ନାନ୍ଦେଡ଼ ଲୋକସଭା ଉପନିର୍ବାଚନକୁ ହାଇପ୍ରୋଫାଇଲ୍ କରିବ ବିଜେପି, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମୈଦାନକୁ ଓହ୍ଲାଇବାକୁ ପ୍ରସ୍ତୁତି

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ସହ ନାନ୍ଦେଡ଼ ଲୋକସଭା ଆସନ ପାଇଁ ଉପନିର୍ବାଚନ ହେବ । ଏହି ଆସନରେ ହେବାକୁ ଥିବା ଉପନିର୍ବାଚନକୁ ବିଜେପି ହାଲୁକାରେ ନେବାକୁ ଚାହୁଁ ନାହିଁ । ମହାରାଷ୍ଟ୍ର ବିଜେପି ସୂତ୍ର ଅନୁସାରେ ଏହି ଆସନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟସଭା ସାଂସଦ ଅଶୋକ ଚୌହାନଙ୍କୁ ଦଳ ପ୍ରାର୍ଥୀ କରିପାରେ । ଅଶୋକ ଚୌହାନଙ୍କ ନାଁ ଉପରେ ପାର୍ଟି ଗମ୍ଭୀରତା ସହ ବିଚାର କରୁଛି । ଉଲ୍ଲେଖଯୋଗ୍ୟ ଯେ ଅଶୋକ ଚୌହାନ କିଛି ମାସ ପୂର୍ବେ କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ ଏବଂ ଦଳ ତାଙ୍କୁ ରାଜ୍ୟସଭା ପଠାଇଥିଲା । ନାନ୍ଦେଡ଼କୁ ଅଶୋକ ଚୌହାନଙ୍କ ଗଡ଼ ବୋଲି କୁହାଯାଏ । ଏହି କ୍ଷେତ୍ରରେ ତାଙ୍କର ବ୍ୟକ୍ତିଗତ ପ୍ରଭାବ ପାର୍ଟିର ବଡ଼ ଭୋଟ୍ ବ୍ୟାଙ୍କ ଜରିଆରେ ବିଜେପି ବିଜୟର ଆଶା ରଖିଛି ।

ଏହି ସବୁ କାରଣରୁ ଅଶୋକ ଚୌହାନଙ୍କ ନାଁ ଚର୍ଚ୍ଚାରେ ରହିଛି । ଯଦି ସେ ନିର୍ବାଚନ ଜିତନ୍ତି ତେବେ ତାଙ୍କ ସ୍ଥାନରେ ରାଜ୍ୟର ଅନ୍ୟ କୌଣସି ନେତାଙ୍କୁ ରାଜ୍ୟସଭା ପଠାଯିବ । କଂଗ୍ରେସ ଏହି ଆସନରୁ ପୂର୍ବତନ ସାଂସଦ ବସନ୍ତ ଚୌହାନଙ୍କ ପୁଅ ରବୀନ୍ଦ୍ର ଚୌହାନଙ୍କୁ ନିଜ ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ରବୀନ୍ଦ୍ର ଚୌହାନଙ୍କୁ ଟିକଟ ବସନ୍ତଙ୍କ ନିଧନରୁ ମିଳିଥିବା ସହାନୁଭୂତି ପାଇପାରେ ।

ଲୋକସଭା ନିର୍ବାଚନ ପୂର୍ବରୁ ଅଶୋକ ଚୌହାନ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ । ତାଙ୍କର ଅନେକ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ । ଏହା ସତ୍ତ୍ୱେ ବି ନାନ୍ଦେଡ଼ ଆସନରେ ପାର୍ଟିରୁ ଲାଭ ମିଳିନଥିଲା । ଲୋକସଭା ନିର୍ବାଚନରେ କଂଗ୍ରେସର ବସନ୍ତ ଚୌହାନ ୬୦ ହଜାର ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀ ପ୍ରତାପ ପାଟିଲ ଚିଖଲିକରଙ୍କୁ ପରାସ୍ତ କରିଥିଲେ । ତେଣୁ ବିଜେପି ଏଥର ପ୍ରାର୍ଥୀ ପରିବର୍ତ୍ତନ କରିବାକୁ ବିଚାର କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.