ଦିଲ୍ଲୀ ଷ୍ଟେସନ ଦଳାଚକଟାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଲେ ଲାଲୁ ଯାଦବ, ଜାଣନ୍ତୁ କୁମ୍ଭ ମେଳାକୁ ନେଇ କହିଛନ୍ତି କ’ଣ?

Published By : Prameya-News7 Bureau | February 16, 2025 IST

ପାଟନା ୧୬।୨: ନୂଆଦିଲ୍ଲୀ ରେଳ ଷ୍ଟେସନରେ ହୋଇଥିବା ଦଳାଚକଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କ ଚିକିତ୍ସା ଦିଲ୍ଲୀର ଲେଡି ହାର୍ଡିଂ ଓ ଏଲଏନଜିପି ହସ୍ପିଟାଲରେ ହେଉଛି। ଶନିବାର ରାତିରେ ଏହି ଘଟଣା ଦିଲ୍ଲୀ ଷ୍ଟେସନର ୧୪ ଓ ୧୬ ନମ୍ବର ପ୍ଲାଟଫର୍ମରେ ହୋଇଥିଲା। ବିହାର ଆରଜେଡି ମୁଖ୍ୟ ତଥା ପୂର୍ବତନ କେନ୍ଦ୍ର ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ନୂଆଦିଲ୍ଲୀ ରେଳ ଷ୍ଟେସନ ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି। 

ଲାଲୁ କହିଛନ୍ତି ଯେ କୁମ୍ଭମେଳାରେ ସ୍ନାନ କରିବା ପାଇଁ ଜାତୀୟ ରାଜଧାନୀରେ ଏତେବଡ଼ ଦୁର୍ଘଟଣା ଘଟିଯାଇଛି। କୁମ୍ଭ ମେଳା ଏକ ଫାଲତୁ କଥା, ଏହାର କୌଣସି ଯଥାର୍ଥତା ନାହିଁ। ଲୋକେ ଏଥିରେ ସ୍ନାନ କରିବା ପାଇଁ ଜୀବନକୁ ବିପଦରେ ପକାଇବା ବାସ୍ତବିତ ଦୁର୍ଭାଗ୍ୟଜନକ। ଦଳାଚକଟା ମୃତକଙ୍କୁ ଲାଲୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏହି ଘଟଣା ପାଇଁ ଲାଲୁ ରେଳବାଇକୁ ଦାୟି କରିଛନ୍ତି। 


ରେଳବାଇଙ୍କ ଦାୟିତ୍ୱହୀନତା ପାଇଁ ଏତେବଡ଼ ଘଟଣା ଘଟିଯାଇଥିବା ସେ କହିଛନ୍ତି। ଏହା ରେଲୱେର ଫେଲ୍ୟୋର, ଏଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ନିଜକୁ ଦାୟି କରିବା ଦରକାର ବୋଲି ଲାଲୁ ପ୍ରସାଦ ଯାଦବ କହିଛନ୍ତି। ଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ଅଧିକାଂଶ ମହିଳା ଓ ପିଲା ଅଛନ୍ତି। କେନ୍ଦ୍ର ରେଳ ମନ୍ତ୍ରୀ ମାମଲାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ମଧ୍ୟରେ ବିହାରର ୯ ଜଣ ଥିବା ବେଳେ ଦିଲ୍ଲୀର ୮ ଓ ହରିୟାଣାର ଜଣେ ଅଛନ୍ତି। 


ନୂଆଦିଲ୍ଲୀ ରେଳଷ୍ଟେସନରେ ଘଟିଥିବା ଘଟଣା ନେଇ ରେଳବାଇଙ୍କ ବୟାନ ଆସିଛି। ଅଧିକାରୀକ ବୟାନରେ ଉତ୍ତର ରେଳବାଇ ସିପିଆରଓ ହିମାଶୁ ଶେଖର ଉପାଧ୍ୟାୟ କହିଛନ୍ତି ଯେ ଶନିବାର ଏହି ଦୁଃଖଦ ଘଟଣା କାଳରେ ନୂଆଦିଲ୍ଲୀ ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ୧୪ରେ ପାଟନା ଯାଉଥିବା ମଗଧ ଏକ୍ସପ୍ରେସ୍ ଓ ପ୍ଲାଟଫର୍ମ ନମ୍ବର ୧୫ରେ ଜମ୍ମୁ ଆଡକୁ ଯାଉଥିବା ଉତ୍ତର ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍ ଛିଡା ହୋଇଥିଲେ। ଏହି ସମୟରେ ଫୁଟଓଭର ବ୍ରିଜ୍ ରୁ ପ୍ଲାଟଫର୍ମ ନମ୍ବର ୧୪ ଓ ୧୫କୁ ସଂଯୁକ୍ତ କରୁଥିବା ସିଡିରେ  ଜଣେ ଯାତ୍ରୀଙ୍କ ଗୋଡ ଖସିଯିବାରୁ ଏଥିରେ ଅନେକ ଯାତ୍ରୀ ପ୍ରାଭାବିତ ହେବା ସହ ଏହି ଦୁଃଖଦ ଘଟଣା ଘଟିଛି। ଏକ ଉଚ୍ଚସ୍ତରୀୟ କମିଟି ଏହି ଘଟଣାର ତଦନ୍ତ କରୁଛି। କୌଣସି ଟ୍ରେନ ବାତିଲ କରାଯାଇ ନଥିଲା କି କୌଣସି ଟ୍ରେନର ପ୍ଲାଟଫର୍ମ ବଦଳି ନଥିଲା। ଏବେ ପ୍ଲାଟଫର୍ମରେ ସ୍ଥିତି ସ୍ୱଭାବିକ ରହିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.