କଟକ: ଜଷ୍ଟିସ୍ ଅରିନ୍ଦମ ସିହ୍ନା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ । ଓଡିଶା ହାଇକୋର୍ଟରେ ବରିଷ୍ଠ ବିଚାରପତି ଅଛନ୍ତି ଜଷ୍ଟିସ୍ ଅରିନ୍ଦମ ସିହ୍ନା । ଜାନୁଆରୀ ୧୯ ତାରିଖରେ ଓଡିଶା ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଅବସର ନେବେ । ୨୦ତାରିଖରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଦାୟିତ୍ୱରେ ରହିବେ ଜଷ୍ଟିସ ସିହ୍ନା । ଏନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧାରୀ ଶରଣ ସିଂଙ୍କ ଅବସର ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୮କୁ ଖସି ଆସିବ । ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ ୩୩ ଜଣ ବିଚାରପତି ରହିପାରିବେ ।
ଲାଇଭ ଲ’ ରିପୋର୍ଟ ଅନୁସାରେ, ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କ ଜନ୍ମ ପଶ୍ଚିମବଙ୍ଗରେ ୧୯୬୫ ସେପ୍ଟେମ୍ବର ୨୨ ତାରିଖରେ ହୋଇଥିଲା । ଆଇନରେ ଶିକ୍ଷା ଶେଷ କରିବା ପରେ ୧୯୯୧ ମାର୍ଚ୍ଚ ୧୧ରେ ଆଇନଜୀବୀ ଭାବେ ନାମ ପଞ୍ଜିକରଣ କରିଥିଲେ । ଦୀର୍ଘ ୨୨ ବର୍ଷ ଧରି ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ୨୦୧୩ ଅକ୍ଟୋବର ୩୦ରେ ତାଙ୍କୁ କଲିକତା ହାଇକୋର୍ଟରେ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା । ଏହାପରେ ୨୦୧୬ ମାର୍ଚ୍ଚ ୧୪ ରେ କଲିକତା ହାଇକୋର୍ଟରେ ସ୍ଥାୟୀ ବିଚାରପତି ଭାବେ ଶପଥ ତାଙ୍କୁ ନିଯୁକ୍ତି ଦିଆଯାଇଥିଲା
ଏହାପରେ ୨୦୨୧ରେ ଜଷ୍ଟିସ ଅରିନ୍ଦମ ସିହ୍ନାଙ୍କୁ ଓଡିଶା ହାଇକୋର୍ଟକୁ ବଦଳି କରାଯାଇଥିଲା । ୨୦୨୧ ଅକ୍ଟୋବର ୮ରେ ସେ ଓଡିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଥିଲେ । ସେ ବର୍ତ୍ତମାନ ସାରା ଦେଶରେ ହାଇକୋର୍ଟର ବିଚାରପତିଙ୍କ ମିଳିତ ବରିଷ୍ଠତା ତାଲିକାରେ ୪୨ ଏବଂ କଲିକତା ହାଇକୋର୍ଟର ୭ତମ ବରିଷ୍ଠ ବିଚାରପତି । ୨୦୨୭ ସେପ୍ଟେମ୍ବର ୨୧ରେ ଜଷ୍ଟିସ ଅରିନ୍ଦମ ସିହ୍ନା ଅବସର ନେବେ ।