ବଲିଉଡ୍‌ର ଖଳନାୟକ; ଶାକାଲ ହୋଇ ଫ୍ୟାନ୍ସଙ୍କର ଜିତିଥିଲେ ହୃଦୟ, ୫ ଦଶକ ଧରି କରୁଛନ୍ତି ରାଜ୍‌

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ ୨୧।୧୦: ସହାୟକ ଭୂମିକାରେ ଅଭିନୟ କରୁ କରୁ ହୋଇ ଯାଇଥିଲେ ଜଣେ ଖଳନାୟକ । ସେ ଏହି ଭୂମିକାରେ ଅଭିନୟ କରି କରି ଏହାକୁ ଜୀବନ ଦେଇଦେଇଥିଲେ ।ଏହି ବ୍ୟକ୍ତିତ୍ବ ହେଉଛନ୍ତି କୂଳଭୂଷଣ ଖରବନ୍ଦା । ସେ ୨୧ ଅକ୍ଟୋବର ୧୯୪୪ରେ ପଞ୍ଜାବରେ ଜନ୍ମଗ୍ରହଣ କରିଥିଲେ । 

କୂଳଭୂଷଣ ଖରବନ୍ଦା ପଞ୍ଜାବରୁ ହିଁ ସ୍କୁଲ୍‌ ଶିକ୍ଷା ଶେଷ କରିଥିଲେ । ଏହାପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ କଲେଜରୁ ଅଧ୍ୟୟନ ସମାପ୍ତ କରିଥିଲେ । କଲେଜରେ ପାଠ ପଢିବା ସମୟରେ ସେ ଅଭିନୟ ଆରମ୍ଭ କରିଥିଲେ । ସେ ପ୍ରାୟତଃ ନାଟକରେ ଭାଗ ନେଉଥିଲେ । ଏଥିସହିତ କୂଳଭୂଷଣ ଖରବନ୍ଦା ତାଙ୍କ ସାଙ୍ଗମାନଙ୍କ ସହ 'ଅଭିଯାନ' ନାମକ ଏକ ଥିଏଟର ଆରମ୍ଭ କରିଥିଲେ । ସେ ଫିଲ୍ମ ଜଗତରେ ଏଣ୍ଟ୍ରି କରିବା ପୂର୍ବରୁ ଦୀର୍ଘ ସମୟ ଧରି ଥିଏଟର କରିଥିଲେ।

ଦୀର୍ଘ ସମୟ ଧରି ଥିଏଟର କରିବା ପରେ କୂଳଭୂଷଣ ଖରବନ୍ଦା ବଲିଉଡରେ ପାଦ ଦେବାକୁ ନିଷ୍ପତ୍ତି ନେଇଥିଲେ । ସେ ୧୯୭୪ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଜାଦୁ କା ଶଙ୍ଖ' ସହିତ ବଡ ପରଦାରେ କରିଥିଲେ ଡେବ୍ୟୁ। ଏହାପରେ ତାଙ୍କୁ ଶ୍ୟାମ ବେନେଗଲଙ୍କ ଫିଲ୍ମ 'ନିଶାନ୍ତ'ରେ ଦେଖିବାକୁ ମିଳିଥିଲା। 

କୂଳଭୂଷଣ ଖରବନ୍ଦା ସେହି ସମୟରେ ବେଶ୍‌ ଲାଇମ୍‌ ଲାଇଟ୍‌କୁ ଆସିଥିଲେ ଯେତେବେଳେ ସେ ଫିଲ୍ମ 'ଶାନ'ରେ ଭିଲେନ୍ ଶାକଲଙ୍କ ଭୂମିକାରେ ଅଭିନୟ କରିଥିଲେ । ୧୯୮୦ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମରେ ସେ ଅମିତାଭ ବଚ୍ଚନ, ଶଶି କପୁର ଏବଂ ଶତ୍ରୁଘ୍ନ ସିହ୍ନାଙ୍କ ସହ ନଜର ଆସିଥିଲେ । ଏହାବ୍ୟତୀତ ସେ ଲୋକପ୍ରିୟ ତଥା ଚର୍ଚ୍ଚିତ ୱେବସିରିଜ୍ ମିର୍ଜାପୁରରେ ସତ୍ୟନନ୍ଦତ୍ରିପାଠୀ ଛଦ୍ମନାମ ବାଉଜୀଙ୍କ ଚରିତ୍ରରେ ଅଭିନୟ କରି ଖୁବ୍‌ ଚର୍ଚ୍ଚାରେ ରହିଥିଲେ । 

ଜାଣି ଆଶ୍ଚର୍ଯ୍ୟ ହେବେ କୂଳଭୂଷଣ ଖରବନ୍ଦା ବଲିଉଡରେ ଏଣ୍ଟ୍ରି କରିବା ପୂର୍ବରୁ ବିବାହ କରି ସାରିଥିଲେ । ସେ ରାଜସ୍ଥାନର ପ୍ରତାପଗଡର ମହାରାଜା ରାମ ସିଂଙ୍କ ଝିଅ ମହେଶ୍ୱରୀଙ୍କୁ ତାଙ୍କ ଜୀବନସାଥୀ କରିଥିଲେ । କୂଳଭୂଷଣ ଖରବନ୍ଦାଙ୍କୁ ବିବାହ କରିବା ପୂର୍ବରୁ ମହେଶ୍ୱରୀ ବିବାହ କରିସାରିଥିଲେ । ସେ କୂଳଭୂଷଣ ଖରବନ୍ଦାଙ୍କୁ ଦ୍ବିତୀୟ ବିବାହ କରିଥିଲେ । ଏହାପୂର୍ବରୁ ସେ କୋଟାର ମହାରାଜାଙ୍କୁ ବିବାହ କରିଥିଲେ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.