ବେଙ୍ଗାଲୁରୁ ୧୬।୨: ତାମିଲନାଡୁର ଦିବଙ୍ଗତ ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ସମ୍ପର୍କିତ ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜବତ ହୋଇଥିବା ସମ୍ପତ୍ତିକୁ କର୍ଣ୍ଣାଟକ ସରକାର ଶନିବାର ତାମିଲନାଡୁ ସରକାରଙ୍କୁ ଔପଚାରିକ ରୂପେ ସମର୍ପି ଦେଇଛନ୍ତି। ଦୁଇ ଦିନ ଧରି ଚାଲିଥିବା ଏହି ପ୍ରକ୍ରିୟାରେ ସମସ୍ତ ମୂଲ୍ୟବାନ ସାମଗ୍ରୀ ତାମିଲନାଡୁ ଅଧିକାରୀଙ୍କୁ ହସ୍ତାନ୍ତର କରା ଯାଇଛି। ଏହି ସବୁ ମୂଲ୍ୟବାନ ସାମଗ୍ରୀ କର୍ଣ୍ଣାଟକ ବିଧାନସୌଧ କୋଷାଗାରରେ ସୁରକ୍ଷିତ ଥିଲା।
ଏହି ହସ୍ତାନ୍ତରଣ ପ୍ରକ୍ରିୟାରେ କର୍ଣ୍ଣାଟକ ସରକାରଙ୍କ ନିକଟରେ ଜମା ୨୭.୫୫୮ କେଜି ସ୍ୱର୍ଣ୍ଣାଭୂଷଣ ସମେତ ୧,୧୧୬ କେଜି ରୂପା, ୧ ହଜାର ୫୨୬ ଏକର ଜମି କାଗଜପତ୍ର, ନଗଦ ୨.୨୦ ଲକ୍ଷ ଟଙ୍କା ଓ ଅନ୍ୟ ମୂଲ୍ୟବାନ ବସ୍ତୁ ତାମିଲନାଡୁ ସରକାରଙ୍କୁ ସମର୍ପି ଦିଆଯାଇଛି। ବେଙ୍ଗାଲୁରୁ ସ୍ୱତନ୍ତ୍ର ନ୍ୟାୟାଳୟ ଜେ. ଜୟଲଳିତାଙ୍କ ଜବତ ସମ୍ପତ୍ତି ଓ ମୂଲ୍ୟବାନ ସାମଗ୍ରୀକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜବତ ସମ୍ପତ୍ତିରେ ୧୧,୩୪୪ଟି ରେସମୀ ସାଢୀ, ୪୬୮ଟି ସୁନା ଓ ହୀରାର ଆଭୂଷଣ, ୭୫୦ ହଳ ଚପଲ, ଘଡ଼ି, ୨୫୦ଟି ଶାଲ, ୧୨ଟି ରେଫ୍ରିଜେରେଟର, ୧୦ଟି ଟେଲିଭିଜନ ସେଟ, ୮ଟି ଭିସିଆର, ୪ଟି ସିଡି ପ୍ଲେୟର, ୨୪ଟି ଟେପ ରେକର୍ଡର, ୧ହଜାର ୪୦ଟି ଭିଡିଓ କ୍ୟାସେଟ୍ ଓ ୫ଟି ଲୁହା ଲକର ରହିଛି। ଏହି ସମ୍ପତ୍ତି ଗ୍ରହଣ କରିବା ପାଇଁ ତାମିଲନାଡୁ ପୋଲିସ ଅଧିକାରୀଙ୍କ ଏକ ଟିମ୍ ବେଙ୍ଗାଲୁରୁ ପହଞ୍ଚିଥିଲେ। ଅଧିକାରୀଙ୍କ ଉପସ୍ଥିତିରେ ସମ୍ପତ୍ତି ହସ୍ତାନ୍ତରଣର ଔପଚାରିକ ପ୍ରକ୍ରିୟା ପୂରଣ କରାଯାଇଛି।
ଉଲ୍ଲେଖଯୋଗ୍ୟ ଜୟଲଳିତାଙ୍କ ଝିଆରୀ ଜେ.ଦୀପା ଓ ପୁତୁରା ଜେ. ଦୀପକ ଜବତ ସାମଗ୍ରୀ ନିଜର ବୋଲି ଦାବି କରି କର୍ଣ୍ଣାଟକ ହାଇକୋର୍ଟରେ ଅପିଲ ଦାୟର କରିଥିଲେ। ହାଇକୋର୍ଟଙ୍କ ଏକକ ପୀଠ ଆବେଦନ ଖାରଜ କରିଦେଇଥିଲେ। ଏହା ପରେ ସମ୍ପତ୍ତି ହସ୍ତାନ୍ତରଣ ପ୍ରକ୍ରିୟା ପୂରଣ କରାଯାଇଛି। ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଜେ. ଜୟଲଳିତା ଓ ତାଙ୍କ ନିକଟ ସହଯୋଗୀଙ୍କ ଉପରେ ଅବୈଧ ସମ୍ପତ୍ତି ଅର୍ଜନ କରିବାର ଅଭିଯୋଗ ଥିଲା। କୋର୍ଟ କାର୍ଯ୍ୟାନୁଷ୍ଠାନ ପରେ ସମ୍ପତ୍ତି ଜବତ କରି କର୍ଣ୍ଣାଟକ ସରକାରଙ୍କ ଅଧିକାରରେ ରଖାଯାଇଥିଲା। ଏବେ କୋର୍ଟଙ୍କ ଆଦେଶରେ ଏହି ସମ୍ପତ୍ତିକୁ ତାମିଲନାଡୁ ସରକାରଙ୍କୁ ହସ୍ତାନ୍ତରଣ କରାଯାଇଛି।