରରେ ସାଙ୍ଘାତିକ ଖାଦ୍ୟାଭାବ ସମସ୍ୟା ଦେଖାଦେଇଛି ।  ଲୋକମାନେ ଖାଇବାକୁ ନ ପାଇ ଡହଳବିକଳ ହେଉଛନ୍ତି । ସହରର ଏକ  ବେକରି ସପ୍‌ ଖୋଲିବା ପରେ ଏହା ସମ୍ମୁଖରେ ହଜାର ହଜାର ଲୋକ ଭିଡ଼   ଜମାଇଥିଲେ । କିନ୍ତୁ କିଛି କ୍ଷଣ ପରେ ଦୋକାନ ଖାଲି ହୋଇଯାଇଥିଲା । ଫଳରେ  ଲୋକମାନେ ଭୋକିଲା ପେଟରେ ଫେରିଥିଲେ । ଏହି ଦୃଶ୍ୟ ଅତ୍ୟନ୍ତ ଦୟନୀୟ ଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.