ନୂଆଦିଲ୍ଲୀ: ଓଡ଼ିଶା ପାଇଁ ଆଶ୍ୱସ୍ତିର ଖବର। ରାଜ୍ୟରୁ ଓହରିବନି ଜେଏସ୍ଡବ୍ଲୁ ଗ୍ରୁପର ଇଭି ଓ ବ୍ୟାଟେରୀ ପ୍ରୋଜେକ୍ଟ। ଏନେଇ ମଙ୍ଗଳବାର କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ ଇକୋନୋମିକ୍ସ ଟାଇମ୍ସକୁ ସୂଚନା ଦେଇଛନ୍ତି।
୨୦୨୪ ଫେବ୍ରୁଆରୀ ୧୦ ତାରିଖରେ ବିଜେଡି ସରକାର ସମୟରେ JSW ଓଡ଼ିଶାରେ ୪୦ ହଜାର କୋଟି ଟଙ୍କା ବିନିମୟରେ ଏକ ଇଲେକ୍ଟ୍ରିକ ଗାଡ଼ି ଓ ବ୍ୟାଟେରି ନିର୍ମାଣକାରୀ କାରଖାନା ବସାଇବା ନେଇ ଚୁକ୍ତି କରିଥିଲା। ତେବେ କାମରେ ବିଳମ୍ବ ଯୋଗୁ କମ୍ପାନୀ ଏଠାରୁ ମହାରାଷ୍ଟ୍ରକୁ ଚାଲିଯିବ ବୋଲି ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ହେଲେ ଏବେ କମ୍ପାନୀ ପକ୍ଷରୁ ମିଳିଥିବା ପ୍ରତିଶ୍ରୁତି, ନିଯୁକ୍ତି ଖୋଜୁଥିବା ଓଡ଼ିଶା ପାଇଁ ଆଶ୍ୱସ୍ତିର ଖବର ହୋଇଛି।
ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ଏନେଇ ଜେଏସଡବ୍ଲୁର କର୍ପୋରେଟ୍ ଷ୍ଟ୍ରାଟେଜୀ କାର୍ଯ୍ୟକାରୀ ଉପାଧ୍ୟକ୍ଷ, ଅଫିସ୍ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ରଞ୍ଜନ ନାୟକଙ୍କୁ ପ୍ରଶ୍ନ କରାଯାଇଥିଲା। ଜେଏସ୍ଡବ୍ଲୁ ଓଡ଼ିଶାରୁ ପ୍ରତ୍ୟାହାର ହେବ ନାହିଁ ବୋଲି ଶ୍ରୀ ନାୟକ କହିଥିଲେ।
କମ୍ପାନୀର ଚୁକ୍ତି ଅନୁସାରେ, ଜେଏସଡବ୍ଲୁ କଟକ ନରାଜ ଠାରେ ୨୫ ହଜାର କୋଟି ବିନିମୟରେ ଇଲେକ୍ଟ୍ରିକ ଯାନ ଓ ଏହାର ବ୍ୟାଟେରୀ ତିଆରି ପାଇଁ ପ୍ଲାଣ୍ଟ ବସାଇବାକୁ ଯୋଜନା କରିଥିଲା। ସେହିପରି ଜଗତସିଂହପୁର ଜିଲ୍ଲା ପାରାଦ୍ୱୀପରେ କମ୍ପାନୀ ୧୫ ହଜାର କୋଟି ଖର୍ଚ୍ଚରେ ଲିଥିୟମ ରିଫାଇନାରୀ ପ୍ଲାଣ୍ଟ ସହ ଇଲେକ୍ଟ୍ରିକ ପାୱାର ଷ୍ଟ୍ରେନ୍ ସମେତ ଅନ୍ୟାନ୍ୟ ଉପକରଣ ତିଆରି କରିବାକୁ ଯୋଜନା କରିଥିଲା। ଏଥିରେ ଓଡ଼ିଶାରେ ୪ ହଜାର ନିଯୁକ୍ତି ହୋଇଥାନ୍ତା ବୋଲି ତତକାଳୀନ ସରକାର ସୂଚନା ଦେଇଥିଲେ।
