ମୁମ୍ବାଇ ୧୧।୧୦: ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବେ ତାଙ୍କ ସାବତ ଭାଇ ୬୭ ବର୍ଷ ବୟଷ୍କ ନୋଏଲ ଟାଟା ଏବେ ଟାଟା ଟ୍ରଷ୍ଟର ଦାୟିତ୍ୱ ସମ୍ଭାଳିବେ। ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନଙ୍କୁ ନେଇ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଟାଟା ଟ୍ରଷ୍ଟ ବୋର୍ଡ ସର୍ବ ସମ୍ମତିରେ ନୋଏଲ ଟାଟାଙ୍କୁ ନିଜର ଚେୟାରମ୍ୟାନ ବାଛିଛି। ନଭଲ ଟାଟାଙ୍କ ଦ୍ୱିତୀୟ ପତ୍ନୀଙ୍କ ପୁଅ ହେଉଛନ୍ତି ନୋଏଲ ଟାଟା। ସେ ପ୍ରଥମରୁ ସାର ଦୋରାବଜୀ ଟାଟା ଓ ସାର ରତନ ଟାଟା ଟ୍ରଷ୍ଟ ବୋର୍ଡରେ ଟ୍ରଷ୍ଟି ଅଛନ୍ତି।
ବର୍ତ୍ତମାନ ନୋଏଲ ଟାଟା ଘଡ଼ି ତିଆରି କମ୍ପାନୀ ଟାଇଟନ ଓ ଟାଟାଷ୍ଟିଲର ଭାଇସ୍ ପ୍ରେସିଡେଣ୍ଟ ଅଛନ୍ତି। ସେ ଟାଟା ସମୂହର ରିଟେଲ କମ୍ପାନୀ ଟ୍ରେଣ୍ଟ (ଜୁଡିଓ ଏବଂ ୱେଷ୍ଟ ସାଇଡ) ଓ ଏହାର ଏନବିଏଫସି ଫାର୍ମ ଟାଟା ଇନଭେଷ୍ଟମେଣ୍ଟ କ୍ରପର ଚେୟାରମ୍ୟାନ ବି ଅଛନ୍ତି। ନୋଏଲ ଭୋଲ୍ଟାସ ବୋର୍ଡରେ ମଧ୍ୟ କାମ କରନ୍ତି। ସେ ଟାଟା ଇଣ୍ଟରନ୍ୟାସନାଲର ମ୍ୟେନେଜିଂ ଡାଇରେକ୍ଟର ମଧ୍ୟ ଅଛନ୍ତି। ୨୦୧୦-୧୧ରେ ଟାଟା ଇଣ୍ଟରନ୍ୟାସନାଲରୁ ନୋଏଲ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ନୋଏଲ ରତନ ଟାଟାଙ୍କ ପରେ ଟାଟା ସମୂହର ମୁଖ୍ୟ ହେବେ ସେବେଠାରୁ ଆକଳନ କରାଯାଉଥିଲା।
ଟାଟା ଇଣ୍ଟରନ୍ୟାସନାଲ ବିଦେଶରେ ଉପସ୍ଥାପନ କରାଯାଉଥିବା ଉତ୍ପାଦ ଓ ସେବା ଲାଗି ଟାଟା ଗ୍ରୁପର ଶାଖା। ନୋଏଲ ଟାଟା ବ୍ରିଟେନର ସସେକ୍ସ ୟୁନିଭର୍ସିଟିରୁ ସ୍ନାତକ ଉତୀର୍ଣ୍ଣ ହୋଇଛନ୍ତି ଓ ସେ ଫ୍ରାନ୍ସର ଆଇଏନଏସଇଏଡିରୁ ଇଣ୍ଟରନ୍ୟାସନାଲ ଏକଜ୍ୟୁକୁଟିଭ ପ୍ରୋଗ୍ରାମ (ଆଇଇପି) ଶେଷ କରିଛନ୍ତି। ଟାଟାରେ ଯୋଗଦାନ ପୂର୍ବରୁ ନୋଏଲ ଟାଟା ନେସ୍ଲେ ୟୁକେ ସହିତ କାମ କରୁଥିଲେ। ନୋଏଲ ଜଣେ ଆଇରିସ୍ ନାଗରିକ ଓ ତାଙ୍କର ବିବାହ ପାଲୋନଜୀ ମିସ୍ତ୍ରୀଙ୍କ ଝିଅ ଆଲୁ ମିସ୍ତ୍ରୀଙ୍କ ସହିତ ହୋଇଛି, ଯିଏ ଟାଟା ସନସ୍ରେ ସବୁଠୁ ବଡ଼ ସେୟାରଧାରୀ ଥିଲେ।
ଆଲୁ ଓ ନୋଏଲଙ୍କ ୩ଟି ସନ୍ତାନ ଲିୟା, ମାୟା ଓ ନେଭିଲ ଅଛନ୍ତି। ନୋଏଲଙ୍କୁ ପୂର୍ବରୁ ଟାଟା ସନସ୍ର ଚେୟାରମ୍ୟାନ ପଦବୀ ନିମନ୍ତେ ବଛାଯାଇଥିଲା। ତେବେ ପରେ ଏହି ପଦବୀକୁ ତାଙ୍କ ଶାଳକ ସାଇରସ ମିସ୍ତ୍ରୀଙ୍କୁ ଦିଆଯାଇଥିଲା। ସାଇରସଙ୍କ ବିବାଦୀୟ ଇସ୍ତଫା ପରେ ଏନ.ଚନ୍ଦ୍ର ଶେଖର ଟାଟା ସନସ୍ ଚେୟାରମ୍ୟାନ ଦାୟିତ୍ୱ ସମ୍ଭାଳୁଛନ୍ତି।