ଘରୋଇ କଳିରୁ କଙ୍ଗାରୁ କୋର୍ଟ: ମହିଳାଙ୍କୁ ଲଣ୍ଡା କରିଥିବା ଅଭିଯୋଗ,ସ୍ବାମୀ ସମେତ ୪ ଗିରଫ

Published By : Prameya-News7 Bureau | August 25, 2024 IST

ଝାରସୁଗୁଡା ୨୫/୮: ସ୍ବାମୀ ସ୍ତ୍ରୀ ଝଗଡ଼ାରେ ପ୍ରବେଶ କଲେ ତୃତୀୟ ପକ୍ଷ । ଜାତି ନାଁରେ ବସାଇଲେ କଙ୍ଗାରୁ କୋର୍ଟ l ବଡ଼ ବଡ଼ିଆ ମାନେ କଙ୍ଗାରୁ କୋର୍ଟରେ ମନଇଚ୍ଛା କଲେ ଦଣ୍ଡ ବିଧାନ l ସ୍ତ୍ରୀଙ୍କୁ ଲଣ୍ଡା କଲେ ଓ ତାଙ୍କ ନିକଟରୁ ଅର୍ଥ ଆଦାୟ କରି ମାଂସ ଭୋଜିକରି ଖାଇଲେ । ଝାରସୁଗୁଡା ଜିଲ୍ଲା ଲାଇକେରା ଥାନା ଜାମମାଲ ପଂଚାୟତର ରାଉତ ବାହାଲ ଗାଁର ଘଟଣା ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ପୁଅର ଅଭିଯୋଗ ପରେ ଆକ୍ସନକୁ ଆସିଲା ପୋଲିସ। ବାପା ସମେତ ୪ ଜଣଙ୍କୁ ଗିରଫ କଲା । 

ଲାଇକେରା ଥାନା ଜାମମାଲ ପଂଚାୟତର ରାଉତ ବାହାଲ ଗାଁର ମହେନ୍ଦ୍ର କିସାନଙ୍କ ଅତ୍ୟାଚାର ସହି ନପାରି ସ୍ତ୍ରୀ କୁଆଡ଼େ ତାଙ୍କ ଉପରକୁ ହାତ ଉଠାଇଥିଲେ l ଏହି ଘଟଣାକୁ ନେଇ ମହେନ୍ଦ୍ର ତାଙ୍କ ଜାତିଭାଇଙ୍କୁ ଡାକିଲେ। ବସିଲା କଙ୍ଗାରୁ କୋର୍ଟ। ମହେନ୍ଦ୍ରଙ୍କ ପତ୍ନୀଙ୍କୁ କୋର୍ଟରେ ଦୋଷୀ ସାବ୍ୟସ୍ତ କରାଗଲା। ଦଣ୍ଡ ମୁତାବକ ଖାସି,ଦେଶୀ କୁକୁଡ଼ା ଓ ୫ ହଜାର ଟଙ୍କା ଦଣ୍ଡ ଘୋଷଣା କରାଗଲା।

ଗାଳିଗୁଲଜ କରି ଦଣ୍ଡ ଭରଣା ପାଇଁ ଚାପ ପ୍ରୟୋଗ କରାଗଲା। ଆଉ  ମହିଳା ଏସବୁ ଦେବାକୁ ରାଜି ହେଲେ। ଭୋଜିଭାତ ହେଲା। ସେଥିରେ କଥା ସରିଲାନି।  ଭୋଜି ପରେ ସଂପୃକ୍ତ ମହିଳାଙ୍କୁ ଜୋର ଜବରଦସ୍ତ ଲଣ୍ଡା କରାଯାଇଥିଲା। ଘଟଣା ଗତ ୯ ତାରିଖରେ ଘଟିଥିଲା। ହେଲେ ଲୋକ ଲଜ୍ଜାରେ ମହିଳା ଜଣଙ୍କ ଘରକୁ ବାହାରକୁ ବାହାରି ପାରୁନଥିଲେ। ତାମିଲନାଡୁରେ କାମ କରୁଥିବା ମହିଳାଙ୍କ ପୁଅ ଏ ସଂପର୍କରେ ଜାଣି ଘରକୁ ଫେରି ଥାନାକୁ ଯାଇଥିଲେ।  ମାଙ୍କ ପ୍ରତି ହୋଇଥିବା ଅତ୍ୟାଚାର ବିରୋଧରେ ଲାଇକେରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। 

 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.