ମୋଟ ୪୦ ହଜାର କୋଟିରେ କମ୍ପାନୀ୫୦ ଗିଗାୱଟ କ୍ଷମତାଯୁକ୍ତ ଇଭି ବ୍ୟାଟେରୀ ପ୍ଲାଣ୍ଟ, ଇଭି, ଲିଥିୟମ ରିଫାଇନାରୀ ଓ ତମ୍ବା ତରଳାଇବା ପ୍ଲାଣ୍ଟ ବସାଇବାକୁ ଯୋଜନା କରିଛି କମ୍ପାନୀ। ଜେଏସଡବ୍ଲୁର ଏହି ମହତ୍ୱକାଂକ୍ଷୀ ପ୍ରୋଜେକ୍ଟ ପାଇଁ ତତ୍କାଳୀନ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ କମ୍ପାନୀ ଚୁକ୍ତି ସ୍ୱାକ୍ଷାର କରିଥିଲା।
କମ୍ପାନୀ ଚାଲିଯିବା ନେଇ ମିଡିଆରେ ରିପୋର୍ଟ ପ୍ରକାଶ ପାଇବା ପରେ ଓଡ଼ିଶା ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାଯିବ। ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ ଫାଇନାଲ ହୋଇନାହିଁ। ନିବେଶକମାନେ ସେମାନଙ୍କ ମୁତାବକ ନିବେଶ କରନ୍ତି। ବିଭିନ୍ନ କାରଣ ପ୍ରକଳ୍ପ ବିଳମ୍ବ ହୁଏ।
JSW ଇଭି ଆରମ୍ଭରେ ମଧ୍ୟ ବିଳମ୍ବ ହୋଇଛି। ପୂର୍ବ ସରକାରରେ କ’ଣ ହେଇଛି ସେନେଇ ଆମେ କଥା ବାର୍ତ୍ତା କରିବୁ। ସିଫ୍ଟ ହେବା ନେଇ ଫାଇନାଲ ହୋଇ ନାହିଁ। ଆମକୁ କୌଣସି ସୂଚନା ମିଳିନାହିଁ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି।
ପିଟିଆଇକୁ ପ୍ରତିକ୍ରିୟା ଦେଇ ସମ୍ପଦ ସ୍ୱାଇଁ ଆହୁରି କହିଛନ୍ତି “ ପୂର୍ବ ସରକାର ସମୟରେ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲେ ବି ସରକାର କମ୍ପାନୀକୁ ଜମି ଦେଇ ନଥିଲେ। ବର୍ତ୍ତମାନ ଆମେ କମ୍ପାନୀ ସହ କଥା ହୋଇ ପ୍ଲାଣ୍ଟ ବସାଇବାକୁ ଚେଷ୍ଟା କରୁଛୁ। କମ୍ପାନୀ ଓଡ଼ିଶାରୁ ସ୍ଥାନାନ୍ତରିତ ହେବା ନେଇ ଆମକୁ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ପ୍ରୋଜେକ୍ଟ କାର୍ଯ୍ୟକାରୀରେ ବିଳମ୍ବ ହେଉଛି।”
ଏଥିସହିତ ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂରା ହେବାର ସଫଳତା ବିଷୟରେ ମଧ୍ୟ କହିଥିଲେ ଶିଳ୍ପ ମନ୍ତ୍ରୀ। ନୂଆ ସରକାରର ପ୍ରଥମ ୧୦୦ ଦିନରେ ଆମେ କେମିକଲ୍ସ, ସେମିକଣ୍ଡକ୍ଟର, ଷ୍ଟୀଲ ପାଇପ ଆଦି ବିଭିନ୍ନ କ୍ଷେତ୍ରରେ ୪୫ ହଜାର କୋଟିର ନିବେଶ ଆକୃଷ୍ଟ କରିପାରିଛୁ। ରାଜ୍ୟର ନିରନ୍ତର ଶୀଳ୍ପକରଣକୁ ନେଇ ସରକାର ଗମ୍ଭୀର ଅଛନ୍ତି ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ କହିଛନ୍ତି।