ଚେଜ୍ ମାଷ୍ଟର ବିରାଟ, ଟାର୍ଗେଟ୍ ପିଛା କରି ୮୦୦୦ରୁ ଅଧିକ ରନ୍ କରିବାରେ କୋହଲି ଦ୍ୱିତୀୟ ବ୍ୟାଟର

Published By : Prameya-News7 Bureau | March 04, 2025 IST

ନୂଆଦିଲ୍ଲୀ: ଚେଜିଂରେ କୋହଲିଙ୍କ ବିରାଟ ରେକର୍ଡ । ଲକ୍ଷ୍ୟ ପିଛା କରି ଦିନିକିଆରେ ୮ ହଜାରରୁ ଅଧିକ ରନ୍ କରିବାରେ କୋହଲି ଦ୍ୱିତୀୟ ବ୍ୟାଟର ହୋଇଛନ୍ତି । ଏହାସହ ସେ ମହାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ କ୍ଲବରେ ସାମିଲ ହୋଇଛନ୍ତି । ଦୁବାଇରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫିର ପ୍ରଥମ ସେମିଫାଇନାଲରେ ସେ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି । ଆଜିର ମ୍ୟାଚ୍‌ରେ ବିରାଟର ଅର୍ଦ୍ଧଶତକୀୟ ଇନିଂସ ଖେଳିବା ସହ ଦିନିକିଆରେ ରନ୍ ପିଛା କରି ୮ ହଜାରରୁ ଅଧିକ ରନ୍ କରିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ ୨୧ ରନ୍‌ର ସ୍କୋର ଅତିକ୍ରମ କରି କୋହଲି ଏହି ମାଇଲଖୁଣ୍ଟ ଛୁଇଁଥିଲେ ।

ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ କୋହଲି ୫୩ ବଲ୍‌ରେ ୭୪ତମ ଅର୍ଦ୍ଧଶତକ ହାସଲ କରିଥିଲେ । ଅଷ୍ଟ୍ରେଲିଆ ବିପକ୍ଷରେ ୯୮ ବଲରୁ ୮୪ ରନ୍ କରି ଭାରତର ୩ ନମ୍ବର ବ୍ୟାଟର ବିରାଟ କୋହଲି ଅନେକ ରେକର୍ଡ ଭାଙ୍ଗିଛନ୍ତି । ଏହି ଇନିଂସ ବଳରେ ଭାରତ ଚାରି ୱିକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପ୍ରବେଶ କରିଛି ।

୩୬ ବର୍ଷୀୟ କୋହଲି ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ୧୫୯ ଇନିଂସ ନେଇଥିଲେ । ରନ୍-ଚେଜରେ ବିରାଟ କୋହଲି ଦ୍ରୁତତମ ୮୦୦୦ ରନ୍ ପୂରଣ କରିଛନ୍ତି । ୨୩୨ ଇନିଂସରେ ୮୭୨୦ ରନ୍ ସହ ଚେଜିଂରେ ସର୍ବାଧିକ ରନ୍ କରିବାରେ ସଚିନ ତେନ୍ଦୁଲକର ପ୍ରଥମ ସ୍ଥାନରେ ଅଛନ୍ତି । ରୋହିତ ଶର୍ମା ୬୧୧୫ ରନ୍ ସହିତ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି । ବିରାଟ କୋହଲି ତାଙ୍କର ୫୧ଟି ଦିନିକିଆ ଶତକ ମଧ୍ୟରୁ ୨୮ଟି ଶତକ ରନ୍ ପିଛା କରି ହାସଲ କରିଛନ୍ତି ।

ଲକ୍ଷ୍ୟ ପିଛା କରି ଅଧିକ ରନ୍ କରିଥିବା ଖେଳାଳି

ସଚିନ ତେନ୍ଦୁଲକର (ଭାରତ) - ୮୭୨୦ ରନ୍

ବିରାଟ କୋହଲି (ଭାରତ) – ୮୦୬୩ ରନ୍

ରୋହିତ ଶର୍ମା (ଭାରତ) - ୬୧୧୫ ରନ୍

ସନଥ ଜୟସୁରିଆ (ଶ୍ରୀଲଙ୍କା) - ୫୭୪୨ ରନ୍

ଜ୍ୟାକ୍ କାଲିସ୍ (ଦକ୍ଷିଣ ଆଫ୍ରିକା) - ୫୫୭୫ ରନ୍

  • cricket
  • Virat Kohli
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.