୪ ଇସ୍ରାଏଲ ମହିଳା ଯବାନଙ୍କୁ ମୁକ୍ତ କଲା ହମାସ: ଏମାନେ ୪୭୭ ଦିନ ହେଲା ବନ୍ଦୀ ଥିଲେ

Published By : Prameya-News7 Bureau | January 25, 2025 IST

indiatoday

ନୂଆଦିଲ୍ଲୀ: ଇସ୍ରାଏଲ ସହିତ ଶାନ୍ତି ବୁଝାମଣା ପରେ ଜଣ ଜଣ କରି ସମସ୍ତ ଇସ୍ରାଏଲ ପଣବନ୍ଦୀମାନଙ୍କୁ ମୁକ୍ତି କରୁଛି ହମାସ। ପୂର୍ବରୁ କିଛି ଇସ୍ରାଏଲ ନାଗରିକଙ୍କୁ ମୁକ୍ତି କରି ଦେଇଥିବା ବେଳେ ଶନିବାର ୪ ଇସ୍ରାଏଲ୍ ମହିଳା ଯବାନଙ୍କୁ ଛାଡ଼ି ଦେଇଛି ହମାସ। ଶାନ୍ତି   ବୁଝାମଣା ଚୁକ୍ତି ଅନୁସାରେ, ଏହି ସୈନିକମାନଙ୍କୁ ଇଣ୍ଟରନ୍ୟାସନାଲ ରେଡ୍ କ୍ରସ୍(ଆଇସିଆରସି)କୁ ହସ୍ତାନ୍ତର କରାଯାଇଛି। 

ହମାସ କବଳରୁ ମୁକ୍ତି ପାଇଥିବା ୪ ମହିଳା ଯବାନ ହେଲେ କରୀନା ଆରେଭ୍,ଡାନିଏଲ୍ଲା ଜିଲବୋଆ, ନାମା ଲିଭେ ଏବଂ ରିଲି ଅଲବାଗ। ଏମାନେ ଦୀର୍ଘ ହମାସ କବଳରେ ଦୀର୍ଘ ୪୭୭ ଦିନ ହେବ ବନ୍ଦୀ ଥିଲେ। ଇସ୍ରାଏଲ ସହ ଯୁଦ୍ଧ ଲାଗିବା ପର ଠାରୁ ହମାସ ଏମାନଙ୍କୁ ଅପହରଣ କରି ନେଇଥିଲା। 

ଟାଇମ୍ସ ଅଫ୍ ଇସ୍ରାଏଲର ରିପୋର୍ଟ ଅନୁସାରେ, ହମାସର ଯୋଦ୍ଧାମାନେ ଇସ୍ରାଏଲ ମହିଳା ଯବାନଙ୍କୁ ମୁକ୍ତି କରିବା ପୂର୍ବରୁ ଗାଜା ସିଟିରେ ଏକ ମଞ୍ଚର ଆୟୋଜନ କରି ସେମାନଙ୍କ ସେଠାରେ ଉପସ୍ଥିତ କରାଇଥିଲା। ସମସ୍ତ ମହିଳା ଯବାନ ସେନା ପୋଷାକ ପିନ୍ଧିଥିବା ବେଳେ ପିଠିରେ ଏକ ବ୍ୟାଗ ପକାଇଥିଲେ। 

ମୁକ୍ତି ବେଳେ ମହିଳା ଯବାନମାନେ ବେଶ୍ ଖୁସି ଜଣାପଡ଼ୁଥିଲେ। ହମାସ ଠାରୁ ଆଇସିଆର୍‌ସି ଯବାନଙ୍କୁ ଆଣିବା ପରେ ଇସ୍ରାଏଲ ଯବାନଙ୍କୁ ହସ୍ତାନ୍ତର କରିବ। ଅସ୍ତ୍ରବିରତୀ ଚୁକ୍ତି ଅନୁସାରେ ପାଲେଷ୍ଟାଇନ୍ ନାଗରିକଙ୍କୁ ଇସ୍ରାଏଲ ଜେଲ୍‌ରୁ ମୁକୁଳାଇବା ପରେ ହମାସ ମଧ୍ୟ ଇସ୍ରାଏଲ ନାଗରିକଙ୍କୁ ଛାଡ଼ୁଛି। ଉଭୟଙ୍କ ମଧ୍ୟରେ ହୋଇଥିବା ଏହି ଡିଲ୍ ଯୋଗୁ ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ୧୫ ମାସର ଯୁଦ୍ଧର ଅନ୍ତ ଘଟିଛି। ଅକ୍ଟୋବର ୭ ତାରିଖ ୨୦୨୩ରେ ହମାସ ଇସ୍ରାଏଲ ଉପରେ ଆକ୍ରମଣ କରିବା ଦିନ ଏହି ୪ ମହିଳା ଯବାନଙ୍କୁ ଅପହରଣ କରି ନେଇଥିଲା।  

