ଦୁବାଇ: ଚେଜ୍ ମାଷ୍ଟର ବିରାଟ କୋହଲିଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ପ୍ରଥମ ସେମି ଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଛି ଭାରତ। ବିଜୟ ସହ ଭାରତ ଫାଇନାଲ୍ରେ ପହଞ୍ଚିବା ସହ ୨୦୨୩ ଦିନିକିଆ ବିଶ୍ଵକପ୍ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ୨୦୧୩ ଓ ୨୦୧୭ ପରେ ଭାରତ ଲଗାତାର ତୃତୀୟ ଥର ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ କରିଛି। ମୋଟାମୋଟି ପଞ୍ଚମ ଥର ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ରେ ପ୍ରବେଶ କରିଛି ଭାରତ। ୨୦୧୧ ଦିନିକିଆ ବିଶ୍ଵକପ୍ ନକଆଉଟ୍ ପରେ ଭାରତ ଆଇସିସି ଟୁର୍ଣ୍ଣାମେଣ୍ଟରେ ଅଷ୍ଟ୍ରେଲିଆକୁ ହରାଇବାରେ ସଫଳ ହୋଇଛି।
ଅଷ୍ଟ୍ରେଲିଆ ଦ୍ଵାରା ଧାର୍ଯ୍ୟ ୨୬୫ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ୪୮.୧ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଛି। ବିରାଟ କୋହଲି ୮୪ ରନର ଇନିଂସ ଖେଳି ଭାରତ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଛନ୍ତି। ତାଙ୍କ ବ୍ୟତୀତ ଶ୍ରେୟସ ଆୟର ୪୫ ରନ କରିଥିବା ବେଳେ କେଏଲ ରାହୁଲ ୪୨ ରନର ଅପରାଜିତ ଉପଯୋଗୀ ଇନିଂସ ଖେଳି ବିଜୟ ସୂଚକ ଛକା ମାରିଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୮ ରନ କରିଛନ୍ତି। ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ୭୩ ରନ ଓ ଆଲେକ୍ସ କେରିଙ୍କ ୬୧ ରନ ବଳରେ ୨୬୪ ରନ କରିଥିଲା। ଭାରତ ଏବେ ଦକ୍ଷିଣ ଆଫ୍ରିକା ବନାମ ନ୍ୟୁଜିଲାଣ୍ଡ ଦ୍ଵିତୀୟ ସେମି ଫାଇନାଲ୍ର ବିଜେତାକୁ ଫାଇନାଲ୍ରେ ଭେଟିବ।
୨୬୫ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁଭମନ ଗିଲ୍ ପ୍ରଥମ ଓ୍ଵିକେଟ୍ରେ ୩୦ ରନ ଯୋଡ଼ିଥିଲେ। ଗିଲ୍(୮) ନିରାଶ କରିଥିଲେ। ଅଧିନାୟକ ରୋହିତ ଶର୍ମା ପୁଣି ଥରେ ମିଳିଥିବା ଭଲ ଆରମ୍ଭକୁ ବଡ଼ ସ୍କୋରରେ ପରିଣତ କରି ପାରି ନ ଥିଲେ। ସେ ୨୯ ବଲରୁ ୩ ଚୌକା ଓ ୧ ଛକା ସହ ୨୮ ରନ କରିଥିଲେ। ୪୩ ରନରେ ଦୁଇ ଓପନର ଆଉଟ୍ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟର ଜବରଦସ୍ତ ବ୍ୟାଟିଂ କରିଥିଲେ। ଉଭୟ ତୃତୀୟ ଓ୍ଵିକେଟ୍ରେ ୯୧ ରନ ଯୋଡ଼ି ଦଳର ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ୧୩୪ ରନ ସ୍କୋରରେ ଶ୍ରେୟସ ଆୟର ବ୍ୟକ୍ତି ଗତ ୪୫ ରନର ଉପଯୋଗୀ ଇନିଂସ ଖେଳି ପାଭିଲିୟନ ଫେରିଥିଲେ।
