ନିଶ୍ଚିତକୋଇଲି ୨୧/୦୯: ଶରତର ନିର୍ମଳ ଆକାଶ । ସବୁଜିମା ଭରା ଧରା । ଆଉ ପବନରେ ସାଉଁଳିହେଉଛି ଧୋବ ଫର ଫର କାଶତଣ୍ଡୀ । ଧଳାର ଚାଦରରେ ବିମଣ୍ଡିତ ହୋଇଛି ଧରଣୀ ରାଣୀ । ଭସା ବାଦଲର ଛାୟାରେ ନାଚି ନାଚି ଦେଉଛି ମାଆଙ୍କ ଆଗମନର ବାର୍ତ୍ତା । ଆସିଛି ଆଶ୍ୱିନ ଆସିବେ ଜଗଧାତ୍ରୀ । ସଜେଇ ହେଲାଣି ଧରଣୀରାଣୀ ।
ଶାରଦୀୟ ସମ୍ଭାର ନେଇଆସିବ ପାର୍ବଣର ପର୍ବ । ଦଲକାଏ ପବନରେ ଦୋହଲିଯାଉଛି କାଶତଣ୍ଡୀର ମହକ । ଦୋଳି ଖେଳିଖେଳି ମା ଜଗତ ଜନନୀଙ୍କୁ କରୁଛି ସ୍ୱାଗତ । ଦ୍ୱିଗୁଣିତ ହୋଇଛି ପ୍ରକୃତି ରାଣୀର ଶୋଭା । ଝଲସି ଉଠିଛି ଶିଶିର ବିନ୍ଦୁର ସ୍ୱଚ୍ଛତା । ସକାଳର କଅଁଳ ଖରାର ପ୍ରଥମ କିରଣ ପଡିଲେ, ସତେ ଯେପରି ଖିଲି ଖିଲି ହୋଇ ହସୁଛି ପ୍ରକୃତି ରାଣୀ । କାଶତଣ୍ଡୀ ଫୁଲ ପ୍ରକୃତିର ଏକ ଅନବଦ୍ୟ ସୃଷ୍ଟି l
ଶରତ ଆସିଲେ ନଈ ପଠାରେ ସବୁଠି ଦେଖିବାକୁ ମିଳିଥାଏ କାଶତଣ୍ଡୀର ଅପୁର୍ବ ସମ୍ଭାର l କୁହାଯାଏ,କାଶତଣ୍ଡୀ ଫୁଲର ଚାମର ସ୍ପର୍ଶରେ ଧରାବତରଣ କରନ୍ତି ମା' ଜଗତଜନନୀ ଦଶଭୁଜା ଦୁର୍ଗା । ଶୋଭା ମଣ୍ଡନ କରୁଥିବା କାଶତଣ୍ଡୀକୁ ଦେଖିଲେ କବି, ଗାଳ୍ପିକ, ଭାବୁକଙ୍କ ମନ ଉତଫୁଲ୍ଲିତ ହୋଇଉଠେ ।
କବି ଲେଖନୀରୁ ଆପେ ଆପେ ଝରି ପଡେ କବିତାର ନିର୍ଝରିଣୀ । ମହାନଦୀ, ଚିତ୍ରୋତ୍ପଳା ଓ ଲୁଣା ନଦୀର ପଠା ଓ ପାର୍ଶ୍ୱ ବର୍ତ୍ତୀସ୍ଥାନରେ ଦୃଶ୍ୟମାନ ହୋଇଥାଏ ଏହି କାଶତଣ୍ଡୀର ସମ୍ଭାର । ଏହା ଯେମିତି ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ଓ ଭାବାବେଗ ସହ ଓତପ୍ରୋତ ଭାବେ ଜଡ଼ିତ । ରେଖାପଞ୍ଚମୀରେ କାଶତଣ୍ଡୀ ଫୁଲର ବେଣୀ, ଘର କବାଟରେ ବାନ୍ଧି ପୂଜା କରାଯାଏ l
ବଡ଼ ଅଦ୍ଭୁତ ସୃଷ୍ଟିର ନିୟମ। ମା'ଙ୍କ ଆଗମନ ପୂର୍ବରୁ ଆସେ କାଶତଣ୍ଡୀ ଫୁଲ ଆଉ ଧରାପୃଷ୍ଠ ରୁ ମା'ଙ୍କ ପ୍ରତ୍ୟାଗମନ ପରେ ଆପଣା ଛାଏଁ ଉଭେଇ ଯାଏ । ଦୂରରୁ ଦେଖିଲେ ଲାଗୁଛି ସତେ ଯେମିତି ଧରଣୀ ରାଣୀ ଉପରେ ଢାଙ୍କି ହୋଇପଡିଛି ଧବଳ ଚାଦର ଟିଏ । ଆଉ ପାଖରୁ ଦେଖିଲେ ମନ ଆନ ମନା ହୋଇ ଉଠୁଛି । ସିଏ ହେଉଛି ବାସହୀନ କାଶତଣ୍ଡୀ । ଦେବ ପୂଜାରେ ଲାଗେନି ସତ ହେଲେ ଶରତ ଋତୁରେ ଧରାପୃଷ୍ଠରେ ସୌନ୍ଦର୍ଯ୍ୟ ମଣ୍ଡନ କରେ । ଏହି କାଶତଣ୍ଡୀ ଫୁଲ ର ସମ୍ଭାର।
ଆଗକୁ ପାର୍ବଣର ପର୍ବ । ସମସ୍ତେ ସେଥିପାଇଁ ପ୍ରସ୍ତୁତ ହେଉଥିବା ବେଳେ, ପ୍ରକୃତି ରାଣୀ ସେଥିରୁ ବାଦ ପଡନ୍ତା ବି କେମିତି ? ସୃଷ୍ଟିର ଆରମ୍ଭରୁ ଏହି ନିୟମକୁ ଯେପରି ଅକ୍ଷରେ ଅକ୍ଷରେ ମାନି ଆସିଛି ପୃଥିବୀ ରାଣୀ । କାଶତଣ୍ଡୀ ଫୁଲ, ଯାହାକି ଆଜି ବି ମା'ଙ୍କ ଆଗମନକୁ ଚାତକ ପରି ଚାହିଁ ରହିଛି।