ସେନା ଯବାନଙ୍କୁ ଛାଡ଼ିବା ପରେ ହମାସ କହିଛି ଯେ ଇସ୍ରାଏଲ ସହିତ ହୋଇଥିବା ନାଗରିକ ଅଦଳବଦଳର ଅଂଶ ସ୍ୱରୂପ ଶନିବାର ଇସ୍ରାଏଲ ୨୦୦ ଜଣ କଏଦୀଙ୍କୁ ମୁକ୍ତ କରିବ। ଏହି କଏଦୀମାନଙ୍କ ମଧ୍ୟରେ ହମାସ, ଇସଲାମିକ୍ ଜିହାଦ ଏବଂ ପପୁଲାର ଫ୍ରଣ୍ଟ ଫର୍ ଦି ଲିବରେସନ ଅଫ୍ ପାଲେଷ୍ଟାଇନ (PFLP)ର ସଦସ୍ୟମାନେ ଅଛନ୍ତି। ଏମାନେ ଇସ୍ରାଏଲ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିଲେ ବୋଲି ହମାସ କହିଛି। 

ହମାସ ଓ ଇସ୍ରାଏଲ ମଧ୍ୟରେ ଗତ ରବିବାର ଦିନ ଅସ୍ତ୍ରବିରତି ଚୁକ୍ତି ଆରମ୍ଭ ହୋଇଥିଲା। ଏହି ଚୁକ୍ତି ଅନୁସାରେ ହମାସ ଶନିବାରର ଦ୍ୱିତୀୟ ପର୍ଯ୍ୟାୟରେ ବନ୍ଦୀମାନଙ୍କୁ ମୁକୁଳାଇଛି। ଏହା ପୂର୍ବରୁ ହମାସ ୩ ଜଣ ଇସ୍ରାଏଲ ନାଗରିକଙ୍କୁ ଛାଡ଼ି ଦେଇଥିଲା। ହେଲେ ତା ବଦଳରେ କିନ୍ତୁ ୯୦ ଜଣ ପାଲେଷ୍ଟାଇନୀ କଏଦୀଙ୍କ ଛାଡ଼ିବାକୁ ବାଧ୍ୟ ହୋଇଥିଲା ଇସ୍ରାଏଲ୍। 

ଆମେରିକାର ସମର୍ଥନରେ କତାର ଏବଂ ଇଜିପ୍ଟର ନେତୃତ୍ୱରେ ମାସ ମାସ ଧରି ଆଲୋଚନା କରିବା ପରେ ହମାସ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତୀ ଚୁକ୍ତି ହୋଇଥିଲା। ଏହାପରେ ନଭେମ୍ବର ୨୦୨୩ରେ ପ୍ରଥମ ଥର ପାଇଁ ଯୁଦ୍ଧକୁ ବନ୍ଦ ହୋଇଥିଲା।

ଦୁଇ ପକ୍ଷ ମଧ୍ୟରେ ହୋଇଥିବା ଯୁଦ୍ଧବିରାମ ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ, କଏଦୀ ଅଦଳବଦଳ ପରେ ଇସ୍ରାଏଲ ସେନା କେନ୍ଦ୍ରୀୟ ଗାଜାର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳରୁ ଆଂଶିକ ଭାବରେ ପ୍ରତ୍ୟାହାର କରିନେବ ବୋଲି ଆଶା କରାଯାଉଛି, ଯାହା ଫଳରେ ଲକ୍ଷ ଲକ୍ଷ ବିସ୍ଥାପିତ ପାଲେଷ୍ଟାଇନୀ ଉତ୍ତର ଗାଜାରେ ଥିବା ନିଜ ଘରକୁ ଫେରିପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.