ସଦ୍‌ଗୁରୁଙ୍କୁ ବଡ଼ ଆଶ୍ୱସ୍ତି, ଇଶା ଫାଉଣ୍ଡେସନ ବିରୋଧରେ ଦାଖଲ ଆବେଦନ ସୁପ୍ରିମକୋର୍ଟରେ ଖାରଜ

Published By : Prameya-News7 Bureau | October 18, 2024 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ଜଗ୍‌ଗୀ ବାସୁଦେବ (ସଦ୍‌ଗୁରୁ)ଙ୍କ ଇଶା ଫାଉଣ୍ଡେସନକୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି । ସଂସ୍ଥା ବିରୋଧରେ ଚାଲିଥିବା ଏକ ମାମଲାକୁ ସର୍ବୋଚ୍ଚ ଅଦାଲତ ବନ୍ଦ କରିଛନ୍ତି । ଇଶା ଫାଉଣ୍ଡେସନ ବିରୋଧରେ ଜଣେ ବାପା ଅଭିଯୋଗ କରିଥିଲେ ଯେ ତାଙ୍କ ଦୁଇ ଝିଅଙ୍କ ବ୍ରେନୱାସ୍ କରି ତାମିଲନାଡ଼ୁର କୋଏମ୍ୱଟର ସ୍ଥିତ ସଦଗୁରୁ ଆଶ୍ରମରେ ରଖାଯାଇଛି ଏବଂ ପରିବାର ସହ ସମ୍ପର୍କ ରଖିବାକୁ ମାନା କରାଯାଇଛି । ଏହି ମାମଲାରେ ଆବେଦନ ଦାଖଲ କରି ଦୁଇ ଝିଅଙ୍କୁ ବେଆଇନ ଭାବେ ଆଶ୍ରମରେ ବନ୍ଦୀ କରି ରଖାଯାଇଛି ବୋଲି ଅଭିଯୋଗ କରାଯାଇଥିଲା । କିନ୍ତୁ ସିଜେଆଇ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଶୁଣାଣି କରୁଥିବା ଖଣ୍ଡପୀଠ କହିଛନ୍ତି ଯେ ଦୁଇ ଝିଅ ଗୀତା ଏବଂ ଲତା, ସାବାଳିକା ଏବଂ ନିଜ ଇଚ୍ଛାରେ ଆଶ୍ରମରେ ରହୁଛନ୍ତି ।

ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଆଦେଶ କେବଳ ଏହି ସ୍ୱତନ୍ତ୍ର ମାମଲା ହିଁ ଅଟେ । କୋର୍ଟ ଏହା ବି କହିଛନ୍ତି ଯେ ଆଶ୍ରମର ଜଣେ ଡାକ୍ତରଙ୍କ ବିରୋଧରେ ପିଲାଙ୍କ ସହ ଦୁର୍ବ୍ୟବହାର ମାମଲା ରୁଜୁ କରାଯାଇଛି, ଯାହା ଉପରେ ଧ୍ୟାନ ଦିଆଯିବା ଦରକାର । ବ୍ରେନୱାସ ଅଭିଯୋଗ ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ମାଡ୍ରାସ ହାଇକୋର୍ଟ ଏହି ମାମଲାରେ ଅନୁଚିତ ଭାବେ ହସ୍ତକ୍ଷେପ କରିଛନ୍ତି ଏବଂ ପୋଲିସକୁ ଆଶ୍ରମର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ, ଯାହା ଅଦାଲତ ଅନୁସାରେ ଉଚିତ୍ ନଥିଲା ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯେତେବେଳେ ଦୁଇ ଝିଅଙ୍କୁ ଆଶ୍ରମରେ ରଖାଗଲା ସେତେବେଳେ ଦୁହେଁ ନାବାଳକ ନଥିଲେ । ସେମାନଙ୍କ ବୟସ ୨୭ ଏବଂ ୨୪ ବର୍ଷ ଥିଲା । ଏଥିପାଇଁ ହାଇକୋର୍ଟଙ୍କ ହସ୍ତକ୍ଷେପଙ୍କ ଆବଶ୍ୟକତା ନଥିଲା । ପ୍ରଧାନ ବିଚାରପତି ମୌଖିକ ଟିପ୍ପଣୀରେ କହିଛନ୍ତି ଯେ ଏହିପରି ମାମଲା ଲୋକ ଏବଂ ସଂସ୍ଥାକୁ ବଦନାମ କରିବା ପାଇଁ କରାଯାଇପାରେ ।

ଚଳିତ ମାସ ଆରମ୍ଭରେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟରେ ଚାଲିଥିବା ଏହି ମାମଲାକୁ ନିକ ପାଖକୁ ଟ୍ରାନ୍ସଫର କରିଥିଲେ ଏବଂ ପୋଲିସ ତଦନ୍ତ ଉପରେ ରୋକ୍ ଲଗାଇଥିଲେ । ଝିଅଙ୍କୁ ବେଆଇନ ଭାବେ ରଖାଯାଇଥିବା ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା । କିନ୍ତୁ ଝିଅମାନେ ନିଜେ କୋର୍ଟରେ ଖାଜର ହୋଇ ନିଜ ଇଚ୍ଛାରେ ଆଶ୍ରମରେ ରହୁଥିବା କହିଥିଲେ । ଏହାସହ ତାଙ୍କ ବାପା ଗତ ୮ ବର୍ଷ ଧରି ସେମାନଙ୍କକୁ ହଇରାଣ କରୁଥିବା କହିଥିଲେ ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.