ଅସହାୟ ଅବସ୍ଥାରେ ଛାତ୍ରଛାତ୍ରୀଙ୍କୁ ତଡ଼ିଦେବା ପରିତାପର ବିଷୟ: କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ସଂଗଠନର ଦାବି

Published By : Prameya-News7 Bureau | February 19, 2025 IST

News7

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳର ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମାନବିକ ଅଧିକାର ଉପରେ ଆକ୍ରମଣ କରାଯାଇଛି। ସେମାନଙ୍କ ପ୍ରତି ଅମାନବୀୟ ବ୍ୟବହାର ସହ ଜବରଦସ୍ତ ହଷ୍ଟେଲରୁ ବାହାର କରି ଦେବା ଓ ବିନା ସୁରକ୍ଷାରେ ରେଲଓ୍ୱେ ଷ୍ଟେସନରେ ଛାଡ଼ିଦେବା ଘଟଣାକୁ ନିନ୍ଦା କରିଛି ଲୋକଶକ୍ତି ଅଭିଯାନ। 

ଏହି ଘରୋଇ ଶିକ୍ଷା ସଂସ୍ଥା ମାଗଣା ହଜାର ହଜାର ପିଲାଙ୍କୁ ପଢ଼ାଉଥିବା ଦାବି କରୁଥିବା ବେଳେ ଏହାର କୌଣସି ସତ୍ୟତା ନାହିଁ। ଆଦିବାସୀଙ୍କ ପିଲାଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଠାରୁ ଅନୁଦାନ ଆସୁଛି। ଏବେ ଏକ ଛାତ୍ରୀର ଆତ୍ମହତ୍ୟାକୁ ଲୁଚାଇ ଦେବା ଷଡ଼ଯନ୍ତ୍ରକୁ ଛାତ୍ରଛାତ୍ରୀ ବିରୋଧ କରିବାରୁ ବିଦେଶୀ ଛାତ୍ରଛାତ୍ରୀଙ୍କୁ ଅସହାୟ ଅବସ୍ଥାରେ ବିଶ୍ୱବିଦ୍ୟାଳୟରୁ ବାହର କରି ନିଜ ଦେଶକୁ ପଠାଇଦେବା ପରିତାପର ବିଷୟ ବୋଲି କହିଛନ୍ତି। 

ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରା ରାଜ୍ୟ ମାନବିକ ଅଧିକାର ଆୟୋଗ ଅଧ୍ୟକ୍ଷଙ୍କ ନିକଟକୁ ପତ୍ରଲେଖି ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।

ସେହିପରି KIIT ଛାତ୍ରୀଙ୍କ ମୃତ୍ୟୁ ଓ ନେପାଳର ବିଦ୍ୟାର୍ଥୀମାନଙ୍କ ଉପରେ କଲେଜର କର୍ତ୍ତୃପକ୍ଷଙ୍କ ଧମକ ଘଟଣାରେ ନ୍ୟାୟ ଦାବି କରିଛି ହ୍ୟୁମାନ ରାଇଟ୍ସ ସଂଗଠନ। ମହିଳା ୱାର୍ଡେନ ମଞ୍ଜୁଷା ପାଣ୍ଡେ ଓ ଜଏଣ୍ଟ ଡାଇରେକ୍ଟର ଜୟନ୍ତୀ ରଥଙ୍କ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କୁ ଧମକ ଚମକ ଦେବା ସହିତ ଭୟଭିତ କରାଇବା ଏବଂ ସୁରକ୍ଷା କର୍ମୀ ମାନେ ବିଦେଶୀ ଛାତ୍ରମାନଙ୍କୁ ମାଡ ମାରିବା ଘଟଣାରେ ନାୟ ଦାବି କରିଛି ସଂଗଠନ। ଏନେଇ ସଂଗଠନ ପକ୍ଷରୁ ଚୌଦ୍ଵାର ଥାନା ଅଧିକାରୀଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକଙ୍କୁ ଦାବି ପତ୍ର ଦିଆଯାଇଛି। ବିଦେଶୀ ଛାତ୍ରଛାତ୍ରୀମାନଙ୍କୁ କଲେଜ କର୍ତ୍ତୃପକ୍ଷ ଜୋରଜବରଦସ୍ତ ବସରେ ଆଣି କଟକ ରେଳ ଷ୍ଟେସନରେ ଟ୍ରେନ ଯୋଗେ ନିଜ ଦେଶକୁ ଯିବାପାଇଁ ବାଧ୍ୟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏହାଦ୍ୱାରା ପଡୋଶୀ ଦେଶ ନେପାଳ ସହିତ ଭାରତ ସମ୍ପର୍କରେ ତିକ୍ତତା ସୃଷ୍ଟି ହୋଇଛି। ନେପାଳ ସରକାରଙ୍କ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଏବଂ ରାଜ୍ୟ ଠାରୁ ଆରମ୍ଭ କରି ସମଗ୍ର ଭାରତବର୍ଷରେ ଓଡ଼ିଶା ନିନ୍ଦିତ ହୋଇଛି। ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ କରି ଯେଉଁମାନେ ଦୋଷୀ ସେମାଙ୍କର ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଂଗଠନ ଦାବି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.