ନୂଆଦିଲ୍ଲୀ: ଟ୍ରମ୍ପଙ୍କ ୨୫ ପ୍ରତିଶତ ଶୁଳ୍କରୁ ରକ୍ଷା ପାଇବାକୁ ଆମେରିକାକୁ ମାସକ ପାଇଁ ରପ୍ତାନୀ ବନ୍ଦ କଲା ଟାଟା ମୋଟର୍ସର ପ୍ରିମିୟମ୍ କାର୍ କମ୍ପାନୀ ଜାଗୁଆର ଲ୍ୟାଣ୍ଡ ରୋଭର (JLR)। କମ୍ପାନୀ ଏପ୍ରିଲ୍ରେ ଆମେରିକାକୁ କାର୍ ରପ୍ତାନୀ କରିବ ନାହିଁ। ଏହି ପଦକ୍ଷେପ ନୂଆ ଶୁଳ୍କର ପ୍ରଭାବକୁ ହ୍ରାସ କରିବା ପାଇଁ କମ୍ପାନୀର ରଣନୀତୀ ବୋଲି ଜେଏଲ୍ଆର୍ କହିଛି।
ଏନଡିଟିଭ ପ୍ରଫିଟର ଏକ ଇମେଲ୍ ଉତ୍ତରରେ ରେଞ୍ଜ ରୋଭର କମ୍ପାନୀର ମୁଖପାତ୍ର କହିଛନ୍ତି "JLRର ଲଗଜରୀ ବ୍ରାଣ୍ଡ ପାଇଁ ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଆମେ ଆମର ବ୍ୟବସାୟିକ ପାର୍ଟନରମାନଙ୍କ ସହିତ ନୂଆ ବାଣିଜ୍ୟିକ ସର୍ତ୍ତାବଳୀର ସମାଧାନ କରୁଛୁ। ତେଣୁ ସ୍ୱଳ୍ପ ସମୟର କାର୍ଯ୍ୟାନୁଷ୍ଠାନରେ ଆମେ ଏପ୍ରିଲ୍ରେ କାର୍ ରପ୍ତାନୀ ବନ୍ଦ କରୁଛି। ଏହାରି ଭିତରେ ଆମେ ମଧ୍ୟମରୁ ଦୀର୍ଘକାଳୀନର ଏକ ବ୍ୟବସାୟିକ ଯୋଜନା ବିକଶିତ କରିବାକୁ ଚେଷ୍ଟା ଜାରି ରଖିଛୁ।"
ପ୍ରକୃତରେ, ଏପ୍ରିଲ ୩ ରୁ, ଆମେରିକା ଆମଦାନୀ କରୁଥିବା କାର ଏବଂ ହାଲୁକା ଟ୍ରକ୍ ଉପରେ ୨୫% ଶୁଳ୍କ ଲାଗୁ କରିଥିଲା। ୨୭ ମାର୍ଚ୍ଚରେ ୨୫% ଶୁଳ୍କ ଘୋଷଣା ପରେ ଟାଟା ମୋଟର୍ସର ସେୟାର ୧୫% ହ୍ରାସ ପାଇଛି। ଏହା ବ୍ୟତୀତ ଆମେରିକୀୟ ଅଟୋମୋବାଇଲ କମ୍ପାନୀ ଜେନେରାଲ ମୋଟର୍ସର ସେୟାର ୩% ଏବଂ ଷ୍ଟେଲାଣ୍ଟିସର ସେୟାର ୧୫% ହ୍ରାସ ପାଇଛି।
ପଢନ୍ତୁ- ଟ୍ରମ୍ପଙ୍କ ଟାରିଫ ପରେ ଜଗତୀକରଣର ଯୁଗ ଶେଷ: ସୋମବାର ଘୋଷଣା କରିବେ ୟୁକେ ପିଏମ୍
ଆମେରିକାରେ ବଢ଼ିବା କାର ମୂଲ୍ୟ
ରିପୋର୍ଟ ଅନୁଯାୟୀ, ଆମେରିକାରେ ନୂଆ କାରର ହାରାହାରି ମୂଲ୍ୟ ପୂର୍ବରୁ ପ୍ରାୟ ୪୯,୦୦୦ ଆମେରିକୀୟ ଡଲାର (୪୨ ଲକ୍ଷ ଟଙ୍କା) ରହିଛି। ନୂଆ ଶୁଳ୍କ ଲାଗୁ ହେବା ପରେ, ଗ୍ରାହକଙ୍କ ଉପରେ ଏହାର ବୋଝ ପଡ଼ିବ। ଫଳରେ ଆମଦାନୀ କାରଗୁଡ଼ିକର ମୂଲ୍ୟ ୧୨,୫୦୦ ଡଲାର (୧୦ ଲକ୍ଷ ଟଙ୍କା) ବୃଦ୍ଧି କରିପାରେ।
ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଅନୁଯାୟୀ, ଏହି ଶୁଳ୍କ ଯାନବାହାନ ନିର୍ମାତାଙ୍କ ପାଇଁ ଖର୍ଚ୍ଚ ବୃଦ୍ଧି କରିପାରେ ଏବଂ ବିକ୍ରୟରେ ହ୍ରାସ ଆଣିପାରେ। ଆମେରିକୀୟ କାର୍ କମ୍ପାନୀଗୁଡ଼ିକ ସେମାନଙ୍କର ଅନେକ ଅଟୋ ପାର୍ଟସ୍ ଅନ୍ୟ ଦେଶରୁ ଆମଦାନୀ କରନ୍ତି। ଟାରିଫ ଦ୍ୱାରା ସେଗୁଡ଼ିକର ମୂଲ୍ୟ ବି ବଢିଯିବ।
ପଢନ୍ତୁ- ଟ୍ରମ୍ପଙ୍କ ଟାରିଫ୍ ଛାଟରେ ସେୟାର ବଜାର କ୍ରାସ୍; TCS ରୁ RIL ଓ Infosys ପର୍ଯ୍ୟନ୍ତ ବଡ଼ କ୍ଷତି