ଏମର୍ଜେନ୍ସି ଉପରେ ପ୍ରସ୍ତାବ: ବିରୋଧୀଙ୍କ ହଙ୍ଗାମା ଭିତରେ ଲୋକସଭାରେ ନୀରବ ପ୍ରାର୍ଥନା, ବାଚସ୍ପତି କହିଲେ-ଇତିହାସର କଳା ଅଧ୍ୟାୟ

Published By : Prameya-News7 Bureau | June 26, 2024 IST

ନୂଆଦିଲ୍ଲୀ: ଓମ୍ ବିର୍ଲା ପୁଣି ଥରେ ଲୋକସଭା ବାଚସ୍ପତି ହୋଇଛନ୍ତି । ପଦ ସମ୍ଭାଳିବା ପରେ ହିଁ ସେ ୧୯୭୫ ମସିହାରେ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏମର୍ଜେନ୍ସି କଥା ମନେ ପକାଇଛନ୍ତି । ଏହାସହ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆଭିମୁଖ୍ୟକୁ ମଧ୍ୟ ଗଣତନ୍ତ୍ର ବିରୋଧୀ ବୋଲି କହିଛନ୍ତି । ଯାହାପରେ ବୁଧବାର ବିରୋଧୀ ଏହାକୁ ନେଇ ଜୋରଦାର ହଙ୍ଗାମା କରିଥିଲେ । ବିରୋଧୀଙ୍କ ନାରାବାଜି ଭିତରେ ଗୃହକୁ ମୁଲତବି କରାଯାଇଛି ।

ବୁଧବାର ସଂସଦରେ ନୀରବ ପ୍ରାର୍ଥନା କରାଯାଇଥିଲା । ବାଚସ୍ପତି ଓମ୍ ବିର୍ଲା କହିଥିଲେ, ‘ଜରୁରିକାଳୀନ ଭାରତରେ କେତେ ନାଁ ନାଗରିକଙ୍କ ଜୀବନକୁ ନଷ୍ଟ କରିଥିଲା, କେତେ ଲୋକଙ୍କ ମୃତ୍ୟୁ ହୋଇଥିଲା । ଏମର୍ଜେନ୍ସିର ସେହି କାଳ ସମୟରେ, କଂଗ୍ରେସର ଏକଛତ୍ରବାଦ ସରକାରର ହାତରେ ନିଜ ଜୀବନ ହରାଇଥିବା ଭାରତର କର୍ତ୍ତବ୍ୟନିଷ୍ଠ ଏବଂ ଦେଶକୁ ପ୍ରେମ କରିଥିବା ନାଗରିକଙ୍କ ସ୍ମୃତିରେ ଆମେ ଦୁଇ ମିନିଟ୍ ନୀରବ ରଖିବା ।‘

ଏହାପରେ ଶାସକ ଦଳର ସଦସ୍ୟ କିଛି ସମୟ ଯାଏ ନୀରବ ପ୍ରାର୍ଥନା କରିଥିଲେ । ତେବେ ଏହି ସମୟରେ ବିରୋଧୀ ସଦସ୍ୟ ନାରାବାଜି ଏବଂ ହଙ୍ଗାମା ଜାରି ରଖିଥିଲେ । ନୀରବ ରହିଥିବା ସଦସ୍ୟଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ମନ୍ତ୍ରିପରିଷଦର ସମସ୍ତ ସଦ୍ୟସ ଏବଂ ଶାସକ ଦଳର ଅନ୍ୟ ସାଂସଦ ସାମିଲ ଥିଲେ ।

ବାଚସ୍ପତି କହିଥିଲେ, ୧୯୭୫ରୁ ୧୯୭୭ର ସେହି କଳା ଅଧ୍ୟାୟ ଆପେ ଆପେ ଏପରି ଏକ କାଳଖଣ୍ଡ, ଯାହା ଆମକୁ ସମ୍ୱିଧାନର ନୀତି, ସଂଘୀୟ ବ୍ୟବସ୍ଥା ଏବଂ ନ୍ୟାୟିକ ସ୍ୱତନ୍ତ୍ରତାର ଗୁରୁତ୍ୱକୁ ମନେ ପକାଏ । ଏହି କାଳଖଣ୍ଡ ଆମକୁ ସ୍ମରଣ କରାଉଛି ଯେ କିପରି ସେହି ସମୟରେ ଏହି ସବୁ ଉପରେ ଆକ୍ରମଣ କରାଯାଇଥିଲା ଏବଂ କାହିଁକି ଏମାନଙ୍କ ସୁରକ୍ଷା ଦରକାର । ସେ କହିଥିଲେ, 'ଏମର୍ଜେନ୍ସି ସମୟରେ ଲୋକଙ୍କୁ କଂଗ୍ରେସ ଦ୍ୱାରା ଲଦା ଯାଇଥିବା ବନ୍ଧ୍ୟାକରଣ, ଜବରଦଖଲ ଉଚ୍ଛେଦ ନାଁରେ କରାଯାଇଥିବା ମନମାନି ଏବଂ ସରକାରଙ୍କ କୁନୀତିର ପ୍ରହାର ସହିବାକୁ ପଡ଼ିଥିଲା । ଏହି ଗୃହ ସେହି ସମସ୍ତ ଲୋକଙ୍କ ପ୍ରତି ସମବେଦନା ପ୍ରକାଶ କରୁଛି ।' 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.