କର୍ଣ୍ଣାଟକ ହାଇକୋର୍ଟର ସମସ୍ତ ବିଚାରପତିଙ୍କୁ ହତ୍ୟା ଧମକ, ଦୁର୍ବୃତ୍ତ କହିଲା- ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଦିଅ

Published By : Prameya-News7 Bureau | July 24, 2023 IST

ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟ ବିଚାରପତିଙ୍କୁ ହତ୍ୟା ଧମକ। ସମସ୍ତ ୬ ଜଣ ବିଚାରପତିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ଆସିଲା ଧମକ। ଏନେଇ ବେଙ୍ଗାଲୁରର ସେଣ୍ଟ୍ରାଲ୍ ସେନ୍ କ୍ରାଇମ୍‌ ଥାନାରେ ମାମଲା ରୁଜୁ ହୋଇଛି। କୋର୍ଟର ଲୋକ ସମ୍ପର୍କ ଅଧିକାରୀ(ପିଆର୍‌ଓ) କେ. ମୂରଲୀଧର ଏନେଇ ଜୁଲାଇ ୧୪ ତାରିଖରେ ସାଇବର ଥାନାରେ ମାମଲା ରୁଜୁ କରିଥିଲେ। ତାଙ୍କ ଜୀବନକୁ ମଧ୍ୟ ବିପଦ ରହିଛି ବୋଲି ସେ ଅଭିଯୋଗରେ ଜଣାଇଥିଲେ। ମୂରଲୀଧରଙ୍କ ହ୍ୱାଟ୍ସଆପ୍‌ରେ ହିଁ ଏହି ମେସେଜ୍ ଆସିଥିଲା ବୋଲି ସୋମବାର ବେଙ୍ଗାଲୁରୁ ସାଇବର ଥାନା ପୁଲିସ ସୂଚନା ଦେଇଛି।

ପଢ଼ନ୍ତୁ-ପଶ୍ଚିମବଙ୍ଗ ସରକାରଙ୍କୁ ସୁପ୍ରିମକୋର୍ଟରୁ ଝଟକା, ରାମନବମୀରେ ହୋଇଥିବା ହିଂସା ମାମଲାରେ NIA ଯାଞ୍ଚ ଉପରେ ରୋକ୍‌ ଲଗାଇବାକୁ…

ମୂରଲୀଧରଙ୍କ ଅଭିଯୋଗ ଅନୁସାରେ, ଜୁଲାଇ ୧୨ ତାରିଖ ରାତି ୭ଟା ବେଳେ ତାଙ୍କ ହ୍ୱାଟ୍ସଆପ୍‌କୁ ଧମକ ମିଳିଥିଲା। ହାଇକୋର୍ଟ ପକ୍ଷରୁ ତାଙ୍କୁ ଏହି ମୋବାଇଲ୍ ନମ୍ବର ଦିଆଯାଇଥିଲା। ଧମକ ମେସେଜ୍‌ ହିନ୍ଦୀ, ଉର୍ଦ୍ଦୁ ଓ ଇଂରାଜୀ ଭାଷାରେ ଆସିଛି। ଏଥିରେ ୬ ଜଣ ବିଚାରପତି – ଜଷ୍ଟିସ ମହମ୍ମଦ ନୱାଜ, ଜଷ୍ଟିସ ଏଚ୍‌ଟି ନରେନ୍ଦ୍ର ପ୍ରସାଦ, ଜଷ୍ଟିସ ଅଶୋକ ଜି ନାଗନ୍ନାଭର(ଅବସରପ୍ରାପ୍ତ), ଜଷ୍ଟିସ ଏଚ୍‌ପି ସନ୍ଦେଶ, ଜଷ୍ଟିସ କେ ନଟରାଜନ ଏବଂ ଜଷ୍ଟିସ ବି ଭୀରାପ୍ପା(ଅବସରପ୍ରାପ୍ତ)ଙ୍କୁ ଦୁବାଇ ଗ୍ୟାଙ୍ଗ ଦ୍ୱାରା ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା। ୫ ଟି ସନ୍ଦିଗ୍ଧ ଫୋନ୍ ନମ୍ବରରୁ ଏହି ଧମକ ଆସିଛି। ତେବେ ସବୁଠାରୁ ବଡ଼ କଥା ହେଲା ହତ୍ୟାରୁ ରକ୍ଷା ପାଇବାକୁ ବଟି ମାଗିଛି ଦୁର୍ବୃତ୍ତ।

ହତ୍ୟାରୁ ବଞ୍ଚିବାକୁ ଚାହୁଁଥିଲେ ୫୦ ଲକ୍ଷ ଟଙ୍କା ପାକିସ୍ତାନୀ ଆଇଡିରେ ଡିପୋଜିଟ୍ କରିବାକୁ ଧମକ ଦିଆଯାଇଛି। ଘଟଣା ସମ୍ପର୍କରେ ଆଇପିସିର ଧାରା ୫୦୬, ୫୦୭ ଓ ୫୦୪ ଓ ଆଇଟି ଆକ୍ଟରର ସେକ୍ସନ ୭୫ ଓ ୬୬(ଏଫ୍‌) ମାମଲା ରୁଜୁ ହେବା ପରେ ପୁଲିସ ଏହାକୁ ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ୍‌ଙ୍କ ପାଖରେ ଦାଖଲ କରିଛି।    

ପଢ଼ନ୍ତୁ-ବିଜ୍ଞାପନ ପାଇଁ ୧୧୦୦ କୋଟି ଟଙ୍କା ଖର୍ଚ୍ଚ ତେବେ ଭିତ୍ତିଭୂମି ଉପରେ କାହିଁକି ନୁହେଁ, କେଜ୍ରିୱାଲ ସରକାରଙ୍କୁ ଭର୍ସନା କଲେ ସୁପ୍ରିମକୋର୍ଟ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.