ମସ୍କୋ ୨୬।୧: ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନ ଆମେରିକୀୟ ସମକକ୍ଷ ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ଆଲୋଚନା ଲାଗି ପ୍ରସ୍ତୁତ, ତେବେ ଟ୍ରମ୍ପଙ୍କ ପ୍ରତିକ୍ରିୟାକୁ ଅପେକ୍ଷା କରାଯାଇଛି। ଏହି ବୟାନ ୨୪ ଜାନୁୟାରୀ ଶୁକ୍ରବାର ଆସିଛି, ଏଣୁ ଆଶା ଢେର ବଢିଯାଇଛି। କ୍ରେମଲିନ ଅନୁସାରେ ଉଭୟ ନେତାଙ୍କ ମଧ୍ୟରେ ଖୁବ୍ ଶୀଘ୍ର ସାକ୍ଷାତ ହୋଇପାରେ। ଶୀତଳ ଯୁଦ୍ଧ ପରେ ୟୁକ୍ରେନ ଯୁଦ୍ଧ ଦୁଇ ପରମାଣୁ ମହାଶକ୍ତିଙ୍କ ସମ୍ପର୍କକୁ ସବୁଠୁ ନିମ୍ନ ସ୍ତରକୁ ନେଇଯାଇଛି। ଟ୍ରମ୍ପ ବାରମ୍ବାର ବୁଝାମଣା ଦ୍ୱାରା ଯୁଦ୍ଧ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ଟ୍ରମ୍ପ ଗୁରୁବାର ଗଣମାଧ୍ୟମ ସହ ଆଲୋଚନାରେ ଖୁବ୍ ଶୀଘ୍ର ପୁଟିନଙ୍କୁ ଭେଟିବେ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କିଙ୍କ ସହିତ ଆଲୋଚନା କରିବାକୁ ଚାହୁଁଥିବା କହିଛନ୍ତି। ଏଥିରେ କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସକୋଭ ଟ୍ରମ୍ପଙ୍କ ପ୍ରସ୍ତାବ ସମ୍ପର୍କରେ କହିଛନ୍ତି ‘ପୁଟିନ ପ୍ରସ୍ତୁତ ତେବେ ଆମେ ଟ୍ରମ୍ପଙ୍କ ଇସାରାକୁ ଅପେକ୍ଷା କରିଛୁ।’
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଥିଲେ ଯେ ସେ ୟୁକ୍ରେନ ସହିତ ଯୁଦ୍ଧ ସମାପ୍ତ କରିବା ପାଇଁ ଯଥାଶୀଘ୍ର ଋଷିଆ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କୁ ଭେଟିବାକୁ ଚାହୁଁଛନ୍ତି। ସେ ଏହା ମଧ୍ୟ ଦାବି କରିଛନ୍ତି ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦେମୀର ଜେଲେଂସ୍କି ଯୁଦ୍ଧ ସମାପ୍ତ କରିବା ପାଇଁ ବୁଝାମଣା ନିମନ୍ତେ ପ୍ରସ୍ତୁତ ଅଛନ୍ତି। ଟ୍ରମ୍ପଙ୍କ ଏହି ମନ୍ତବ୍ୟ ତାଙ୍କ ପିଛାଲା ବୟାନଠାରୁ ସମ୍ପୂର୍ଣ୍ଣ ଅଲଗା। ଚଳିତ ସପ୍ତାହ ପ୍ରାରମ୍ଭରେ ଟ୍ରମ୍ପ ଧମକ ଦେଇଥିଲେ ଯେ ଯଦି ମସ୍କୋ ବୁଝାମଣା ନ କରୁଛି ତେବେ ସେ ଋଷିଆ ଉପରେ ଉଚ୍ଚସ୍ତରର କଟକଣା ଜାରି କରିବେ ଓ ସେଠାରୁ ହେଉଥିବା ଆମଦାନୀ ଉପରେ ଶୁଳ୍କ ବସାଇଦେବେ।
ତେବେ ହ୍ୱାଇଟ୍ ହାଉସ୍ ରେ ଟ୍ରମ୍ପ ଏ ସମ୍ପର୍କରେ ଗଣମାଧ୍ୟମ ସହ ଆଲୋଚନାରେ କହିଛନ୍ତି ଯେ ଏହି ହାସ୍ୟସ୍ପଦ ଯୁଦ୍ଧକୁ ସମାପ୍ତ କରିବା ପାଇଁ ସେ ଯଥାଶୀଘ୍ର ପୁଟିନଙ୍କୁ ଭେଟିବାକୁ ପ୍ରସ୍ତୁତ। ଟ୍ରମ୍ପ କହିଛନ୍ତି ଯେ ମୁଁ ଯାହା ଶୁଣୁଛି ସେହି ଅନୁସାରେ ପୁଟିନ ମୋତେ ଭେଟିବାକୁ ଚାହାଁନ୍ତି। ସେ ଦାବି କରିଛନ୍ତି ଯେ ୟୁକ୍ରେନୀ ରାଷ୍ଟ୍ରପତି ଜେଲେଂସ୍କି ତାଙ୍କୁ କହିଥିଲେ ଯେ ସେ ଯୁଦ୍ଧ ସମାପ୍ତ କରିବା ପାଇଁ ଏକ ବୁଝାମଣା ନିମନ୍ତେ ପ୍ରସ୍ତୁତ।ଟ୍ରମ୍ପ ଦାଭୋସରେ କହିଛନ୍ତି ଯେ ଶାନ୍ତି ବୁଝାମଣା ନିମନ୍ତେ ଆମେରିକାର ଉଦ୍ୟମ ଏବେ ଆଶାର ସହିତ ଜାରି ରହିଛି। ତେବେ ଏ ନେଇ ସେ କୌଣସି ବିବରଣୀ ଦେଇ ନାହାନ୍ତି। ଏଥିରେ ପେସକୋଭ କହିଛନ୍ତି ଯେ ସେ ନେତାମାନଙ୍କ ସମ୍ଭାବିତ ବୈଠକ ଉପରେ ଅଧିକ ଟିପ୍ପଣୀ କରିପାରିବେ ନାହିଁ। କାରଣ ଭବିଷ୍ୟତର ଭବିଷ୍ୟବାଣୀ କରିବା କଠିନ।