ଆଗାମୀ କିଛି ବର୍ଷରେ ଭାରତର ହଜାର ହଜାର ଲୋକ ହୋଇଯିବେ ଅନ୍ଧ! ଏହି ଗୋଟିଏ କଥା ହେବ କାରଣ

Published By : Prameya-News7 Bureau | October 18, 2024 IST

ହାଇଦ୍ରାବାଦ ୧୮।୧୦: ମଣିଷ ଶରୀରର ଜରୁରି ଅଙ୍ଗ ମଧ୍ୟରେ ଆଖି ଅନ୍ୟତମ। ଯଦି ନେତ୍ରରୁ ଜ୍ୟୋତି ଚାଲିଯିବ ପରବର୍ତ୍ତି ଜୀବନର କଳ୍ପନା କରିବାକୁ ବି ଡର ଲାଗେ। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭାରତର ଲକ୍ଷଲକ୍ଷ ଲୋକଙ୍କ ଆଖି ଏବେ ସଂକଟରେ। ଦେଶରେ ଆଖିର ଜଟିଳରୁ ଜଟିଳ ରୋଗର ଚିକିତ୍ସା ପାଇଁ ହସ୍ପିଟାଲର ଦୀର୍ଘ ଶୃଙ୍ଖଳ ରହିଛି, ଏହା ସତ୍ତ୍ୱେ ଆଗାମୀ କିଛି ବର୍ଷରେ ଲକ୍ଷଲକ୍ଷ ଲୋକ ଅନ୍ଧ ହୋଇ ବୁଲିବେ। ଯଦି ପରିସ୍ଥିତି ଏପରି ରହିଲା ଦେଶରେ ଚିକିତ୍ସା ସୁବିଧା ଥାଇ ମଧ୍ୟ ଏହି ଲୋକେ ଆଉ ଆଖିର ଜ୍ୟୋତି ଫେରିପାଇବେନି । 

ଦେଶରେ ନେତ୍ର ରୋଗର ସବୁଠୁ ବଡ଼ ହସ୍ପିଟାଲ ଚେନ୍ ଏଲ.ଭି ପ୍ରସାଦ ଆଇ ଇନିଷ୍ଟିଚ୍ୟୁଟର ସଂସ୍ଥାପକ ଡା. ଗୁଲ୍ଲାପଲ୍ଲୀ ନାଗେଶ୍ୱର ରାଓ କହିଛନ୍ତି ଯେ ଭାରତରେ କାର୍ଣ୍ଣିୟା ଟ୍ରାନ୍ସପ୍ଲାଣ୍ଟର ଗୁରୁତର ଅଭାବ ରହିଛି। ରୋଗୀଙ୍କ ସଂଖ୍ୟା ଓ ଟ୍ରାନ୍ସପ୍ଲାଣ୍ଟେସନର ସୁବିଧାରେ ଏହି ଖାଇ ଲଗାତାର ବଢିବାରେ ଲାଗିଛି। ଏଣୁ ଦେଶରେ ନେତ୍ର ଚିକିତ୍ସା ସୁବିଧା ଉପଲବ୍ଧ ଥାଇ ମଧ୍ୟ ଅନେକ ଲୋକ ଆଖିର ଜ୍ୟୋତି ଫେରି ପାଇ ପାରୁ ନାହାନ୍ତି। 

ଡା.ରାଓଙ୍କ ଅନୁସାରେ ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ ୧ ଲକ୍ଷ ଲୋକଙ୍କୁ କାର୍ଣ୍ଣିୟା ଟ୍ରାନ୍ସପ୍ଲାଣ୍ଟର ଆବଶ୍ୟକତା ପଡୁଛି। ହେଲେ ଦେଶର ହେଲଥ୍ କେୟାର କ୍ୟାପାସିଟିରେ ଏପର୍ଯ୍ୟନ୍ତ ମାତ୍ର ୩୦ ହଜାର ଟ୍ରାନ୍ସପ୍ଲାଣ୍ଟର ବ୍ୟବସ୍ଥା ହୋଇ ପାରୁଛି। ଏଣୁ ପ୍ରତି ବର୍ଷ ପ୍ରାୟ ୭୦ ହଜାର ଲୋକ ଚିକିତ୍ସା ସୁବିଧା ଥାଇ ମଧ୍ୟ କାର୍ଣ୍ଣିୟା ଟ୍ରାନ୍ସପ୍ଲାଣ୍ଟ କରି ନ ପାରି ଅନ୍ଧ ହୋଇ ରହୁଛନ୍ତି। ଅନେକ କାରଣରୁ ଲୋକେ ଦୃଷ୍ଟି ଶକ୍ତି ହରାନ୍ତି ତେବେ କେବଳ ଗୋଟିଏ କାରଣ କାର୍ଣ୍ଣିୟା ଟ୍ରାନ୍ସପ୍ଲାଣ୍ଟ ନ ହୋଇ ପାରିବା କାରଣରୁ ଅନ୍ଧତ୍ୱର ବଡ଼ କାରଣ ହୋଇ ଉଭା ହୋଇଛି। ଯାହା ଭାବିବାକୁ ବି ଏବେ ଡର ଲାଗୁଛି। 

ଡା. ରାଓ କହିଛନ୍ତି ଯେ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ ପ୍ରାଇଭେଟ ହେଲଥ କେୟାର ସିଷ୍ଟମକୁ ମଧ୍ୟ ଏ ବାବଦେ ଚିନ୍ତା କରିବାକୁ ହେବ। ୨୦୩୦ ମସିହା ସୁଧା ଦେଶରେ କାର୍ଣ୍ଣିୟା ଟ୍ରାନ୍ସପ୍ଲାଣ୍ଟ ସୁବିଧାକୁ ୩୦ ହଜାରରୁ ବଢାଇ ୬୦ ହଜାର କରିବାକୁ ପଡିବ। ସେହିପରି ଦେଶରେ ଅନ୍ତର୍ଜାତୀୟ ମାନକ ପୂରଣ କରୁଥିବା ୫୦ଟି ଆଇ ବ୍ୟାଙ୍କ ମଧ୍ୟ ଖୋଲିବାକୁ ପଡିବ।  ଏହା ଛଡା ୫୦୦ ଅପଥେଲ୍ମିକ ସର୍ଜନଙ୍କୁ ବି ଏହି ସର୍ଜରୀ ପାଇଁ ପ୍ରଶିକ୍ଷିତ କରିବାକୁ ହେବ, ତେବେ ଯାଇ ଏହି ଲକ୍ଷ ହାସଲ ହୋଇ ପାରିବ। 

ଉଲ୍ଲେଖଯୋଗ୍ୟ ଯେ ଏଲ.ଭି ପ୍ରସାଦ ଆଇ ଇନିଷ୍ଟିଚ୍ୟୁଟ୍ ଅଗଷ୍ଟ ୨୦୨୪ରେ ୫୦ ହଜାର କର୍ଣ୍ଣିୟଲ ଟ୍ରାନ୍ସପ୍ଲାଣ୍ଟ ପୂରଣ କରି ଦେଶରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛି। ଏଥିରେ ଇନିଷ୍ଟିଚ୍ୟୁଟ୍ ୫୦ ପ୍ରତିଶତ ଟ୍ରାନ୍ସପ୍ଲାଣ୍ଟ ସମ୍ପୂର୍ଣ୍ଣ ମାଗଣାରେ କରିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.