ଗାଜାରେ ସଂଘର୍ଷ ଭିତରେ ଆଭ୍ୟନ୍ତରୀଣ ରାଜନୀତିରେ ଫସିଲେ ନେତନ୍ୟାହୁ, ଭାଙ୍ଗିଲେ ୱାର୍ କ୍ୟାବିନେଟ୍

Published By : Prameya-News7 Bureau | June 17, 2024 IST

ନୂଆଦିଲ୍ଲୀ: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ପାଇଁ ସଂକଟ କମିବାର ନାଁ ଧରୁ ନାହିଁ । ବୈଶ୍ୱିକ ସ୍ତରରେ ଲଗାତାର ଚାପର ସାମନା କରୁଥିବା ନେତନ୍ୟାହୁଙ୍କୁ ଏବେ ନିଜ ଘର ମଧ୍ୟ ଚାପର ସାମନା କରିବାକୁ ପଡ଼ୁଛି । ନେତନ୍ୟାହୁ ଗାଜାରେ ଚାଲିଥିବା ଯୁଦ୍ଧ ପାଇଁ ଗଠନ କରିଥିବା ୬ ସଦସ୍ୟ ବିଶିଷ୍ଟ ୱାର୍ କ୍ୟାବିନେଟ୍ ଭଙ୍ଗ କରିଛନ୍ତି । ଇସ୍ରାଏଲରେ ବର୍ତ୍ତମାନ ସମୟରେ ମେଣ୍ଟ ସରକାର ଚାଲିଛି । ନେତନ୍ୟାହୁ ସେହି ମେଣ୍ଟ ସରକାରର ନେତୃତ୍ୱ କରୁଛନ୍ତି । ମେଣ୍ଟର ସଦସ୍ୟ ବେନି ଗେଟଜ୍ କିଛି ଦିନ ପୂର୍ବେ ମେଣ୍ଟରୁ ସମର୍ଥନ ଫେରାଇ ନେଇଥିଲେ । ଏହାପରେ ଆଶଂକା କରାଯାଉଥିଲା ଯେ ୱାର୍ କ୍ୟାବିନେଟକୁ ଭଙ୍ଗ କରାଯାଇପାରେ ।

ମେଣ୍ଟର ସହଯୋଗୀ ରାଷ୍ଟ୍ରବାଦୀ ଏବଂ ଧାର୍ମିକ ପାର୍ଟି ଦ୍ୱାରା ଲଗାତାର ତାଙ୍କୁ ୱାର୍ କ୍ୟାବିନେଟ୍ ସାମିଲ କରିବା ପାଇଁ ଦାବି କରାଯାଉଥିଲା । ଇସ୍ରାଏଲୀ ଅର୍ଥମନ୍ତ୍ରୀ ଏବଂ ନ୍ୟାସନାଲ୍ ସିକ୍ୟୁରିଟି ମନ୍ତ୍ରୀ ମଧ୍ୟ ଏହି କ୍ୟାବିନେଟର ଅଂଶ ରହିଥାନ୍ତି । ଇସ୍ରାଏଲରେ କୌଣସି ଯୁଦ୍ଧ ସମୟରେ ୱାର୍ କ୍ୟାବିନେଟ୍ ଗଠନ କରାଯାଇଥାଏ, ଯାହା ଯୁଦ୍ଧ ସହ ଜଡ଼ିତ ଯେକୌଣସି ନିଷ୍ପତ୍ତି ନେଇଥାଏ । ଉଲ୍ଲେଖଯୋଗ୍ୟ ଯେ ଇସ୍ରାଏଲ୍ ପ୍ରତିଦିନ କିଛି ଘଣ୍ଟା ଯାଏ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ନେଇଥିଲା । ଏହା ଅନୁସାରେ ସ୍ଥାନୀୟ ସମୟାନୁସାରେ ସକାଳ ୮ଟାରୁ ସଂଧ୍ୟା ସାତଟା ଯାଏ ଇସ୍ରାଏଲ ସୈନ୍ୟ ଆକ୍ରମଣ ବନ୍ଦ ରଖିବ ।

ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ଘୋର ଦକ୍ଷିଣପନ୍ଥୀ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହି ଗୋଷ୍ଠୀ ନେତନ୍ୟାହୁ ସରକାରରେ ମଧ୍ୟ ସାମିଲ ଅଟେ । ଏଭଳି ସ୍ଥିତିରେ ଏହି ଗୋଷ୍ଠୀର ପ୍ରଶ୍ନ ଉପରେ ସେନା ଜବାବ ଦେଇଛି ଏବଂ ବିଶ୍ୱାସ ଦେଇଛି ଯେ ଏହି ବିରତିର ଅର୍ଥ ଯୁଦ୍ଧ ଶେଷ ହୋଇ ନାହିଁ । ହମାସକୁ ଶେଷ କରିବା ପାଇଁ ଆକ୍ରମଣ ଜାରି ରଖିବୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.