ଅନ୍ୟପଟେ ବିରାଟ କୋହଲି ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ବିରାଟ କୋହଲି ଓ ଅକ୍ଷର ପଟେଲ୍ ଚତୁର୍ଥ ଓ୍ଵିକେଟ୍ରେ ୪୪ ରନ ଯୋଡ଼ିଥିଲେ। ଅକ୍ଷର ୨୭ ରନ କରି ପାଭିଲିୟନ ଫେରିଥିଲେ। ଭାରତ ବିଜୟ ଆଡ଼କୁ ଅଗ୍ରସର ହେଉଥିବା ବେଳେ କୋହଲି ମଧ୍ୟ ଶତକ ଅଭିମୁଖେ ବଢୁଥିଲେ। ହେଲେ ବଡ଼ ସଟ୍ ଖେଳିବାକୁ ଯାଇ କୋହଲି ୮୪ ରନ କରି ଆଉଟ୍ ହୋଇଥିଲେ। ଶେଷ ଆଡ଼କୁ ମ୍ୟାଚ୍ ରୋମାଞ୍ଚକର ମୋଡ଼ ନେଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ୩ ଛକା ଜରିଆରେ ବିସ୍ଫୋରକ ୨୮ ରନ କରି ଭାରତର ବିଜୟ ସୁନିଶ୍ଚିତ କରିଥିଲେ। କେଏଲ ରାହୁଲ ବିଜୟ ସୂଚକ ଛକା ମାରି ଭାରତକୁ ଜିତାଇଛନ୍ତି। ସେ ୪୨ ରନ କରି ଅପରାଜିତ ଥିଲେ।
ଅଷ୍ଟ୍ରେଲିଆ ଇନିଂସ
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆକୁ ତୃତୀୟ ଓଭରରେ ଝଟକା ଲାଗିଥିଲା। କୁପର କୋନୋଲି ଖାତା ଖୋଲି ପାରି ନ ଥିଲେ। ଟ୍ରେଭିସ ହେଡ୍ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ବଡ ସଟ୍ ଖେଳିଥିଲେ। ହେଡ୍ ଓ ଅଧିନାୟକ ଷ୍ଟିଭ ସ୍ମିଥ ଦ୍ଵିତୀୟ ଓ୍ଵିକେଟ୍ ପାଇଁ ୫୦ ରନ ଯୋଡ଼ିଥିଲେ। ୫୪ ରନ ସ୍କୋରରେ ହେଡ୍ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଭାରତକୁ ବହୁତ ବଡ଼ ସଫଳତା ଦେଇଥିଲେ। ହେଡ୍ ୩୩ ବଲ୍ରୁ ୫ ଚୌକା ଓ ୨ ଛକା ସହ ୩୯ ରନ କରିଥିଲେ।
ହେଡ୍ ଆଉଟ୍ ପରେ ସ୍ମିଥ ଓ ମାର୍ନସ ଲାବୁସେନ ଦଳର ଇନିଂସ ସମ୍ଭାଳିଥିଲେ। ଉଭୟ ରନ ଗତି ବଜାୟ ରଖି ତୃତୀୟ ଓ୍ଵିକେଟ୍ ପାଇଁ ୫୬ ରନ ଯୋଡ଼ିଥିଲେ। ଲାବୁସେନ ୨୯ ରନ କରି ରବୀନ୍ଦ୍ର ଜାଡେଜାଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଜୋସ୍ ଇଙ୍ଗ୍ଲିଶ(୧୧) କ୍ରିଜରେ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ଏହା ପରେ ସ୍ମିଥ ଓ ଆଲେକ୍ସ କେରି ପଞ୍ଚମ ଓ୍ଵିକେଟ୍ରେ ୫୪ ରନ ଯୋଡ଼ି ଦଳର ସ୍କୋରକୁ ୧୯୮ ରନରେ ପହଞ୍ଚାଇଥିଲେ।
ସ୍ମିଥଙ୍କୁ କ୍ଲିନ ବୋଲ୍ଡ କରି ମହମ୍ମଦ ଶାମି ଭାରତକୁ ବଡ଼ ସଫଳତା ଦେଇଥିଲେ। କଙ୍ଗାରୁ ଅଧିନାୟକ ୭୩ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ଓ୍ଵିକେଟ୍ କିପର ବ୍ୟାଟର ଆଲେକ୍ସ କେରି ଦମଦାର ବ୍ୟାଟିଂ କରିଥିଲେ। ସେ ୫୭ ବଲ୍ରୁ ୮ ଚୌକା ଓ ୧ ଛକା ସହ ୬୧ ରନ କରିଥିଲେ। ବେନ ଦ୍ଵରାସିସ୍ ୧୯ ରନର ଛୋଟ ଇନିଂସ ଖେଳିଥିଲେ। ଶେଷରେ ଅଷ୍ଟ୍ରେଲିଆ ୨୬୪ ରନରେ ଅଲଆଉଟ୍ ହୋଇଛି।
ବୋଲିଂରେ ଭାରତ ପକ୍ଷରୁ ମହମ୍ମଦ ଶାମି ୧୦ ଓଭରରେ ୪୮ ରନ ଦେଇ ୩ଟି ସଫଳତା ପାଇଛନ୍ତି। ରବୀନ୍ଦ୍ର ଜାଡ଼େଜା ୪୦ ରନରେ ୨ଟି ଓ ବରୁଣ ଚକ୍ରବର୍ତ୍ତୀ ୪୯ ରନରେ ୨ଟି ଓ୍ଵିକେଟ୍ ନେଇଛନ୍ତି। ଅକ୍ଷର ପଟେଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି।