ମେଜର ଓ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା : ଭୁଲ୍‌ କାହାର.. ସତ ଖୋଜୁଛି କ୍ରାଇମବ୍ରାଞ୍ଚ ଟିମ୍‌

Published By : Prameya-News7 Bureau | September 21, 2024 IST

ଭୁବନେଶ୍ୱର ୨୧।୦୯ : ଭରତପୁର ଥାନାରେ ମେଜର ଏବଂ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା । ଦିନ ବଢିବା ସହ ପ୍ରତିଦିନ ଆସୁଛି ନୂଆ ନୂଆ ଟ୍ୱିଷ୍ଟ । ପ୍ରଥମେ ପୋଲିସ ଥାନାରେ ଭଙ୍ଗାରୁଜା ଏବଂ ଆକ୍ରମଣ ଘଟଣା ନେଇ ମେଜର ଏବଂ ତାଙ୍କ ବାନ୍ଧବୀଙ୍କୁ ଆଡକୁ ଆଙ୍ଗୁଠି ଉଠିଥିଲା । ହେଲେ ପରବର୍ତ୍ତୀ ସମୟରେ ପୋଲିସ ବିରୋଧରେ ଆସିଲା ସାଙ୍ଘାତିକ ଅଭିଯୋଗ । ଆଉ ଅଭିଯୋଗ ଉପରେ ଡିଜିପି ନେଲେ କାର୍ଯ୍ୟାନୁଷ୍ଠାନ । ଏପିରିକି ତଦନ୍ତ ସ୍ୱରୂପ ପାଞ୍ଚ ଜଣ ପୋଲିସ ଅଫିସରଙ୍କୁ ନିଲମ୍ବିତ ବି କରାଗଲା । ତେବେ ଏଠି ପ୍ରଶ୍ନ ଉଠୁଛି .. ଭୁଲ୍‌ କଣ ପୋଲିସର...କଣ ଗୋଟିଏ ହାତରେ ବାଜୁଥିଲା ତାଳି...ନା ଏହାର ପଛରେ ଆଉ କିଛି କାରଣ ରହିଛି...

ଏସବୁ ଭିତରେ ଭାଇରାଲ ହେଉଥିବା ଭିଡିଓକୁ ନେଇ ଉଠିଛି ନାନା ପ୍ରଶ୍ନ । ଏଠାରେ ରୋଡ୍‌ ରୋମିଓ ଏବଂ ମେଜରଙ୍କ ବାନ୍ଧବୀଙ୍କ ବ୍ୟବହାର ନେଇ ସର୍ବସାଧାରଣରେ ହେଉଛି ଚର୍ଚ୍ଚା । ଏହି ଭିଡିଓ ପଛରେ ସତ୍ୟାସତ୍ୟ କଣ ରହିଛି.. ତାକୁ ନେଇ ଖୋଲତାଡ କରୁଛି କ୍ରାଇମବ୍ରାଞ୍ଚ । ୧୪ ତାରିଖ ବିଳମ୍ବିତ ରାତିରେ କେଉଁଠୁ ଘଟଣାର ସୂତ୍ରପାତ ହୋଇଥିଲା । ଘଟଣାକୁ ନେଇ ଥାନାକୁ ଯାଇଥିବା ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ କେଉଁ ପ୍ରକାର ବ୍ୟବହାର କରାଯାଇଥିଲା ଏବଂ ପୀଡିତା ଆଣିଥିବା ସାଂଘାତିକ ଅଭିଯୋଗର ରହସ୍ୟ ଖୋଲିବ କ୍ରାଇମବ୍ରାଞ୍ଚ । ଏପଟେ ରାସ୍ତାରେ ହୋଇଥିବା ଗଣ୍ଡଗୋଳ ସମୟର ଭିଡିଓ ଏବେ କ୍ରାଇମବ୍ରାଞ୍ଚ ସ୍କାନରରେ ବି ରହିଛି । ରାସ୍ତାରେ କେଉଁ କାରଣରୁ ଗଣ୍ଡଗୋଳ ହୋଇଥିଲା । ରାସ୍ତାରେ କାହିଁକି କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀଙ୍କ ସହ ଗଣ୍ଡଗୋଳ କରିଥିଲେ ଯୁବକ । କାହାର ଭୁଲ ପାଇଁ ପାଟିତୁଣ୍ଡ, ଧସ୍ତାଧସ୍ତି ହୋଇଥିଲା । ଘଟଣାର ସୂତ୍ରପାତ କ’ଣ ଥିଲା । ଜବତ ଭିଡିଓକୁ ନେଇ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ । 

ଗୋଟିଏ ପଟେ ଘଟଣାକୁ ନେଇ ଆରୋପ-ପ୍ରତ୍ୟାରୋପ ଚାଲିଥିବା ବେଳେ ଅନ୍ୟପଟେ ଓଡିଶା ପୋଲିସ ବିରୋଧରେ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଛନ୍ତି ପୂର୍ବତନ ପୋଲିସ ଅଧିକାରୀ ସଂଘ । ଏନେଇ ପୋଲିସ କମିଶନରଙ୍କୁ ଭେଟିବା ସହ ଏକପାଖିଆ ନିଷ୍ପତ୍ତି ନନେବାକୁ ଅନୁରୋଧ ମଧ୍ୟ କରିଛନ୍ତି । ୫ ପୋଲିସ ଅଫିସରଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନ ବିରୋଧରେ ପୋଲିସ କମିଶନର ଭେଟିଛି ସଂଘ । 

ଅନ୍ୟପଟେ ସେନା ଅଧିକାରୀଙ୍କୁ ପଚରାଉଚରା ପାଇଁ ୧୨୦ ବାଟାଲିୟନରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ସାଇବର କମ୍ପ୍ଲେକ୍ସରେ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ ତନଘନା କରୁଛି । ସାଇବର ସେଲ୍ ରେ ମିଳିଥିବା ସମସ୍ତ ଅଡ଼ିଓ ଭିଡ଼ିଓକୁ ପରୀକ୍ଷା କରୁଛି କ୍ରାଇମବ୍ରାଞ୍ଚ ଟିମ । ଏଥିସହିତ ନିଲମ୍ବିତ ୫ ଥାନା କର୍ମଚାରୀଙ୍କୁ ଶୁକ୍ରବାର ଦିନ ଦୀର୍ଘ ସମୟ ଧରି ପଚରାଉଚରା କରିଛି କ୍ରାଇମବ୍ରାଞ୍ଚ । ଏହାସହିତ ଚନ୍ଦକା ଥାନାର ଏକ ଟିମ୍ ପଥରଗାଡ଼ିଆ ଠାରେ ଛାନ୍‌ଭିନ ଆରମ୍ଭ କରିଛି । ଘଟଣାସ୍ଥଳରେ ପାରିପାର୍ଶ୍ବକ ପରିସ୍ଥିତିକୁ ତର୍ଜମା କରିଛି ଚନ୍ଦକା ପୋଲିସ ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.