ଖବର ସଂଗ୍ରହ ବେଳେ ବିଡିଓଙ୍କ ଦାଦାଗିରି ! ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

Published By : Prameya-News7 Bureau | November 02, 2024 IST

ସୋନପୁର ୦୨।୧୧ : ଖବର ସଂଗ୍ରହ କରିବାକୁ ଯିବା ବେଳେ ଦାଦାଗିରି ଦେଖାଇଲେ ବିଡିଓ । ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଲହୁଲୁହାଣ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ସାମ୍ବାଦିକ। କେବଳ ସେତିକି ନୁହେଁ ବିନା ତଦନ୍ତରେ ରାତିଅଧିଆ ସାମ୍ବାଦିକଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ କରିଛି ପୋଲିସ। ହେଲେ ମାଡ ଦେଇ ରକ୍ତାକ୍ତ କରିଥିବା ବିଡିଓଙ୍କ ବିରୋଧରେ ଅଭିଯୋଗ ସତ୍ବେ ପୋଲିସ କୌଣସି ଆକ୍ସନ ନେଲାନି । 

ସୁବର୍ଣ୍ଣପୁର ବ୍ଲକ ବିଡିଓ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ଦାଦାଗିରି ଦେଖାଇଛନ୍ତି। ବ୍ଲକକୁ ଖବର ସଂଗ୍ରହ କରିବାକୁ ଯାଇଥିବା ନ୍ୟୁଜ 7 ପ୍ରତିନିଧି ଧିରେନ୍ଦ୍ର କୁମାର ଦାନୀଙ୍କୁ ବିଡ଼ିଓ ସୌମ୍ୟରଞ୍ଜନ ସ୍ୱାଇଁ ମରଣାନ୍ତକ ଆକ୍ରମଣ କରିଥିଲେ। ଧୀରେନ୍ଦ୍ରଙ୍କ ଅଭିଯୋଗ ଅନୁଯାୟୀ ଏକ ସ୍କୁଲ କାମ ଦୁର୍ନୀତି ବିଷୟରେ ବିଡିଓଙ୍କ ସ୍ପଷ୍ଟିକରଣ ଓ ଅନ୍ୟାନ୍ୟ ତଥ୍ୟ ସଂଗ୍ରହ କରିବା ପାଇଁ ସେ ଯାଇଥିଲେ। ମିଥ୍ୟା ଭାଉଚର ଦେଖାଇ ଲକ୍ଷ ଲକ୍ଷ ଟଙ୍କାର ହୋଇଥିବା ମିଥ୍ୟା ବିଲ ଉପରେ ତାଙ୍କର ସ୍ପଷ୍ଟିକରଣ ମାଗିବାରୁ ସେ ହଠାତ ରାଗିଯାଇଥିଲେ । ଧମକ ଦେଇଥିଲେ । ଧୀରେନ୍ଦ୍ର ପ୍ରତିବାଦ କରିବାରୁ ମରଣାନ୍ତକ ଆକ୍ରମଣ କରିଥିଲେ। ହାତରେ ଏକ ଲୁହାର ମାରଣାସ୍ତ୍ର ପିନ୍ଧି ବାରମ୍ଵାର ମୁଥା ମାରିଥିଲେ। ମାଡରେ ସାମ୍ବାଦିକଙ୍କ ମୁହଁ ଓଠ ଫାଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ମୁହଁ, ମୁଣ୍ଡ,ହାତ, ବେକକୁ ମାଡ଼ ମାରଥିଲେ ବିଡିଓ ସୌମ୍ୟ ରଞ୍ଜନ। ଘଟଣା ବେଳେ ବାହାରେ ଥିବା ଅନ୍ୟ ଦୁଇଜଣ ସାମ୍ବାଦିକ ଓ ବ୍ଲକର କର୍ମଚାରୀ ପହଁଚି ଧିରେନ୍ଦ୍ରଙ୍କୁ ଆକ୍ରମଣରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଏହି ଘଟଣା ପରେ ପୋଲିସ ଥାନାକୁ ଡାକି ଧୀରେନ୍ଦ୍ରଙ୍କୁ ଘଣ୍ଟା ଘଣ୍ଟା ଧରି ବସାଇଥିଲା । ଏହାପରେ ରାତିଅଧରେ କୋର୍ଟ ଚାଲାଣ କରିିଥିଲା । 

ତେବେ ସବୁଠୁ ବଡ଼ ପ୍ରଶ୍ନ, ରାତି ଅଧରେ ପୋଲିସ ଏପରି କି ତଦନ୍ତ ଏପରି କଲା ଯେ, ଜଣାପଡିଲା ବିଡିଓ ଦୋଷୀ ନୁହନ୍ତି, ସାମ୍ବାଦିକ ଦୋଷୀ । ଖବର ସଂଗ୍ରହ କରିବାକୁ ଯାଇଥିବା ଜଣେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ବିଡିଓଙ୍କୁ ଥାନାକୁ ଡାକିଲାନି ପୋଲିସ । ପଚରାଉଚରା ବି କଲାନି। ବରଂ ମାଡ ଖାଇ ଆହତ ହୋଇଥିବା ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କଲା ପୋଲିସ। ଏହା କଣ ଦର୍ଶାଉଛି । କାହା ଚାପରେ ପୋଲିସ ରାତିଅଧରେ ସାମ୍ବାଦିକଙ୍କୁ କୋର୍ଟ ଚାଲାଣ କଲା। କୁଆଡେ ଗଲେ ବିଡିଓ ସୌମ୍ୟରଞ୍ଜନ। ତାଙ୍କୁ ପଚରାଉଚରା କରିଛି କି ପୋଲିସ। ବିଡିଓ କଣ ଅଭିଯୋଗ ଆଣିଛନ୍ତି ଯେ ଯାହା ଆଧାରରେ ପୋଲିସ ସାମ୍ବାଦିକଙ୍କୁ ଗିରଫ କଲା। ଏହି ଘଟଣା କୁ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ ଅତ୍ୟନ୍ତ ଗୁରୁତ୍ବ ସହକାରେ ନେଇଛି। ତୁରନ୍ତ ଅଭିଯୁକ୍ତ ବିଡ଼ିଓଙ୍କୁ ଗିରଫ କରାଯିବା ସହିତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.